Odiapua.com

ଟିଉସନ୍ ନେଲେ ଅପରାଜିତା: ବିଜେପିରେ ଏକ ମୌନତା ..

ଭୁବନେଶ୍ୱର: ଓଡ଼ିଶା ବିଜେପିରେ ଏକ ମୌନତା ପରିଲିକ୍ଷିତ ହେଉଛି। ୧୧ ତାରିଖ ସୋମବାର ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଇଥିଲା। ବାସ୍ତବରେ ଏହା ଏକ ବୈଠକ ନଥିଲା, ତ’ ଏହାକୁ ଏକ (ଟିଉସନ୍ କ୍ଲାସ୍) ପ୍ରଶିକ୍ଷଣ ବୈଠକ ବୋଲି କୁହାଯାଇପାରେ। ଏହି ଟିଉସନ୍ କ୍ଲାସକୁ ନେଇ ଅନେକ ଓଡ଼ିଶା ବିଜେପି ନେତୃତ୍ୱ ଚିନ୍ତାରେ ଥିଲେ। କାରଣ ଏଠି ଟିଉସନ୍ ଦେଇଥିଲେ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ। ଆଉ ଟିଉସନ୍ ନେଇଥିଲେ ଓଡ଼ିଶା ବିଜେପିର ତୁଙ୍ଗ ନେତା। ଯାହାଙ୍କୁ କାଲି ଏମାନେ ହଜମ୍ କରି ପାରୁନଥିଲେ, ଯାହାଙ୍କୁ ଏମାନେ ଏକ ପ୍ରକାର ବ୍ୟୟକଟ୍ କରୁଥିଲେ, ଯାହାଙ୍କର ଜନ୍ମଦିନରେ ଏମାନେ ସାଧାରଣ ଶୁଭେଚ୍ଛାଟିଏ ଜଣାଉନଥିଲେ, ଯାହାଙ୍କର କାର୍ଯ୍ୟକ୍ରମରେ ଯୋଗଦେବାକୁ ଏବଂ ଯାହାଙ୍କ ସପକ୍ଷରେ ସୋସିଆଲ୍ ମିଡିଆରେ ପୋଷ୍ଟ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ଏମାନେ ବାରଣ କରୁଥିଲେ, ଆଜି ସେହି ଅପରାଜିତା ଏମାନଙ୍କୁ ଟିଉସନ୍ ଦେଇଥିଲେ। ଆଉ ଏମାନେ ଟିଉସନ୍ ନେବାକୁ ମଧ୍ୟ ବାଧ୍ୟ ହୋଇଥିଲେ!

ବାସ୍ତବରେ କଥା ହେଲା ନିକଟରେ ଓଡ଼ିଶା ବିଜେପିର ଏକ ପ୍ରତିନିଧି ଦଳ ଗୁଜୁରାଟ ଗସ୍ତରେ ଯାଇଥିଲେ। ଦଳୀୟ ତଥା ସାଙ୍ଗଠନିକ ସରଞ୍ଚନା ଓ କାର୍ଯ୍ୟଶୈଳୀ, ନିର୍ବାଚନ ପରିଚାଳନା ଆଦି ସମ୍ପର୍କରେ ସବିଶେଷ ଅନୁଧ୍ୟାନ ନିମନ୍ତେ ବିଜେପି ଓଡ଼ିଶାର ଏକ ରାଜ୍ୟ ସ୍ତରୀୟ ୯ ଜଣିଆ ପ୍ରତିନିଧି ମଣ୍ଡଳୀ ଗୁଜୁରାଟ ଗସ୍ତରେ ଯାଇଥିଲେ। କେନ୍ଦ୍ରୀୟ ନିଷ୍ପତ୍ତି ମୁତାବକ ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ବିଧାୟକ ନାଉରୀ ନାଏକ, ଡ. ମୁକେଶ ମହାଲିଙ୍ଗ, ସମ୍ପାଦକ ଅଭିମନ୍ୟୁ ସେଠୀ, ପୂର୍ବତନ ସଙ୍ଗଠନ ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାରଦା ଶତପଥୀ, ଅଶୋକ ମିଶ୍ର ଏବଂ ରାଜ୍ୟ ବିଜେପି ଆଇଟି ବିଭାଗ ପ୍ରମୁଖ ସ୍ୱୟଂ ପ୍ରକାଶ ବରାଳ ଆଦି ଏହି ପ୍ରତିନିଧି ମଣ୍ଡଳୀ ଗୁଜୁରାଟ ଗସ୍ତରେ ଯାଇଥିଲେ। ଏହି ଟିମ୍ ଗତ ମାସ ୧୭ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଗୁଜୁରାଟରେ ରହି ବିଜେପିର ସାଙ୍ଗଠନିକ ସରଞ୍ଚନା, ସ୍ଥିତି, ବ୍ୟବସ୍ଥା ଏବଂ କାର୍ଯ୍ୟଶୈଳୀ, ନିର୍ବାଚନ ପରିଚାଳନା ଆଦି ଉପରେ ବୈଠକ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ଅନୁଧ୍ୟାନ କରିଥିଲେ। ସେଠାରୁ ଫେରି ଏହି ଟିମ୍ ଉପରେ ସେହି ସବୁ ବିଷୟ ଗୁଡ଼ିକ ଉପରେ ଓଡ଼ିଶା ବିଜେପିରେ ପ୍ରୟୋଗ କରାଯିବାର ଦାୟିତ୍ୱ ରହିଛି। ଯେଉଁ ପ୍ରୟୋଗଶାଳା ଗତ କାଲି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା। ଏଥିରେ କିଛି ସାଂସଦ, ବିଧାୟକ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ରାଜ୍ୟ ବିଜେପିର ଅନ୍ୟାନ୍ୟ ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚା ପ୍ରମୂଖ ଏବଂ ବିଭିନ୍ନ ସାଙ୍ଗଠନିକ ଜିଲ୍ଲା ସଭାପତି ଓ ପ୍ରଭାରୀ ମାନେ ଉପସ୍ଥିତ ଥିଲେ। ଏମାନଙ୍କୁ ଗୁଜୁରାଟରୁ ଟ୍ରେନିଂ ନେଇ ଆସିଥିବା ବିଜେପିର ସାଙ୍ଗଠନିକ ସରଞ୍ଚନା, ସ୍ଥିତି, ବ୍ୟବସ୍ଥା ଏବଂ କାର୍ଯ୍ୟଶୈଳୀ, ନିର୍ବାଚନ ପରିଚାଳନା ଆଦି ବିଷୟ ଉପରେ ଟ୍ରେନିଂ ଦେଇଥିଲେ ଅପରାଜିତା ଷଡ଼ଙ୍ଗୀ। ଏହି ସମୟରେ ସେଠାରେ ଓଡ଼ିଶା ପ୍ରଭାରୀ ଡି. ପୁରେନ୍ଦେଶ୍ୱରୀ, ସହ- ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ଉପସ୍ଥିତ ଥିଲେ।

ଏହାକୁ ନେଇ ଏବେ ଏକ ଭିନ୍ନ ଆଲୋଚନା ଜୋର୍ ଧରିଛି। ରାଜ୍ୟ ବିଜେପିରେ ଏକ ନୂଆ ଆଶା ଓ ଆଶଙ୍କା ପ୍ରକାଶ ପାଉଛି। କାରଣ କେନ୍ଦ୍ର ପାଇଁ ସିନା ଲୋଡ଼ା, କିନ୍ତୁ ଓଡ଼ିଶା ବିଜେପି ପାଇଁ ବୋଧେ ଅଲୋଡ଼ା ହୋଇ ଯାଇଥିଲେ ଅପରାଜିତା ଷଡ଼ଙ୍ଗୀ। କେନ୍ଦ୍ରରେ ସିନା ଅପରାଜିତାଙ୍କୁ ରାଷ୍ଟ୍ରୀୟ ପ୍ରବକ୍ତା ଦାୟିତ୍ୱ ଦିଆଗଲା, କିନ୍ତୁ ରାଜ୍ୟ ବିଜେପି ତାଙ୍କୁ ଅଣଦେଖା କରୁଥିବା ପରି ଅନୁଭବ ହୁଏ। କେବେ କୌଣସି ବି ପ୍ରସଙ୍ଗରେ ରାଜ୍ୟ ବିଜେପିର ସେପରି କୌଣସି ପ୍ରମୂଖ ନେତୃତ୍ୱ ଅପରାଜିତା ଷଡ଼ଙ୍ଗୀଙ୍କ ସମର୍ଥନରେ ବାହାରିବା ଦେଖାଯାଏ ନାହିଁ। ଓଡ଼ିଶା ବିଜେପିର ମଙ୍ଗୁଆଳ ବୋଲାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଅପରାଜିତା ଷଡ଼ଙ୍ଗୀ ଏକ କଣ୍ଟା ବୋଲି ବିବେଚନା କରାଯାଏ। ଉଭୟଙ୍କ ଭିତରେ ଏକ ଶୀତଳ ଯୁଦ୍ଧ ଚାଲିଥିବା କୁହାଯାଏ। ମନ୍ତ୍ରୀଙ୍କୁ ସନ୍ତୁଷ୍ଟ ରଖିବାକୁ ଅନେକ ଅପରାଜିତା ଷଡ଼ଙ୍ଗୀଙ୍କ ସପକ୍ଷରେ ସୋସିଆଲ୍ ମିଡିଆରେ କୌଣସି ପୋଷ୍ଟ କରିବା ଦେଖାଯାଏ ନାହିଁ। ଏପରିକି ଓଡ଼ିଶା ବିଜେପିର ଅଫିସିଆଲ୍ ସୋସିଆଲ୍ ମିଡିଆ ଆକାଉଣ୍ଟରେ ମଧ୍ୟ ଅପରାଜିତା ଷଡ଼ଙ୍ଗୀଙ୍କ ପୋଷ୍ଟ ଦେଖିବାକୁ ମିଳେନି। ରାଜ୍ୟ ବିଜେପିରେ ପଦପଦବୀ ମାଡ଼ି ବସିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ଶକ୍ତିଶାଳୀ ଗୋଷ୍ଠୀଙ୍କ ଇଙ୍ଗିତରେ ଏସବୁ ଘଟେ। ଆଉ ଆଜି ବିଚରା ସେହି ଗୋଷ୍ଠୀକୁ ମଧ୍ୟ ଅପରାଜିତା ଷଡ଼ଙ୍ଗୀଙ୍କ ଠାରୁ ସାଙ୍ଗଠନିକ ଟ୍ରେନିଂ ନେବାକୁ ପଡ଼ିଲା! ଆଗକୁ କ’ଣ ଯେ ହେବ ନେଇ ଭିତରେ ଭିତରେ ଏକ ଆଶଙ୍କା ଏବଂ ମୌନତା ଦେଖାଦେଇଛି।
-@DevDrath