Odiapua.com

ବାତ୍ୟା ରୂପ ନେଲା ଅମ୍ଫାନ – ଜାଣନ୍ତୁ ତାଜା ସ୍ଥିତି

ଭୁବନେଶ୍ୱର ୧୬-୫ (ଓଡ଼ିଆ ପୁଅ) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତରୁ ବାତ୍ୟାର ରୂପ ନେଇଛି। ଏହି ବାତ୍ୟାର ନାମକରଣ ଅମ୍ଫାନ ନାମରେ ନାମିତ କରାଯାଇଛି। ବର୍ତ୍ତମାନ ଏହା ପାରାଦୀପର ଦକ୍ଷିଣରେ ୧୦୪୦ କିମି ଦୂରରେ ରହିଛି ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ଦିଘାର ଦକ୍ଷିଣ ଦକ୍ଷିଣପଶ୍ଚିମରେ ୧୨୦୦ କିମି ଦୂରରେ ରହିଛି ଅମ୍ଫାନ୍। ୧୭ ତାରିଖ ସକାଳ ୬ଟା ବେଳେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଅର୍ଥାତ୍ ଭୀଷଣ ବାତ୍ୟାର ରୂପ ନେବ। ୧୭-୧୮ ତାରିଖ ମଧ୍ୟ ରାତ୍ରୀରେ ଅମ୍ପାନ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ (VSCS) ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ୧୯ ତାରିଖ ଦିନ ଅତ୍ୟଧିକ ଭୀଷଣ ବାତ୍ୟାରେ ପରିଣତ ହେବ। ଏହାପରେ ୨୦ ତାରିଖ ଦିନ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବ।

ପ୍ରଥମେ ଏହା ଆସନ୍ତାକାଲି ପର୍ଯ୍ୟନ୍ତ ଉତ୍ତର ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବ ଏହା ପରେ ଦିଗ ପରିବର୍ତ୍ତନ କରିବ ଏବଂ ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତିଗରିବ। ବର୍ତ୍ତମାନ ଏହି ବାତ୍ୟା ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି।

ଓଡ଼ିଶାରେ ଏହାର ପ୍ରଭାବ
ଅମ୍ଫାନ୍ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୧୮ରୁ ୨୦ ଯାଏଁ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ବାତ୍ୟା ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବ ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରାଯାଉଛି।