ଭୁବନେଶ୍ୱର: ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ପରେ କରୋନା ଆତଙ୍କ କାରଣରୁ ଚଳିତ ବର୍ଷ ରଥଯାତ୍ରା ବନ୍ଦ୍ କରାଯାଇଛି। ଅବଶ୍ୟ ଏହା ଉପରେ ଦୁଇଟି ରିଭ୍ୟୁ ପିଟିସନ୍ ଦାଖଲ ପରେ ସୋମବାର ଏହାର ପୁନଃ ଶୁଣାଣି ହେବ। ରଥଯାତ୍ରା ହେବ ନାଁ ନାହିଁ ତାହା ସ୍ପଷ୍ଟ ହୋଇଯିବ। କରୋନା ଭଳି ମହାମାରୀ ଆତଙ୍କ ଭିତରେ ସବୁ ଦୃଷ୍ଟିରୁ ବିଚାର କରି ମାନ୍ୟବର ସୁପ୍ରିମକୋର୍ଟ ଯାହା ନିଷ୍ପତ୍ତି ଶୁଣାଇବେ ତାହା ସର୍ବମାନ୍ୟ ହେବା ଉଚିତ୍। କିନ୍ତୁ, ରଥଯାତ୍ରା ହେବ ନାଁ ନାହିଁ, ସୁପ୍ରିମକୋର୍ଟଙ୍କ ରାୟ ଏବଂ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଉଛି। କେହି ରଥଯାତ୍ରା ହେବା ସପକ୍ଷରେ ମତ ଦେଉଥିବା ବେଳେ କେହି ରଥଯାତ୍ରା ବନ୍ଦ୍ ସପକ୍ଷରେ ମତ ଦେଉଛନ୍ତି। ତେବେ, ଏହା ଭିତରେ ରାଜ୍ୟ ବିଜେପିର ମତ ଅସ୍ପଷ୍ଟ ଜଣାପଡ଼ୁଛି। ଯାହାକୁ ନେଇ ନିଜ ଦଳ ଭିତରୁ ତୃଣମୂଳ ସ୍ତରରୁ ରାଜ୍ୟ ନେତୃତ୍ୱ ମାନଙ୍କୁ ସୋସିଆଲ୍ ମିଡିଆ ମାଧ୍ୟମରେ ସମାଲୋଚନା କରାଯାଉଥିବାର ଦେଖିବାକୁ ମିଳୁଛି।
କଥା କଥାକେ ପାଟି ଫିଟାଉ ଥିବା କେନ୍ଦ୍ରମନ୍ତ୍ରୀ ଏ’ ନେଇ ମୌନତା ଅବଲମ୍ବନ କରିଛନ୍ତି। ଯଦି ରାଜ୍ୟ ସରକାର ରଥ କଥା କହୁଥିଲେ ତେବେ ସାମାଜିକ ଦୂରତା ରଖି ରଥଯାତ୍ରା କରିଥାଆନ୍ତେ। ପ୍ରଥମରୁ ରଥଯାତ୍ରା କଥା କହି ଏବେ ସରକାର ଖସି ପଲେଇଲେ ବୋଲି ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାୟକ କହିଥିବା ବେଳେ ସେ ଏବେ ମୌନ। ତେବେ ରାୟ ପ୍ରକାଶ ପାଇବା ପରେ ଅବିଳମ୍ବେ ମତ ଦେଇଥିବା ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସବୁଠାରୁ ଅଧିକ ସମାଲୋଚିତ ହେଉଛନ୍ତି। ସମୀର କହିଛନ୍ତି, “ଦେଶ କରୋନା ମହାମାରୀର ଏକ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଛି। ମନ ନମାନିଲେ ବି ରଥଯାତ୍ରା ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ କଠୋର ନିଷ୍ପତ୍ତିକୁ ସ୍ୱୀକାର କରିବାକୁ ପଡ଼ିବ। ଏହା ବୋଧହୁଏ ମହାପ୍ରଭୁଙ୍କ ଇଚ୍ଛା।” ସମୀର ମହାନ୍ତିଙ୍କ ଏପରି ମନ୍ତବ୍ୟ ପରେ ତାଙ୍କୁ ରବର ଷ୍ଟାମ୍ପ ସଭାପତି, ରିମୋର୍ଟ କଣ୍ଟ୍ରୋଲ୍ ଦ୍ୱାରା ପରିଚାଳିତ ସଭାପତି ଏବଂ ରାଜ୍ୟ ସରକାରଙ୍କ ହଁ ରେ ହଁ ମାରିବା, ସଲାସୂତରା ରାଜନୀତି ଚାଲିଛି ବୋଲି କହି ଭିତରେ ଭିତରେ ଭିତରେ ସଲାସୂତରା, ଉପରେ ଉପରେ କଳି ବୋଲି କହି କଟାକ୍ଷ କରାଯାଉଛି।
ଏହାପରେ ଦୁଇଟି ରିଭ୍ଯୁ ପିଟିସନ ଦାଖଲ ହେବା ଏବଂ ସୋମବାର ଦିନ ତାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହେବା ପରେ ପୃଥ୍ଵୀରାଜ୍ ସୋସିଆଲ୍ ମିଡିଆ ମାଧ୍ୟମରେ କହିଛନ୍ତି, “ଏହା ଅତ୍ଯନ୍ତ ଆଶ୍ବସ୍ତି ଦେଉଛି ଯେ ଦୁଇଟି ରିଭ୍ଯୁ ପିଟିସନର ଶୁଣାଣୀ ସୋମବାର ହେବ ଏବଂ ନିଷ୍ପତ୍ତି ହେବ ରଥଯାତ୍ରା ହେବ କି ନାହିଁ। ଚକ୍ରାନ୍ତକାରୀ ସରକାର ଏବଂ ତାଙ୍କ କ୍ଯାବିନେଟ୍ ନିଷ୍ପତ୍ତିର ଜାଲରୁ ପ୍ରଭୁ ଓ ଭକ୍ତ ସମାଜ ରକ୍ଷା ପାଇବେ ବୋଲି ଆଶା”। ତେବେ ବୋଧହୁଏ କେବଳ ପୃଥ୍ଵୀରାଜ ହରିଚନ୍ଦନ ଓଡ଼ିଶା ବିଜେପିର ଏକମାତ୍ର ନେତା ଯିଏ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି। ନହେଲେ କଥା କଥାକେ ସାମ୍ବାଦିକ ସମ୍ମିଳନୀ କରୁଥିବା, ସୋସିଆଲ୍ ମିଡିଆ ମାଧ୍ୟମରେ ଭିଡିଓ କରି ଏବଂ ପୋଷ୍ଟ ଲେଖି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ଗାଳିକରି ଆସୁଥିବା ଓଡ଼ିଶା ବିଜେପିରଵକୁହାଳିଆ ନେତାନେତ୍ରୀ ମାନେ ଏବେ ଚୁପ୍। /-ଦେବଦତ୍ତ ରଥ