Odiapua.com

ଭାରତ ବନ୍ଦ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା କୁମ୍ଭୀର କାନ୍ଦଣା କାନ୍ଦିବା ସହ ବିରୋଧ କରିବା ପାଇଁ ବିରୋଧ କରୁଛି କଂଗ୍ରେସ – ଧର୍ମେନ୍ଦ୍ର ପ୍ରଧାନ

– କଂଗ୍ରେସର ଛଳନାକୁ ଦେଶବାସୀ ବିଶ୍ୱାସ କରିବେନି
– କୌଣସି ରାଜନୈତିକ ପ୍ରସଙ୍ଗ ନଥାଇ କେବଳ ବାଚାଳାମୀ କରୁଛି କଂଗ୍ରେସ
– କଂଗ୍ରେସ ଦେଶକୁ ବହୁତ ପଛକୁ ନେଇଯାଇଛି
– କୃଷି ଆଇନରେ ଅଣାଯାଇଥିବା ସଂସ୍କାର ଦ୍ୱାରା କୃଷିର ବ୍ୟାପକ ବିକାଶ ଓ ଉନ୍ନତି ହେବ
– ଦିନମଜୁରିଆ ଏବଂ ଅସ୍ଥାୟୀ ଶ୍ରମିକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର ଦେଇଛନ୍ତି ମୋଦି ସରକାର
– ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ଦିଆଯିବାର ବ୍ୟବସ୍ଥା ହୋଇଛି

ଭୁବନେଶ୍ୱର, ନଭେମ୍ବର ୨୬ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଚାଷୀ ଏବଂ ଶ୍ରମିକଙ୍କ ପାଇଁ ଅନେକ ପଦକ୍ଷେପ ନେଇଥିବା ବେଳେ ଆଜି ଯେଉଁ ଭାରତ ବନ୍ଦ ଡ଼ାକରା ଦିଆଯାଇଛି ବିଶେଷ ଭାବରେ କଂଗ୍ରେସ ଏଥିପାଇଁ କୁମ୍ଭୀର କାନ୍ଦଣା କାନ୍ଦିବା ସହ ବିରୋଧ କରିବା ପାଇଁ ବିରୋଧ କରୁଛି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଭାରତ ବନ୍ଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରଜାତନ୍ତ୍ରରେ ଏହା ହିଁ ବିଶେଷତା। ସମସ୍ତଙ୍କ ନିଜର ମନ୍ତବ୍ୟ ଓ ଦାବି ଜଣାଇବାର ଅଧିକାର ରହିଛି। ସମ୍ବିଧାନର ଏହା ହିଁ ଉପଲବ୍ଧି। ମୋଦି ସରକାର କୃଷି ଆଇନରେ ଆଣିଥିବା ସଂସ୍କାର ଦ୍ୱାରା କୃଷିର ବ୍ୟାପକ ବିକାଶ ଓ ଉନ୍ନତି ହେବ। ତେବେ ଆଜି ଯେଉଁ ପ୍ରସଙ୍ଗ ଗୁଡ଼ିକୁ ବିରୋଧ କରାଯାଉଛି ଏହି ଛଳନାକୁ ଭାରତର ଲୋକମାନେ ବିଶ୍ୱାସ କରିବେନି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭାରତର ଲୋକମାନେ ସମର୍ଥନ କରୁଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର କୃଷି ସମେତ ଶ୍ରମିକଙ୍କ କଲ୍ୟାଣ ପାଇଁ ଅନେକ ନୀତିରେ ସୁଧାର ଆଣିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଦେଶରେ ଥିବା ଦିନ ମଜୁରିଆ, ଖଟିଖିଆ ଏବଂ ଅସ୍ଥାୟୀ ଶ୍ରମିକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର ମିଳିବାର ଅଧିକାର ଦେବା ସହ ସେମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ଦିଆଯିବାର ବ୍ୟବସ୍ଥା କରିଛନ୍ତି। ଏହାସହ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ଅଧିକାରର ମଧ୍ୟ ଦିଆଯାଇଛି।

ତେବେ ଯେଉଁମାନେ ଦେଶ ଓ ରାଜ୍ୟକୁ ଲମ୍ବା ସମୟ ଧରି ଶାସନ କଲେ ଏବଂ ଦେଶକୁ ପଛକୁ ନେଇଗଲେ ସେମାନଙ୍କ ପାଖରେ କୌଣସି ରାଜନୈତିକ ପ୍ରସଙ୍ଗ ନାହିଁ। ସେମାନେ କେବଳ ବିଷୟକୁ ନବୁଝି ବିରୋଧ ଛଳରେ ବିରୋଧ କରିବା ସହ ବାଚାଳାମୀ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।