Odiapua.com

୨୦ ରେ ବାହୁଡ଼ା ଯାତ୍ରା : ୧୯ ତାରିଖ ସନ୍ଧ୍ୟା ୮ ଘଟିକା ଠାରୁ ୨୧ ତାରିଖ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ପୁରୀ ସହରରେ ୧୪୪ ଧାରା ଜାରି

ପୁରୀ ୧୭-୭ (ଓଡ଼ିଆ ପୁଅ) ଆସନ୍ତା ୨୦ ତାରିଖ ମଙ୍ଗଳବାର ଶ୍ରୀଜୀଉଙ୍କର ବାହୁଡ଼ାଯାତ୍ରା। ବଡ଼ ଦେଉଳକୁ ବାହୁଡ଼ିବେ ପ୍ରଭୁ।

ଏହି ଅବସରରେ ଶ୍ରୀକ୍ଷେତ୍ରରେ ୪୮ ଘଣ୍ଟିଆ କର୍ଫ୍ୟୁ ସହିତ ସଟଡାଉନ୍ ଲାଗୁ ହେବ। ପୁରୀ ସହରରେ ଚଳିତ ମାସ ୧୯ ତାରିଖ ରାତି ୮ଟାରୁ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ। ବଡ଼ଦାଣ୍ଡରେ ସାଧାରଣ ଲୋକ ଚଳପ୍ରଚଳ କରିପାରିବେ ନାହିଁ। ସେହିପରି ବଡ଼ଦାଣ୍ଡରେ ଥିବା କୋଠାର ଛାତ ଓ ବାଲକୋନିରେ ମଧ୍ୟ କେହି ରହିପାରିବେ ନାହିଁ। ଏନେଇ ଜିଲ୍ଲାପାଳଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି।

ଧାରା ୧୪୪ ବଳବତ୍ତର ଥିବା ବେଳେ ବଡ଼ଦାଣ୍ଡକୁ କୌଣସି ଯାନବାହନ ଯାଇପାରିବ ନାହିଁ। ବଡ଼ଦାଣ୍ଡରେ ଥିବା ସମସ୍ତ ହୋଟେଲ, ଲଜ, ଧର୍ମଶାଳା ଓ ଅତିଥି ଭବନ ୪୮ ଘଣ୍ଟା ପାଇଁ ବନ୍ଦ ରହିବ। ବଡ଼ଦାଣ୍ଡ ଅଂଚଳରେ କେତେ ଲୋକ ରହୁଛନ୍ତି, ପୁରୀ ନଗରପାଳିକା ତରଫରୁ ତାହାର ସର୍ଭେ ହେବ। ବଡ଼ଦାଣ୍ଡରେ ଥିବା ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ ଏପରିକି ଔଷଧ ଦୋକାନ ମଧ୍ୟ ବନ୍ଦ ରଖାଯିବ।

ଆରମ୍ଭ ହେଲା ବାହୁଡ଼ାଯାତ୍ରା ପାଇଁ ନୀତି। ଆଜି ହୋଇଛି ଦକ୍ଷିଣମୋଡ଼। ଘଣ୍ଟ ଧ୍ଵନିତ ପରିବେଶ ମଧ୍ୟରେ ପ୍ରଭୁଙ୍କ ପବିତ୍ର ଆଜ୍ଞାମାଳ ତିନି ରଥକୁ ବିଜେ ହେବା ପରେ ପରମ୍ପରା ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଦକ୍ଷିଣ ମୋଡ଼ ହୋଇ ନାକଚଣା ଦ୍ୱାରରେ ଲାଗିଥିଲା। ଏହା ପରେ ଭକ୍ତିମୟ ପରିବେଶ ମଧ୍ୟରେ ସେବାୟତମାନଙ୍କ ଗହଣରେ ଦକ୍ଷିଣ ମୋଡ଼ ହୋଇ ନାକଚଣା ଦ୍ବାରରେ ଲାଗିଥିଲା ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ। ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ଼ ହୋଇଥିଲା। ଦକ୍ଷିଣ ମୋଡ଼ ପରେ, ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଗମନ ଅପେକ୍ଷାରେ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ଦଣ୍ଡାୟମାନ ଦିବ୍ୟ ତିନି ରଥ। ଆସନ୍ତା ୨୧ ବୁଧବାରଦିନ ହେବ ସୁନାବଶ। ୨୨ରେ ଅଧରପଣା ନୀତି, ୨୩ରେ ନିଳାଦ୍ରୀ ବିଜେ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ବାହୁଡା ଯାତ୍ରା ନିମନ୍ତେ ଆସନ୍ତା ୧୯ ତାରିଖ ସନ୍ଧ୍ୟା ୮ ଘଟିକା ଠାରୁ ୨୧ ତାରିଖ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ପୁରୀ ସହରରେ ୧୪୪ ଧାରା ଜାରି କରାଯାଇଛି।