Odiapua.com

ଦିଲ୍ଲିପ ଓ ବିଜୟଙ୍କ ଫୋକସରେ ବିଜେଡ଼ି : ଦଳ ବିଭାଜନ ପାଇଁ ପ୍ରସ୍ତୁତ ହେଉଛି ରୋଡ୍ ମ୍ୟାପ୍

ଭୁବନେଶ୍ୱର ୩, ଜାନୁଆରି (ଓଡ଼ିଆ ପୁଅ/ପ୍ରିୟରଂଜନ ସାହୁ) ରାଉରକେଲାର ପୂର୍ବତନ ବିଜେପି ବିଧାୟକ ଦିଲ୍ଲିପ ରାୟଙ୍କୁ ବିଜେଡ଼ିରେ ସାମିଲ କରିବା ପାଇଁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପାତତଃ ମନସ୍ଥିର କରିଥିଲେ। ବିଭିନ୍ନ ପ୍ରକାରର ରାଜନୈତିକ ଦୃଷ୍ଟିଭଙ୍ଗୀକୁ ସମାକ୍ଷା କରି ବିଜେଡ଼ିର କୋର ଗ୍ରୁପ୍ ଦିଲ୍ଲିପଙ୍କର ଦଳ ପ୍ରବେଶକୁ ଆପାତତଃ ମଞ୍ଜୁରୀ ଦେଇଥିଲେ। ସେଥିପାଇଁ ଦିଲ୍ଲିପ ରାୟ ବିଜେପି ଦଳ ଓ ବିଧାୟକ ପଦରୁ ଇସ୍ତପା ଦେଇଥିଲେ। ମାତ୍ର ବିଜେଡ଼ି ସୁପ୍ରିମୋ ରାଜି ନଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ଦିଲ୍ଲିପ ରାୟଙ୍କ ସହିତ ବିଜୟ ମହାପାତ୍ର ମଧ୍ୟ ବିଜେପି ଛାଡ଼ିଥିଲେ। ସେହି ସମୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲାଯେ, ଏହି ଦୁଇ ଜଣ ନେତା ବିଜେଡ଼ିକୁ ପ୍ରତ୍ୟାବର୍ତ୍ତନ କରିବେ। ମାତ୍ର ବିଜୟ ମହାପାତ୍ରଙ୍କ କ୍ଷେତ୍ରରେ ବିଜେଡ଼ି ସୁପ୍ରିମୋ ପ୍ରଥମରୁ ହିଁ ସମ୍ମତ୍ତି ପ୍ରକାଶ କରିନଥିଲେ। ଏବେ କିନ୍ତୁ ନବୀନଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ଦେଖି ବିଜୟ ଓ ଦିଲ୍ଲିପ ଏକ ନୂତନ ରାଜନୈତିକ ସମୀକରଣ ପାଇଁ ପ୍ରସ୍ତୁତ କରୁଛନ୍ତି ରୋଡ୍ ମ୍ୟାପ୍।

ବିଜେଡ଼ି ଏହି ଦୁଇ ପ୍ରତିଷ୍ଠାତା ସଭ୍ୟ ଦଳରୁ ବିତାଡ଼ିତ ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷ ଧରି ସଂଖ୍ୟାଧିକ ବିଜେଡ଼ି ନେତାଙ୍କର ସୁସମ୍ପର୍କରେ ଅଛନ୍ତି। ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ବୈତରଣୀ ପାର କରିବା ବିଜେଡ଼ି ପାଇଁ ଏତେ ସହଜ ନୁହେଁ ବୋଲି ପୂର୍ବାନୁମାନ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତା ରାଜ୍ୟରେ ବଳବତ୍ତର ଥିଲେ ମଧ୍ୟ ଅଧିକାଂଶ ସାଂସଦ ଓ ବିଧାୟକମାନେ ନିଜନିଜ ନିର୍ବାଚନ ମଣ୍ଡଳୀରେ ଲୋକପ୍ରିୟତା ହରାଇ ବସିଛନ୍ତି। ବିଜେଡ଼ିକୁ ୨୦୧୯ ନିର୍ବାଚନ ଜିତିବାକୁ ହେଲେ ଏହି ସାଂସଦ ଓ ବିଧାୟକମାନଙ୍କୁ ପରିବର୍ତ୍ତନ କରିବା ପାଇଁ ନବୀନ ମନସ୍ଥିର କରିଛନ୍ତି। ଦିଲ୍ଲିପ ରାୟଙ୍କର ବିଜେଡ଼ି ପ୍ରତ୍ୟାବର୍ତ୍ତନ ଖବରରେ ଲୋକପ୍ରିୟତା ହରାଇ ବସିଥିବା ଏହି ସାଂସଦ ଓ ବିଧାୟକମାନେ ଉତ୍ସାହୀତ ହୋଇପଡ଼ିଥିଲେ। ସେମାନେ ଭାବି ନେଇଥିଲେଯେ, ଦିଲ୍ଲିପ ରାୟ ବିଜେଡ଼ିକୁ ଫେରିଲେ ଦଳରେ ଦିଲ୍ଲିପଙ୍କର ଗୁରୁତ୍ତ୍ୱ ବୃଦ୍ଧି ପାଇବ। ସେଥିପାଇଁ ଦିଲ୍ଲିପଙ୍କ ସହିତ ଏହି ନେତାମାନେ ଖୋଲାଖୋଲି ସମ୍ପର୍କ ରଖିବା ଆରମ୍ଭ କରିଦେଇଥିଲେ। ଏହି ତଥ୍ୟ ନବୀନଙ୍କର ହସ୍ତଗତ ହେବା ପରେ ଦିଲ୍ଲିପଙ୍କୁ ନନେବା ପାଇଁ ମନସ୍ଥିର କରିଥିଲେ।

ଏବେ ଦିଲ୍ଲିପ ଏବଂ ବିଜୟଙ୍କ ପାଇଁ ବିଜେଡ଼ିର ଦ୍ୱାର ଆପାତତଃ ବନ୍ଦ କହିଲେ ଚଳେ। ତେଣୁ ଏ ଦୁହିଁଙ୍କ ପାଖରେ ଏକମାତ୍ର ବିକଳ୍ପ ହେଉଛି କଂଗ୍ରେସ। କଂଗ୍ରେସରେ ଏ ଦୁହେଁ ସିଧାସଳଖ ଯୋଗ ନଦେଲେ ମଧ୍ୟ ବିଜେଡ଼ିରୁ ପ୍ରତ୍ୟାଖ୍ୟାତ ଅନେକ ନେତାଙ୍କ ସହଯୋଗରେ ଏମାନେ ରାଜ୍ୟ କଂଗ୍ରେସକୁ ମଜଭୁତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ଖବର ମିଳିଛି। ଏହାଦ୍ୱାରା ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡ଼ି ଦଳ ଭିତରେ ଏକ ରାଜନୈତିକ ଅସ୍ଥିରତା ସୃଷ୍ଟିହେବ।