Odiapua.com

ସରକାରୀ ସଂସ୍ଥା ଦ୍ଵାରା ଗତ ବର୍ଷ ତୁଳନାରେ ଏବର୍ଷ ଅଧିକ ଗହମ ସଂଗ୍ରହ – କୋଭିଡ-୧୯ ଯୋଗୁଁ ୧୫ ଦିନ ବିଳମ୍ଭ ହୋଇ ସୁଦ୍ଧା ଗତ ବର୍ଷଠାରୁ ଏବର୍ଷ ଅଧିକ ୨୫ ହଜାର ଟନ ଗହମ ସଂଗ୍ରହ

ନୂଆ ଦିଲ୍ଲୀ ୨୬-୫ (ଓଡ଼ିଆ ପୁଅ) ସରକାରୀ ସଂସ୍ଥା ଦ୍ଵାରା ଚଳିତ ବର୍ଷ ଦେଶରେ ୨୫ ହଜାର ଟନ ଅଧିକ ଗହମ ସଂଗ୍ରହ ହୋଇଛି। ଗତ ୨୪ ତାରିଖ ସୁଦ୍ଧା ଏହା ୩୪୧.୫୬ ଲକ୍ଷ ଟନରେ ପହଞ୍ଚିଛି। କୋଭିଡ-୧୯ ଯୋଗୁଁ ଦେଶବ୍ୟାପୀ ଲକଡାଉନ ହୋଇଥିବା ସତ୍ଵେ ଏଥର ଅଧିକ ଗହମ ସଂଗ୍ରହ ହୋଇଛି। ସାଧାରଣତଃ ପ୍ରତିବର୍ଷ ମାର୍ଚ୍ଚ ଶେଷବେଳକୁ ଗହମ ଅମଳ ହୋଇ ଏପ୍ରିଲ ପ୍ରଥମ ସପ୍ତାହରେ ସଂଗୃହିତ ହୋଇଥାଏ। ତେବେ ଦେଶବ୍ୟାପୀ ଲକଡାଉନ ଯୋଗୁଁ ଏହି କାର୍ଯ୍ୟ ପୁରା ବନ୍ଦ ହୋଇଯାଇଥିଲା। ସେତେବେଳକୁ ଫସଲ ପାଚିବା ସହ ଅମଳ ପାଇଁ ମଧ୍ୟ ସମୟ ହୋଇଯାଇଥିଲା। ଏହାକୁ ଲକ୍ଷ୍ୟ ରଖି ଲକଡାଉନ କାଳରେ ମଧ୍ୟ ଚାଷବାସ କ୍ଷେତ୍ରରେ ସରକାର କିଛିଟା ରିହାତି ଦେଇଥିଲେ। ସେ ଦୃଷ୍ଟିରୁ ଏପ୍ରିଲ ୧୫ରୁ ଅଧିକାଂଶ ରାଜ୍ୟରେ ଗହମ ସଂଗ୍ରହ ଆରମ୍ଭ ହୋଇଥିଲା। କେବଳ ହରିୟାଣାରେ ଏହା ଏପ୍ରିଲ ୨୦ରୁ ଆରମ୍ଭ ହୋଇଥିଲା।

ଏହି ବୈଶ୍ଵିକ ମହାମାରୀ ଯୋଗୁଁ ନିରାପଦ ଭାବେ ସଂଗ୍ରହ କାର୍ଯ୍ୟ ଠିକ ଭାବେ ହୋଇ ନ ପାରିବା ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ମାତ୍ର ଜନ ସଚେତନତା, ସାମାଜିକ ଦୂରତ୍ଵ ଓ ବୈଷୟିକ ଜ୍ଞାନ ଉପଯୋଗ ଭଳି ବହୁମୂଖୀ ଉପାୟ ଅବଲମ୍ବନ ଯୋଗୁଁ ଏହି ଲକ୍ଷ୍ୟ ପୂରଣ କରାଯାଇପାରିଛି। ଗହମ କ୍ରୟ କେନ୍ଦ୍ରର ସଂଖ୍ୟା ବଢାଯିବା ଯୋଗୁଁ ଚାଷୀମାନେ ଘର ପାଖରେ ଏହାର ବିକ୍ରୟ କରିପାରିଥିଲେ। ଗ୍ରାମ ପଞ୍ଚାୟତ ସ୍ତରରେ ସମସ୍ତ ସୁବିଧା ଯୋଗାଇ ଦିଆଯିବା ଯୋଗୁଁ ସବୁଠାରୁ ଅଧିକ ଗହମ ସଂଗ୍ରହ ହେଉଥିବା ପଞ୍ଜାବରେ ଏହା ୧୮୩୬ ରୁ ୩୬୮୧, ହରିୟାଣାରେ ୫୯୯ ରୁ ୧୮୦୦ ଏବଂ ମଧ୍ୟପ୍ରଦେଶରେ ୩୫୪୫ ରୁ ୪୪୯୪ ସରକାରଙ୍କ ଗହମ କ୍ରୟ କେନ୍ଦ୍ରକୁ ବୃଦ୍ଧି କରାଯାଇଥିଲା। ବୈଷୟିକ ଜ୍ଞାନର ଉପଯୋଗ କରାଯିବା ଯୋଗୁଁ ଚାଷୀମାନେ ବିନା ଭିଡରେ ସେମାନଙ୍କ ନିମନ୍ତେ ଉଦ୍ଦିଷ୍ଟ କ୍ରୟ କେନ୍ଦ୍ରକୁ ନିର୍ବିଘ୍ନରେ ଆସିପାରିଥିଲେ। ନିୟମିତ ଭାବେ ବିଶୋଧନ ପ୍ରକ୍ରିୟା ସହ ସାମାଜିକ ଦୂରତ୍ଵ ନିୟମାବଳୀକୁ କଡାକଡି ଭାବେ ପାଳନ କରାଯାଇଥିଲା। ପଞ୍ଜାବରେ ପ୍ରତ୍ୟେକ ଚାଷୀଙ୍କୁ ତାହାର ଉତ୍ପାଦିତ ସାମଗ୍ରୀ ନିର୍ଦ୍ଦିଷ୍ଟ ସ୍ଥାନରେ ରଖିବାକୁ ଜାଗା ଦିଆଯାଇଥିଲା ଓ ସେଠାକୁ ଅନ୍ୟ କାହାରି ପ୍ରବେଶ ଅନୁମତି ନଥିଲା। ପ୍ରତ୍ୟେକ ଦିନ ନିଲାମ ବେଳେ କେବଳ ଏହି ପ୍ରକ୍ରିୟା ସହିତ ସଂଶ୍ଳିଷ୍ଟ ବ୍ୟକ୍ତିମାନେ ସେ ସ୍ଥାନକୁ ଆସିପାରୁଥିଲେ।

ଗହମ ସଂଗ୍ରହ କରୁଥିବା ସଂସ୍ଥାମାନଙ୍କ ପାଇଁ କରୋନା ସଂକ୍ରମଣର ୩ଟି ମୁଖ୍ୟ ସମସ୍ୟା ଥିଲା। ସମସ୍ତ ଝୋଟ କଳ ବନ୍ଦ ହୋଇଯାଇଥିବା ଯୋଗୁଁ ଅଖାର ବହୁଳ ଅଭାବ ପରିଲକ୍ଷିତ ହୋଇଥିଲା। ଏହି ସମସ୍ୟାର ସମାଧାନ ପାଇଁ ଅଧିକ ପ୍ଲାଷ୍ଟିକ ବସ୍ତା ଓ ଉତ୍ତମ ମାନଯୁକ୍ତ ପୁନର୍ବ୍ୟବହାରକ୍ଷମ ଅଖାର ବ୍ୟବହାର କରାଯାଇଥିଲା। ନୀରବଚ୍ଛିନ୍ନ ତଦାରଖ ଓ ସମୟୋଚିତ ପଦକ୍ଷେପ ଯୋଗୁଁ ଗହମ ସଂଗ୍ରହ ଓ ଏହାର ପ୍ୟାକେଜିଙ୍ଗ ନେଇ ଦେଶର କୌଣସି ସ୍ଥାନରେ ଅସୁବିଧା ଦେଖାଦେଇ ନଥିଲା।

ଅଧିକାଂଶ ଗହମ ଉତ୍ପାଦିତ ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଗହମ ନଷ୍ଟ ହେବାର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଥିଲା, ତେବେ ସରକାର ଓ ଭାରତୀୟ ଖାଦ୍ୟ ନିଗମ ଏଥିରେ ତୁରନ୍ତ ହସ୍ତକ୍ଷେପ କରିବା ଯୋଗୁଁ କୌଣସି ସମସ୍ୟା ସୃଷ୍ଟି ହୋଇନଥିଲା।

ତୃତୀୟ ସମସ୍ୟା ଥିଲା ଶ୍ରମିକ ଅଭାବ ଓ ସଂକ୍ରମଣ। ଏହାକୁ ପ୍ରତିହତ କରିବା ପାଇଁ ସ୍ଥାନୀୟ ସ୍ତରରେ ରାଜ୍ୟ ପ୍ରଶାସନ ଦ୍ଵାରା ବିହିତ ପଦକ୍ଷେପ ନିଆଯାଇଥିଲା। ମାସ୍କ ଓ ସାନିଟାଇଜର ସହ ଅନ୍ୟାନ୍ୟ ପ୍ରତିଷେଧକମୂଳକ ବ୍ୟବସ୍ଥା ଯୋଗୁଁ ଶ୍ରମିକ ଯୋଗାଣ ସମସ୍ୟା ଦୂରୀଭୂତ ହୋଇଥିଲା।

ଭାରତ ସରକାର, ଏଫସିଆଇ, ରାଜ୍ୟ ସରକାର ଓ ଏହାର ବିଭିନ୍ନ ସଂସ୍ଥାଗୁଡ଼ିକର ସମନ୍ଵିତ ପଦକ୍ଷେପ ଯୋଗୁଁ ସମସ୍ତ ଗହମ ବଳକା ରାଜ୍ୟରୁ ବିନା ବାଧାରେ ଗହମ ସଂଗ୍ରହ କରାଯାଇଥିଲା। ରାଜ୍ୟୱାରୀ ଗହମ ସଂଗ୍ରହ ନିମ୍ନମତେ –

କ୍ରମିକ ସଂଖ୍ୟା ରାଜ୍ୟର ନାମ ଗହମ ସଂଗ୍ରହ ୨୪.୦୫.୨୦୨୦ ସୁଦ୍ଧା

(ଲକ୍ଷ ମେଟ୍ରିକ ଟନରେ)

୧ ପଞ୍ଜାବ ୧୨୫.୮୪

୨ ମଧ୍ୟପ୍ରଦେଶ ୧୧୩.୩୮

୩ ହରିୟାଣା ୭୦.୬୫

୪ ଉତ୍ତରପ୍ରଦେଶ ୨୦.୩୯

୫ ରାଜସ୍ଥାନ ୧୦.୬୩

୬ ଉତ୍ତରାଖଣ୍ଡ ୦.୩୧

୭ ଗୁଜରାଟ ୦.୨୧

୮ ଚଣ୍ଡୀଗଡ଼ ୦.୧୨

୯ ହିମାଚଳ ପ୍ରଦେଶ ୦.୦୩

TOTAL ୩୪୧.୫୬