ଭୁବନେଶ୍ୱର, ୯।୬ (ଓଡ଼ିଆ ପୁଅ) ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏଥିସହିତ ଏକ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ଉପର ସ୍ତରରେ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ କରିଛି। ମୌସୁମୀ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ତେଲେଙ୍ଗାନାର କିଛି ଅଂଶ ଏବଂ ଆନ୍ଧ୍ର ଉପକୂଳକୁ ପ୍ରବେଶ କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଉତ୍ତର ପୂର୍ବ ରାଜ୍ୟ ସିକିମ୍, ଓଡ଼ିଶାର କିଛି ଅଞ୍ଚଳ ଓ ପଶ୍ଚିମବଙ୍ଗର ଗାଙ୍ଗେୟ ସମତଳ ଅଞ୍ଚଳରେ ପ୍ରବେଶ କରିବ। ମୌସୁମୀ ପ୍ରବେଶ କରୁଥିବାରୁ ଆସନ୍ତା ୫ ଦିନ ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବର୍ଷା ପୂର୍ବାନୁମାନ କରାଯାଇଛି।
ଆଗାମୀ ୩ଦିନ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ। ଆସନ୍ତା ୪୮ଘଣ୍ଟା ମଧ୍ୟରେ ଘନୀଭୂତ ହେବା ସହ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଏବଂ ଏହା ପ୍ରଭାବରେ ଓଡ଼ିଶାର ଗଂଜାମ ଗଜପତି ପୁରୀ କନ୍ଧମାଳ କଳାହାଣ୍ଡିରେ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ କୋରାପୁଟ, ମାଲକାନଗିରି, ରାୟଗଡା ଜିଲ୍ଲାରେ ୧୦ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ସୂଚନା ଦେଇଛି।
ଲଘୁଚାପର ରୂପ ନେଉଛି ବଙ୍ଗୋପସାଗରରେ ସୃଷ୍ଟ ସାଇକ୍ଲୋନିକ ସର୍କୁଲେସନ୍। ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ବୋଲା ସତର୍କ କରାଇଛି ପାଣିପାଗ ବିଭାଗ। ଏ ନେଇ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।
ଲଘୁଚାପ ଏବଂ ମୌସୁମୀ କାରଣରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ଅନୁଗୋଳ, କଟକ, ଜଗତ୍ସିଂହପୁର, ଖୋର୍ଦ୍ଧା, ପୁରୀ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ ଏବଂ ଗଞ୍ଜାମ ଜିଲାର କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।।
ଏହାଛଡ଼ା ଗଞ୍ଜାମ, ଗଜପତି, କୋରାପୁଟ ଏବଂ ମୟୁରଭଞ୍ଜ ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ପାଣିପାଗ ବିଭାଗ ତରଫରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି।
ଆସନ୍ତା କାଲି ଅର୍ଥାତ୍ ୧୦ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, କଳାହାଣ୍ଡି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।
୧୧ ତାରିଖରେ କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏ ନେଇ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି।
ବର୍ଷା ସହ ଘଣ୍ଟାକୁ ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟାରେ ଏହା ଲଘୁଚାପର ରୂପ ନେବ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ। ଏହା ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ବର୍ଷା। ଖାସ୍ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଉପକୂଳବର୍ତ୍ତୀ ଜିଲ୍ଲା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବି ବର୍ଷା ହେବ।
କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା ଓ ପୁରୀରେ ପ୍ରବଳ ବର୍ଷାର ଅନୁମାନ କରିଛି ପାଣିପାଗ କେନ୍ଦ୍ର। ସେହିପରି ଆସନ୍ତା ୧୧ କିମ୍ବା ୧୨ ତାରିଖରେ ଓଡ଼ିଶା ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହିବା ପାଇଁ ଜାରି ହୋଇଛି ଆଡଭାଇଜରୀ। ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ କୁହାଯାଇଛି।
ଆସନ୍ତା ୨ ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ କେନ୍ଦ୍ରୀୟ ଆରବ ସାଗର, ଗୋଆ, କୋଙ୍କଣର କିଛି ଅଂଶ, କର୍ଣ୍ଣାଟକର କେତେକ ଅଞ୍ଚଳ, ରଏଲସୀମା, ତାମିଲନାଡ଼ୁର କିଛି ଅଂଶ, ଆନ୍ଧ୍ର ଉପକୂଳର କିଛି ଅଂଶ, କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରର କେତେକ ଅଂଶ ଓ ଉତ୍ତର ପୂର୍ବ ରାଜ୍ୟର କେତେକ ଅଞ୍ଚଳରେ ମୌସୁମୀ ପ୍ରବେଶ କରିବ। ତା’ ପରବର୍ତ୍ତୀ ଦୁଇଦିନ ଭିତରେ ଓଡ଼ିଶାର କେତେକ ଅଞ୍ଚଳ ସମେତ ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ର ଉପକୂଳର କିଛି ଅଞ୍ଚଳ, ଉତ୍ତର ପୂର୍ବ ରାଜ୍ୟ, ସିକିମ, ଗାଙ୍ଗେୟ ପଶ୍ଚିମବଙ୍ଗ ଛୁଇଁବ ମୌସୁମୀ।
ଆଜି ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି। ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ଜାଗା ସହ କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡିରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ଆଶଙ୍କା ଅଛି। ଗଞ୍ଜାମ, ପୁରୀ, ଗଜପତି ଓ ଖୋର୍ଦ୍ଧାରେ ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ।