Odiapua.com

ଧର୍ମେନ୍ଦ୍ର ଦେଉଥିଲେ ଟେନ୍ସନ୍ – ହରଦୀପ ଦେଲେ ଖୁସି!

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହେବା ପରଠାରୁ ହିଁ ସାଧାରଣ ଲୋକଙ୍କୁ ଟେନ୍ସନ୍ ଦେଇ ଆସୁଥିଲେ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗରୀବ କଲ୍ୟାଣ ଯୋଜନା ଭିତରେ ଉଜ୍ଜ୍ୱଲା ଯୋଜନା ଲାଗୁ ହୋଇଥିବା କାରଣରୁ ନିଜକୁ ନିଜେ କ୍ରେଡିଟ୍ ଦେଇ ଆସୁଥିଲେ ଧର୍ମେନ୍ଦ୍ର। ଓଡ଼ିଶା ବିଜେପିରେ ଥିବା ଧର୍ମେନ୍ଦ୍ରଙ୍କ ଅନୁଗତ ଚାଟୁକାର ଗୋଷ୍ଠୀ ମଧ୍ୟ ଧର୍ମେନ୍ଦ୍ରଙ୍କୁ ‘ଉଜ୍ଜ୍ୱଲା ମ୍ୟାନ୍’ର ଆଖ୍ୟା ଦେଇ ଖୋସାମତି କରି ପ୍ରଶଂସାରେ ପୋତି ପକାଇ ଦେଉଥିଲେ। କିନ୍ତୁ, ବାସ୍ତବରେ ସାଧାରଣ ଜନତା ଧର୍ମେନ୍ଦ୍ରଙ୍କ ମନ୍ତ୍ରାଳୟ ଯୋଗୁଁ ଅତିଷ୍ଠ ହୋଇଯାଇଥିଲେ। ଉଭୟ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍ ଦର ଦିନକୁ ଦିନ ହୁ’ – ହୁ’ ହୋଇ ବଢ଼ି ଚାଲିଥିଲା। ମୋଦୀ ସରକାରଙ୍କ ସମର୍ଥକ, ଶୁଭେଛୁ ଏପରିକି ନିଜ ଦଳୀୟ ଲୋକେ ଉପରେ କିଛି କହି ପାରୁନଥିଲେ ମଧ୍ୟ ପେଟ୍ରୋଲ୍- ଡିଜେଲ୍ ଏବଂ ଗ୍ୟାସ୍ ଦର ବୃଦ୍ଧି ନେଇ ଅତିଷ୍ଠ ହୋଇ ପଡ଼ିଥିଲେ। ତେବେ, ହରଦୀପ ସିଂ ପୁରୀ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହେବା ପରେ ସାଧାରଣ ଲୋକଙ୍କୁ ବଡ଼ ଆସ୍ୱସ୍ତି ମିଳିଛି। ନିକଟରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳା ମାନଙ୍କୁ ଭେଟି ସ୍ୱରୂପ ମୋଦୀ ସରକାର ଗ୍ୟାସ୍ ଦର ସିଧାସଳଖ ୨୦୦ ଟଙ୍କା କମାଇ ଦେଲେ। ଉଜ୍ଜ୍ୱଲା ଉପଭୋକ୍ତାଙ୍କ କ୍ଷେତ୍ରରେ ତାହା ପୁଣି ୪୦୦ ଟଙ୍କା ହ୍ରାସ ପାଇଲା। ଦୀର୍ଘ ଦିନ ପରେ ଲୋକେ ଆର୍ଥିକ ଦୃଷ୍ଟିକୋଣରୁ ଏକ ବଡ଼ ଲାଭ ପାଇଲେ। ଦୀର୍ଘ ଦିନ ଧରି ସଂପୃକ୍ତ ବିଭାଗ ମନ୍ତ୍ରୀ ଥାଇ ଯାହା ଧର୍ମେନ୍ଦ୍ର ପ୍ରଧାନ କରି ପାରିନଥିଲେ, ଖୁବ୍ ଅଳ୍ପ ଦିନ ମଧ୍ୟରେ ହରଦୀପ ସିଂ ପୁରୀ ତାହା କରି ଦେଖାଇଲେ!ଏବେ ହରଦୀପ ସିଂ ସାଧାରଣ ଜନତାଙ୍କ ପାଇଁ ଆଉ ଏକ ବଡ଼ ଆସ୍ୱସ୍ତି ଆଣିଛନ୍ତି। ପାଖାପାଖି ଗତ ଏକ ମାସ ହେଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହେଉଥିବା ବୃଦ୍ଧି ଯୋଗୁ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହେବ ବୋଲି ଆଶଙ୍କା କରାଯାଉଥିଲା। ତେବେ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଶୁକ୍ରବାର ଦେଶବାସୀଙ୍କୁ ଖୁସି କରିବା ଭଳି ବୟାନ ଦେଇଛନ୍ତି। ହରଦୀପ କହିଛନ୍ତି ଯେ ଦେଶରେ ତୈଳ ଦର ହ୍ରାସ ନହେଲେ ମଧ୍ୟ ବୃଦ୍ଧି ହେବନାହିଁ। ସେ କହିଛନ୍ତି ଯେ ଅଶୋଧିତ ତୈଳର ଦର ବୃଦ୍ଧି ଅଏଲ ମାର୍କେଟିଂ କମ୍ପାନୀ (ଓଏମସି)ଙ୍କ ଲାଗି ପେଟ୍ରୋଲ୍ ଓ ଡିଜେଲ୍ ଉଭୟ ଉପରେ ଅଣ୍ଡର ରିକୋଭରି ରହିଛି। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ କହିଛନ୍ତି ଯେ ଏଥିରେ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ବୃଦ୍ଧିର କୌଣସି ସମ୍ଭାବନା ନାହିଁ। ଦେଶରେ ପାର୍ବଣ ଋତୁ ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ଆଶ୍ୱସ୍ତିଭରା ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଗତ ଏକମାସ ହେଲା କ୍ରୁଡ ଅୟଲ୍ ଦର ବୃଦ୍ଧିରେ ରୋକ ଲାଗୁନାହିଁ ଏବଂ ଏହାର ବ୍ୟାରଲ୍ ପିଛା ଦର ୧୦୦ ଡଲାର ପାଖାପାଖି ପହଞ୍ଚି ଗଲାଣି। ଶୁକ୍ରବାର ଡବ୍ଲୁଟିଆଇ କ୍ରୁଡ ୯୨ ଡଲାର ପ୍ରତି ବ୍ୟାରଲ କାରବାର କରୁଥିବା ବେଳେ ବ୍ରେଣ୍ଟ କ୍ରୁଡ ୯୫ ଡଲାର ସ୍ତରକୁ ପହଞ୍ଚିଛି।କ୍ରୁଡ୍ ଦର ଗତ ୧୩ ମାସର ସର୍ବୋଚ୍ଚ ସ୍ତରକୁ ପହଞ୍ଚିଛି। ଗତ ୩ ମାସରେ (ଜୁଲାଇ- ସେପ୍ଟେମ୍ବର) କ୍ରୁଡ ମୂଲ୍ୟରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଦେଖାଯାଇଛି। ସାଉଦୀ ଆରବ ଓ ଋଷିଆ କ୍ରୁଡ ଅଏଲ୍ ଉତ୍ପାଦନ ଓ ଯୋଗାଣ ହ୍ରାସ କରିବା ଯୋଗୁ ଏପରି ଦରବୃଦ୍ଧି ହେଉଛି। ସୂଚନାଯୋଗ୍ୟ ଯେ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଦାୟିତ୍ବରୁ ହଟି ହରଦୀପ ସିଂ ପୁରୀ ଦାୟିତ୍ୱ ନେବା ପରଠାରୁ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟରେ ସେପରି କୌଣସି ଉଠାପକା ଦେଖାଯାଇ ନାହିଁ। ସେହିପରି ଧର୍ମେନ୍ଦ୍ର ହଟି ହରଦୀପ ଦାୟିତ୍ୱ ନେବା ପରେ ହିଁ ଗ୍ୟାସ୍ ଦରରେ (୨୦୦ – ୪୦୦) ଟଙ୍କା ହ୍ରାସ ପାଇ ସାଧାରଣ ଜନତାଙ୍କୁ ଏକ ବଡ଼ ଆସ୍ୱସ୍ତି ମିଳିଥିଲା।
-/Dev@DRath