Odiapua.com

ମଦ ପିଇବାର ସର୍ବନିମ୍ନ ବୟସସୀମା ୪ ବର୍ଷ କମେଇଦେଲେ ଏହି ସରକାର – ଜାଣନ୍ତୁ କେଉଁ ରାଜ୍ୟରେ କେତେ ବୟସରେ କରିପାରିବେ ମଦ୍ୟପାନ

ନୂଆଦିଲ୍ଲୀ ୨୨-୩ (ଓଡ଼ିଆ ପୁଅ) ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଘୋଷଣା କରିଛନ୍ତି ଯେ, ମଦ ପିଇବା ବୟସ ୨୫ ବର୍ଷରୁ ୨୧ ବର୍ଷକୁ ହ୍ରାସ କରାଯାଇଛି। ସୋମବାର କ୍ୟାବିନେଟ୍ ଏହି ନୂତନ ଏକ୍ସାଇଜ୍ ନୀତି ଅନୁମୋଦନ କରିଛି। ନୂତନ ନୀତି ଅନୁଯାୟୀ ଦିଲ୍ଲୀରେ କୌଣସି ନୂତନ ମଦ ଦୋକାନ ଖୋଲାଯିବ ନାହିଁ ଏବଂ ସରକାର କୌଣସି ମଦ ଦୋକାନ ଚଳାଇବେ ନାହିଁ।

ଏହି ରାଜ୍ୟଗୁଡିକରେ ମଦ୍ୟପାନ ନିଷେଧ:
ବିହାର, ଗୁଜୁରାଟ, ନାଗାଲାଣ୍ଡ, ଲକ୍ଷ୍ମୀଦୀପ ଏବଂ ମିଜୋରାମରେ ମଦ୍ୟପାନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିଛି। ମଣିପୁରର କେତେକ ଜିଲ୍ଲାରେ ମଦ୍ୟପାନ ଉପରେ ମଧ୍ୟ ଆଂଶିକ ନିଷେଧାଦେଶ ରହିଛି।

ମଦ ପାଇଁ ବୟସ ସୀମା ୨୫ ବର୍ଷ:
ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ମହାରାଷ୍ଟ୍ରରେ (ପୂର୍ବରୁ ଦିଲ୍ଲୀ ମଧ୍ୟ ଏହି ବର୍ଗରେ ପଡୁଥିଲା) ୨୫ ବର୍ଷରୁ କମ୍ ବୟସର ଲୋକଙ୍କ ପାଇଁ ମଦ୍ୟପାନ କରିବାକୁ ଅନୁମତି ନାହିଁ। ତେବେ ମହାରାଷ୍ଟ୍ରରେ ୨୧ କିମ୍ବା ତଦୁର୍ଦ୍ଧ୍ୱ ଲୋକ ହାଲୁକା ବିୟର ପାନ କରିପାରିବେ।

୨୩ ବର୍ଷ: କେରଳରେ ୨୦୧୭ ପୂର୍ବରୁ ସର୍ବନିମ୍ନ ପାନୀୟ ବୟସ ୨୧ ବର୍ଷ ଥିଲା, ଯାହା ପରେ ୨୩ ବର୍ଷକୁ ବୃଦ୍ଧି କରାଯାଇଥିଲା।

୧୮ ବର୍ଷ: ରାଜସ୍ଥାନ, ହିମାଚଳ ପ୍ରଦେଶ, ଗୋଆ, ପୁଡୁଚେରୀ, ସିକ୍କିମ୍, ଲଦାଖ ଏବଂ ଜାମ୍ମୁ କାଶ୍ମୀରର ଲୋକମାନେ ୧୮ ବର୍ଷ ବୟସରୁ ମଦ୍ୟପାନ କରିପାରିବେ।

୨୧ ବର୍ଷ: ଓଡ଼ିଶା ସମେତ ଅନ୍ୟ ରାଜ୍ୟଗୁଡିକରେ, ମଦ୍ୟପାନ ପାଇଁ ସର୍ବନିମ୍ନ ବୟସ ସୀମା ୨୧ ବର୍ଷ ସ୍ଥିର କରାଯାଇଛି।