Odiapua.com

ଝାଡା, ବାନ୍ତିରେ ଜଣଙ୍କର ଶୋଚନୀୟ ମୃତ୍ୟୁ, ୩୨ ଆକ୍ରାନ୍ତ

ଟିଟିଲାଗଡ଼ ୯-୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ରୁ ପାଞ୍ଚ କି.ମି ଦୂର ସିରୁଲ ଗ୍ରାମରେ ଝାଡା, ବାନ୍ତିରେ ୩୨ ଜଣ ଆକ୍ରାନ୍ତ ହୋଇ ଥିବା ବେଳେ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ମୁରିବାହଲ ବ୍ଲକ ଅନ୍ତର୍ଗତଏହି ସିରୁଲ ଗ୍ରାମରେ ଗତ ଦୁଇ ଦିନ ହେବ ଜଣେ ପରେ ଜଣେ ଝାଡା, ବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଥିବା ବେଳେ ଡାକ୍ତର ବଦଳରେ କେତେକ କ୍ୱାକଙ୍କ ଦ୍ଵାରା ଚିକିତ୍ସିତ ହେଉଥିଲେ। ହେଲେ ଆଜି ଏହି ଡାଇରିଆ ସାରା ଗ୍ରାମକୁ ବ୍ୟାପି ଯାଇଥିଲା। ଆଜି ଦିନ ସାହୁ ନାମକ ଜଣେ ବ୍ୟକ୍ତିଙ୍କର ଏହି ଝାଡା, ବାନ୍ତିରେ ଶୋଚନୀୟ ମୃତ୍ୟୁ ବରଣ କରିବା ପରେ “ଜନସେବା” ଅନୁଷ୍ଠାନର କର୍ମକର୍ତ୍ତା ଖବର ପାଇ ତୁରନ୍ତ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଅନ୍ୟ ଆକ୍ରାନ୍ତଙ୍କୁ ଆଣି ଭର୍ତ୍ତି କରାଇଥିଲେ। ଏହି ଡାକ୍ତରଖାନାରୁ ଔଷଧ ବିଶେଷଜ୍ଞ ଡ଼ଃ ପ୍ରଦୀପ କୁମାର ନାୟକ ୧୫ ଜଣଙ୍କୁ ବୁର୍ଲା ଓ ବଲାଙ୍ଗୀର ମେଡିକାଲ କଲେଜ ଡାକ୍ତର ଖାନାକୁ ଅବସ୍ଥା ଗୁରୁତର ଥିବାରୁ ସ୍ଥାନାନ୍ତର କରିଥିବା ବେଳେ ଅନ୍ୟ ଭର୍ତ୍ତି ଆକ୍ରାନ୍ତଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ଦେଇଛନ୍ତି। ତେବେ ଏହି ଡାକ୍ତରଖାନାରେ ପର୍ଯ୍ୟାପ୍ତ ବେଡ଼ ବା ଖଟିଆ ନ ଥିବା ବେଳେ ରୋଗୀ ଦୟନୀୟ ଅବସ୍ଥାରେ ଚିକିତ୍ସିତ ହେଉଥିବା ଅଭିଯୋଗ ହେବା ସହ ସ୍ବେଚ୍ଛାସେବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସଚେତନତାର ଅଭାବ ଓ ପ୍ରଶାସନର ଖାମ ଖିଆଲ ମନୋଭାବ ନେଇ ଵିଭାଗୀୟ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।