Odiapua.com

ବିଜେପିକୁ ଝଟକା ଦେଲେ ସଞ୍ଜୀବ: ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଏବେ ରାଜ୍ୟ ଯୁବ ଜନତା ସମ୍ପାଦକ

ଭୁବନେଶ୍ୱର/ଭଦ୍ରକ: ବର୍ଷକ ତଳେ ବିଜେପି ଭଦ୍ରକ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଦାୟିତ୍ୱରେ ଥିବା ବିକାଶ ଶ୍ରେଷ୍ଠା ଆଜି ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ। ବିଜେପି ଯାହାକୁ ରଖି ପାରିଲାନି, ବିଜେଡି ତାକୁ ଠିକ୍ ଭାବରେ ଚିହ୍ନି କୋଳେଇ ନେଲା। ଆଜିକୁ ଠିକ୍ ବର୍ଷକ ତଳେ ଅଗଷ୍ଟ ୨୧ ତାରିଖରେ ନିଜ ଦଳୀୟ କର୍ମୀଙ୍କ ମରଣାନ୍ତକ ଆକ୍ରମଣର ଶୀକାର ହୋଇଥିଲେ ବିକାଶ। ବିକାଶ ଶ୍ରେଷ୍ଠାଙ୍କୁ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଭାବରେ ଗ୍ରହଣ କରିନପାରି ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଜିଲ୍ଲାର କୌଣସି ନେତା ଏହାର ସମାଧାନ କରିବା ଦିଗରେ ଆଗ୍ରହ ପ୍ରକାଶ କଲେ ନାହିଁ। ଏପରିକି ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା ଏବଂ ଏଥିରେ ଜିଲ୍ଲାର ବରିଷ୍ଠ ନେତା ଏବଂ ପ୍ରଭାବଶାଳୀ ଯୁବ ନେତୃତ୍ୱ ଓ କର୍ମୀଙ୍କ ସମର୍ଥନ ରହିଥିଲା ବୋଲି କୁହାଗଲା। ଏହାପରେ ବିକାଶ ପଦବୀ ଓ ଦଳ ଛାଡ଼ି ଦେଇଥିଲେ ଏବଂ ବିଜେଡି ସଂସ୍ପର୍ଶରେ ଆସିଥିଲେ। ଭଦ୍ରକ ବିଜେଡି ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ବିକାଶଙ୍କୁ ନିଜ ସହିତ ସାମିଲ୍ କରାଇ ନେଇଥିଲେ ଏବଂ ବିକାଶଙ୍କୁ ବିକଶିତ କରାଇ ତାଙ୍କୁ ଆଜି ରାଜ୍ୟ ଯୁବ ଜନତା ସମ୍ପାଦକ କରାଇ ପାରିଲେ। ସଞ୍ଜୀବ ମଲ୍ଲିକଙ୍କ ସୁପାରିଶ କ୍ରମେ ବିକାଶ ଶ୍ରେଷ୍ଠା ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ ହୋଇଥିବା କୁହାଯାଉଛି ଏବଂ ଏପରି କରି ସଞ୍ଜୀବ ମଲ୍ଲିକ ଭଦ୍ରକ ଜିଲ୍ଲାରେ ବିଜେପିକୁ ଏକ ବଡ଼ ଝଟକା ଦେଇଛନ୍ତି ବୋଲି ଆଲୋଚନା ହେଉଛି।
-/Dr