Odiapua.com

କିଏ ଭୁଲ,ବିଜେପି ନାଁ ଦିଲ୍ଲୀପ ରାୟ? ଦିଲ୍ଲୀପ ଦୂରଉଛନ୍ତି ନାଁ’ ଦୂରେଇ ଦିଆଯାଉଛନ୍ତି?

ଭୁବନେଶ୍ୱର:କିଏ ଭୁଲ,ବିଜେପି ନାଁ ବିଜେପିର(ଏ ପର୍ଯ୍ୟନ୍ତ ରହିଥିବା) ରାଉରକେଲା ବିଧାୟକ ଦିଲ୍ଲୀପ ରାୟ?ବିଧାୟକ ହେବାର କିଛି ଦିନ ପରଠାରୁ ବିଜେପି ଏବଂ ଦିଲ୍ଲୀପ ରାୟଙ୍କ ଭିତରେ ଦୂରତା ଦେଖାଦେଇଛି।ବାସ୍ତବରେ ଦିଲ୍ଲୀପ ବିଜେପିଠାରୁ ଦୂରଉଛନ୍ତି ନାଁ’ ବିଜେପି ପକ୍ଷରୁ ତାଙ୍କୁ ଦୂରେଇ ଦିଆଯାଉଛି?

ଏକଦା ବିଜୁ ବାବୁଙ୍କ ମାନସ ପୁତ୍ର କୁହାଯାଉଥିବା ଏବଂ ବିଜୁ ପଟ୍ଟନାୟକଙ୍କ ଅତି ନିକଟର ଥିବା ଦିଲ୍ଲୀପ ରାୟ ପରବର୍ତ୍ତୀ ସମୟରେ “ବିଜୁ ଜନତା ଦଳ” ଗଠନରେ ପ୍ରତିଷ୍ଠାତା ସଦସ୍ୟ ଥିଲେ।ବିଜୁ ବାବୁଙ୍କ ପୁଅ ନବୀନଙ୍କୁ ଆଣି ମୁଖ୍ୟମନ୍ତ୍ରୀ ଭାବରେ ଥୁଆଇଲେ।କିନ୍ତୁ ପରବର୍ତ୍ତୀ ସମୟରେ ସେ ନବୀନଙ୍କ କାର୍ଯ୍ୟଶୈଳୀ ଉପରେ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ।ବିଜେପି ଟିକେଟରେ ରାଉରକେଲାରୁ ବିଧାୟକ ହେଲେ।

୧୯୮୨ ମସିହାରେ ରାଜନୀତିକୁ ଆସି ଦିଲ୍ଲୀପ ରାୟ ପ୍ରଥମେ ରାଉରକେଲା ନୋଟିଫାଇଡ଼ କାଉନ୍ସିଲ ଚେୟାରମ୍ୟାନ ହୋଇଥିଲେ।ସେବେଠାରୁ ସେ ଆଉ ପଛକୁ ଫେରି ନାହାଁନ୍ତି।ଏହାପରେ ସେ ରାଉରକେଲା ବିଧାୟକ ଭାବରେ ୧୯୮୫ ରୁ ୧୯୯୦ ଏବଂ ୧୯୯୦ ରୁ ୧୯୯୫ ଲଗାତାର ଦୁଇଥର ନିର୍ବାଚିତ ହୋଇଥିଲେ।ବିଜୁ ପଟ୍ଟନାୟକ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ରହିଥିଲେ।ଏହାପରେ ଦିଲ୍ଲୀପ ସଂସଦର ଉପର ସଦନକୁ ୧୯୯୬ରୁ ୨୦୦୨ ଏବଂ ୨୦୦୨ରୁ ୨୦୦୮ ଦୁଇ ଥର ରାଜ୍ୟସଭା ସଦସ୍ୟ ଭାବରେ ଯାଇଥିଲେ।ବାଜପେୟୀଙ୍କ ମନ୍ତ୍ରୀ ମଣ୍ଡଳରେ କେନ୍ଦ୍ରମନ୍ତ୍ରୀ ରହିବା ସହ ଦିଲ୍ଲୀପ ବିଭିର୍ଣ୍ଣ ପାର୍ଲିଆମେଣ୍ଟାରୀ କମିଟି ସଦସ୍ୟ ରହିସାରିଛନ୍ତି।ଏବେ ଦିଲ୍ଲୀପ ବିଜେପିରୁ ପାର୍ଥି ହୋଇ ରାଉରକେଲା ବିଧାୟକ ଅଛନ୍ତି।

ଓଡ଼ିଶାରେ ଯେଉଁ ହାତ ଗଣତି କେତୋଟି ବିଧାୟକ ଅଛନ୍ତି ସେ ଭିତରୁ ଦିଲ୍ଲୀପ ରାୟ ଜଣେ।କିନ୍ତୁ ଦିଲ୍ଲୀପ ସିନା ବିଜେପିରେ ଅଛନ୍ତି, କିନ୍ତୁ ତାହା ନଥିଲା ପରି।ବିଜେପିଠାରୁ ଦିଲ୍ଲୀପଙ୍କ ଦୂରତା ଦିନକୁ ଦିନ ବଢ଼ିବାରେ ଲାଗିଛି।ଏଇ କିଛି ଦିନ ତଳେ ଦିଲ୍ଲୀପ କହିଛନ୍ତି, ଆବଶ୍ୟକ ପଡ଼ିଲେ କଠୋର ପଦକ୍ଷେପ ନେବି।ତେବେ ସେ କଠୋର ପଦକ୍ଷେପ କ’ଣ?କାହିଁକି ନେବେ ଦିଲ୍ଲୀପ କଠୋର ପଦକ୍ଷେପ?

ଦିଲ୍ଲୀପଙ୍କ କହିବା ଅନୁଯାୟୀ ସେ ରାଉରକେଲା ଅଞ୍ଚଳର କିଛି ସମସ୍ୟା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଇଛନ୍ତି।ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା,ରାଜନାଥ ସିଂହଙ୍କୁ ଜଣାଇଛନ୍ତି।୪/୫ ବର୍ଷ ହେଲା ବାରମ୍ବାର ସମସ୍ୟା ଜଣାଉଛନ୍ତି।ମାସକର ଅଧା ଦିନ କେବଳ ରାଷ୍ଟ୍ରୀୟ ନେତୃତ୍ୱଙ୍କୁ ସମସ୍ୟା ଜଣାଇବାରେ ଚାଲିଯାଉଛି।କିନ୍ତୁ ସମସ୍ୟା ସମାଧାନ ହେଇପାରୁନି।ସେ ଚାହିଁ ମଧ୍ୟ ରାଉରକେଲା ପାଇଁ କିଛି କରି ପାରୁ ନାହାଁନ୍ତି।ଏହା ଫଳରେ ରାଉରକେଲା ଅଞ୍ଚଳର ପୁରୁଣା ବିଜେପି ଲୋକ ଏବଂ ଦିଲ୍ଲୀପଙ୍କ ସମର୍ଥକ ଲୋକ ମଧ୍ୟ ତାଙ୍କଠାରୁ ଦୂରେଇ ଯାଉଛନ୍ତି।ଦିଲ୍ଲୀପ ଅସହାୟ ହୋଇ ପଡ଼ୁଛନ୍ତି।ଏହାର ପ୍ରଭାବ ରାଉରକେଲା ବିଧାନସଭା କ୍ଷେତ୍ର ସମେତ ଜୁଏଲ ଓରାମଙ୍କ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ମଧ୍ୟ ପଡ଼ୁଛି।ଲୋକଙ୍କର ବିଜେପି ପ୍ରତି ଧାରଣା ଖରାପ ଆସୁଛି।ଦିଲ୍ଲୀପ କହିବା କଥା ସେ ତ’ ନିଜ ପାଇଁ କିଛି କହୁ ନାହାଁନ୍ତି, ମନ୍ତ୍ରୀପଦ କି ସଙ୍ଗଠନ ଦାୟିତ୍ୱ ନେବା କଥା କହୁ ନାହାଁନ୍ତି।ସେ ରାଉରକେଲା ଅଞ୍ଚଳର ସମସ୍ୟା ସମାଧାନ ଏବଂ ବିକାଶର କଥା ନେଇ କହୁଛନ୍ତି।ଯାହାକୁ କି ମୋଦୀ ଗୁରୁତ୍ୱ ଦିଅନ୍ତି।ମୋଦୀ ତ’ “ସବକା ସାଥ ସବକା ବିକାଶ”ର କଥା ହିଁ କୁହନ୍ତି।ତଥାପି ତାଙ୍କ କଥା ଶୁଣାଯାଉ ନାହିଁ କାହିଁକି?ବୋଧହୁଏ କେହି ଜଣେ ମଝିରେ ଅଛି ଯିଏ ଏଥିରେ ବାଧା ଉପୁଜାଉଛି।ତେବେ ସେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତି ଜଣଙ୍କ କିଏ?

ଓଡ଼ିଶା ବିଜେପିରେ କେବଳ ଜଣଙ୍କର ରାଜ୍ ଚାଲିଛି।ବିଜେପିର ସଙ୍ଗଠନ ବୃଦ୍ଧି ବଦଳରେ କେବଳ ଜଣଙ୍କର ପତିଆରା ବୃଦ୍ଧି ଚାଲିଛି।ସେହି ଜଣଙ୍କ ଇସାରାରେ ସଙ୍ଗଠନରେ ସବୁ ଚାଲିଛି।କିଏ ସାଙ୍ଗଠନିକ ଦାୟିତ୍ୱରେ ରହିବ,କିଏ କଣଠେସା ହେବ କିଏ ମିଶ୍ରଣ ପର୍ବରେ ମିଶିବ ଏବଂ କିଏ ବିଚ୍ଛେଦ ହେବ,ସବୁ ନିଷ୍ପତି ତାଙ୍କର।ନିର୍ବାଚିତ ବିଧାୟକ କିମ୍ବା ସାଙ୍ଗଠନିକ ଦକ୍ଷତା ଥିବା ତଥା ଲୋକପ୍ରିୟ ନେତା ହୁଅନ୍ତି ଅବହେଳିତ।କିନ୍ତୁ ଯାହାର ନିଜ ଅଞ୍ଚଳରେ ପରିଚୟ ନାହିଁ ତାଙ୍କୁ ଦିଆଯାଏ ରାଜ୍ୟ ବିଜେପିର ସାଙ୍ଗଠନିକ ଦାୟିତ୍ୱ।ଦଳୀୟ ଶୃଙ୍ଖଳା ନାମରେ କେବଳ ତାଙ୍କର ଏବଂ ତାଙ୍କ ଅନୁଗତ ମାନଙ୍କର ରାଜ୍ ଚାଲିଛି।ସେଥିପାଇଁ ଆଜି ପର୍ଯ୍ୟନ୍ତ ମିଶ୍ରଣ ପର୍ବରେ କେହି ପ୍ରଭାବୀ ନେତା ମିଶିପାରୁ ନାହାଁନ୍ତି।ଯିଏ ମିଶୁଛନ୍ତି କେବଳ ତାଙ୍କର ଆନୁଗତ୍ୟ ସ୍ୱୀକାର କରି।କୁହାଯାଏ ସେପରି ପ୍ରଭାବୀ ଲୋକପ୍ରିୟ ନେତା ଆସିଲେ କାଳେ ତାଙ୍କର ଗୁରୁତ୍ୱ କମିଯିବ, ସେହି ଭୟ ରହିଛି।ଏଠି ଦଳ ବିରୋଧରେ କେହି କହିଲେ ବରଂ ଚଳିଯାଏ,କିନ୍ତୁ ତାଙ୍କ ଏବଂ ତାଙ୍କ ଅନୁଗତ ଗୋଷ୍ଠୀଙ୍କ କଥାରେ ନଗଲେ,ସିଧା ତଡ଼ା।ନାଁ ଦିଆଯାଏ ଦଳୀୟ ଶୃଙ୍ଖଳା।ଏହି କାରଣରୁ ବିଜୟ ମହାପାତ୍ର ଆଜି ବିଜେପି ଠାରୁ ଦୂରେଇ ଯାଇଛନ୍ତି ବା ଦୂରେଇ ଦିଆଯାଇଛନ୍ତି।ରାମକୃଷ୍ଣ ପଣ୍ଡା,ଐର ଖାରବେଳ ସ୍ୱାଇଁ ପରି ନେତା ଦଳ ଛାଡ଼ି ଦେଇଛନ୍ତି।ତେବେ,ଦିଲ୍ଲୀପଙ୍କ ଇଶାରା ଆଉ ସେହି ଆଡ଼କୁ ଯାଉନି ତ’?/ଦେବଦତ୍ତ ରଥ