Odiapua.com

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପାଇକ ବିଦ୍ରୋହର ସ୍ମାରକି ନିର୍ମାଣ ପାଇଁ ୧୦ ଏକର ପରିମିତ ଜମି ପାଇଁ ସମ୍ମତି ଦେଲେ ରାଜ୍ୟ ସରକାର
ପାଇକ ବିଦ୍ରୋହ ସ୍ମାରକି ନିର୍ମାଣ ଆଉ ଏକ ପାଦ ଆଗକୁ ଯାଇଛି
– ଓଡିଶା ଓ ସାରା ଦେଶର ଯୁବପୀଢିଙ୍କ ପ୍ରେରଣାର ଉତ୍ସ କରିବା ପାଇଁ ଏହି ସ୍ମାରକି ନିର୍ମାଣର ପରିକଳ୍ପନା କରାଯାଇଛି
– ଏହି ସ୍ମାରକି ଖୁବ ଶୀଘ୍ର ସମସ୍ତଙ୍କ ସହଯୋଗରେ ନିର୍ମାଣ ହେବ

ଭୁବନେଶ୍ୱର, ସେପ୍ଟେମ୍ବର ୦୬ (ଓଡ଼ିଆ ପୁଅ) – ପାଇକ ବିଦ୍ରୋହର ସ୍ମାରକି ନିର୍ମାଣ ପାଇଁ ରାଜ୍ୟ ସରକାର ୧୦ ଏକର ପରିମିତ ଜମି ପ୍ରଦାନ କରିବା ପାଇଁ ସମ୍ମତି ପ୍ରଦାନ କରିଥିବାରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାମାଜିକ ଗଣମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ସରକାରଙ୍କ ଏହି ସମ୍ମତି ଫଳରେ ପାଇକ ବିଦ୍ରୋହର ସ୍ମାରକି ନିର୍ମାଣର ପ୍ରସ୍ତୁତି ଆଉ ଗୋଟିଏ ପାଦ ଆଗକୁ ଯାଇଛି ଏବଂ ଏଥିପାଇଁ ଜଣେ ଓଡିଆ ଭାବରେ ସେ ଗର୍ବିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତି ଅବସରରେ କେନ୍ଦ୍ର ସରକାରଙ୍କ ବଜେଟରେ ବିଶେଷ ବ୍ୟବସ୍ଥା କରାଯାଇଛି। ବ୍ରିଟିଶ ଶାସନ ବିରୋଧରେ ଦେଶର ପ୍ରଥମ ସଙ୍ଗଠିତ ସଶସ୍ତ୍ର ସଂଗ୍ରାମ ପାଇକ ବିଦ୍ରୋହ ଓଡିଶା ମାଟିରୁ ହିଁ ହୋଇଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ଅନନ୍ୟ ଇତିହାସକୁ ଆଗାମୀ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଓଡିଶା ଓ ସାରା ଦେଶର ଯବପୀଢିଙ୍କ ପ୍ରେରଣାର ଉତ୍ସ କରିବା ପାଇଁ ଏହି ସ୍ମାରକି ନିର୍ମାଣର ପରିକଳ୍ପନା କରାଯାଇଛି। ଓଡିଆ ଜାତିର ବୀରତ୍ୱ ଓ ସ୍ୱାଭିମାନର ଚିହ୍ନ ରୂପରେ ଏହି ସ୍ମାରକୁ ବରୁଣେଇ ପାହାଡର ପାଦଦେଶରେ ଖୁବଶୀଘ୍ର ସମସ୍ତଙ୍କ ସହଯୋଗରେ ନିର୍ମିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି।