Odiapua.com

ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟା ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ଦାବୀ: ଓଡ଼ିଶାର ୧୦ ଜଣ ସାଂସଦଙ୍କୁ ଚିଠି ଲେଖିଲେ ପୂର୍ବତନ ସଙ୍ଗଠନ ସମ୍ପାଦକ

ଭୁବନେଶ୍ୱର: ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟା ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ସାଂସଦ ମାନଙ୍କୁ ପତ୍ର ଲେଖିଛନ୍ତି ଓଡ଼ିଶା ବିଜେପିର ପୂର୍ବତନ ସଙ୍ଗଠନ ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ ରାଉତ। ଓଡ଼ିଶା ବିଜେପିର ୧୦ ଜଣ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ଉଦ୍ଦେଶ୍ୟରେ ପଞ୍ଚାନନ ରାଉତ ତାଙ୍କ ପତ୍ରରେ ଲେଖିଛନ୍ତି, ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଜନ୍ମାଷ୍ଟମୀ ଦିବସରେ ଜଳେଶପଟ୍ଟା ଆଶ୍ରମ (ତୁମୁଡିବନ୍ଧ, କନ୍ଧମାଳ) ଠାରେ ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଓ ତାଙ୍କର ଚାରିଜଣ ଶିଷ୍ୟଙ୍କୁ ଜଳେଶପଟ୍ଟା ଆଶ୍ରମ ପରିବେଶରେ ହତ୍ୟା କରାଯାଇଥିଲା। ହତ୍ୟା ମୋକଦ୍ଦମାରେ ପ୍ରକୃତ ହତ୍ୟାକରୀ ଓ ହତ୍ୟାରେ ସମ୍ପୃକ୍ତ ଦୋଷୀଙ୍କୁ ଏ’ପର୍ଯ୍ୟନ୍ତ ଲୋକଲୋଚନକୁ ଅଣାଯାଇ ନାହିଁ। ଏଣୁ ମୁଁ ବିଶେଷ କରି ଓଡ଼ିଶା ବିଜେପିର ୧୦ ଜଣ ସାଂସଦଙ୍କୁ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ଓ ସଂପୃକ୍ତ ଦୋଷୀଙ୍କୁ ଧରିବା ପାଇଁ ସିବିଆଇ ତଦନ୍ତ ନିମନ୍ତେ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରୁଛି। ପ୍ରକୃତ ସତ୍ୟ ଉନ୍ମୋଚନ ହୋଇପାରିଲେ ସ୍ଵାମୀଜୀ ଓ ତାଙ୍କର ଅନୁଗାମୀ ଚାରିଗଣ ସାଧୁଙ୍କ ଆତ୍ମା ନ୍ୟାୟ ପାଇବେ ବୋଲି ସାଧାରଣରେ ବିଶ୍ବାସ କରାଯାଏ। ଆଶାକରେ ମାନ୍ୟବର ସାଂସଦମାନେ ଘଟଣାକୁ ଭୁଲି ନଥିବେ। ମୋର ନିବେଦନ ଆପଣମାନେ ସ୍ବାମୀଜୀଙ୍କ ହତ୍ୟା ସମ୍ପର୍କରେ ସଦନରେ ଅଭିଯୋଗ ଉପସ୍ଥାପନ କରିପାରିଲେ ଘଟଣାର ଦୋଷୀ ଲୋକଲୋଚନକୁ ଆସିପାରିବ ଓ ସତ୍ୟର ପ୍ରତିଷ୍ଠା ହେବା ସହିତ ନ୍ୟାୟ ମିଳିପାରିବ।
-@Dr