Odiapua.com

ଆଲ ସଖି ଆପଣା ମହତ ଆପେ ରଖି; ଚକାଆଖି ସବୁ ଦେଖୁଛି ..

ଭୁବନେଶ୍ୱର: ରଥଯାତ୍ରା ହେଲା। ବଡ଼ ଦାଣ୍ଡରେ ଗଡ଼ିଲା ତିନି ରଥ। ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ଅନୁଯାୟୀ କିଛି କଟକଣା ଭିତରେ ଆୟୋଜିତ ହେଲା ରଥଯାତ୍ରା। ସୁପ୍ରିମକୋର୍ଟର ଯେଉଁ ତିନି ଜଣିଆ ଖଣ୍ଡପୀଠ ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ଶୁଣାଇଥିଲେ, ପୁନଃବିଚାର କରି ସେହି ତିନି ଜଣିଆ ଖଣ୍ଡପୀଠ ହିଁ ରଥଯାତ୍ରା ହେବା ପାଇଁ ନିଷ୍ପତ୍ତି ଶୁଣାଇଲେ। ସବୁ ସେହି କାଳିଆର ଲୀଳା। ଏହା ସବୁ ମହାପ୍ରଭୁଙ୍କ ଲୀଳା କୁହାଯାଉ ଥିଲେ ମଧ୍ୟ ବାସ୍ତବରେ ଭକ୍ତ ମାନଙ୍କର ଭାବାବେଗ ଆଗରେ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମୁଣ୍ଡ ନୁଆଁଇଲେ। ଯେଉଁ ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନ ସତ୍ୟପାଠ ଦାଖଲ କରାଯାଇଥିଲା, ପରବର୍ତ୍ତୀ ସମୟରେ ତାହା ବଦଳିଗଲା। ଯେଉଁ କେନ୍ଦ୍ର ସରକାର ରିସ୍କ ନେବାକୁ ଚାହୁଁ ନଥିଲେ ସେ ମଧ୍ୟ ବଦଳିଗଲେ। ଭକ୍ତ ମାନଙ୍କର ଭାବାବେଗକୁ ବୁଝିପାରି ଏବଂ ଆଗାମୀ ଦିନରେ ଦୋଷ ମୁଣ୍ଡ ଉପରକୁ ନଯାଉ ଭୟରେ ହୁଏତ ଏମାନେ ବଦଳିଗଲେ।

କରୋନା ଆତଙ୍କ କାରଣରୁ ଚଳିତ ବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁନର୍ବିଚାର ପାଇଁ ୧୬ରୁ ଅଧିକ ପିଟିସନ ଦାୟର ହୋଇଥିଲା। ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଙ୍ଗଠନ ପକ୍ଷରୁ ପୁନର୍ବିଚାର ଓ ମୋଡିଫିକେସନ୍ ପାଇଁ ରିଭ୍ୟୁ ପିଟିସନ୍ ଦାଖଲ କରାଯାଇଥିଲା। ଭକ୍ତ ମାନଙ୍କ ପ୍ରବଳ ଦାବୀ ଏବଂ ଭାବାବେଗକୁ ହୃଦୟଙ୍ଗମ କରି ପୁରୀ ଗଜପତି ମହାରାଜାଙ୍କ ଅନୁରୋଧ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇ ଥିଲା। ବିନା ଭକ୍ତରେ ଏବଂ କେବଳ ପୁରୀରେ ରଥଯାତ୍ରା କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ରଥଯାତ୍ରା କରିବା ସପକ୍ଷରେ ମତ ରଖାଯାଇଥିଲା। ଏହାର ଶୁଣାଣି କରି କିଛି କଟକଣା ଭିତରେ ଚଳିତ ବର୍ଷ ରଥଯାତ୍ରା ହେବ ବୋଲି ମାନ୍ୟବର ସୁପ୍ରିମକୋର୍ଟ ତାଙ୍କ ଚୂଡ଼ାନ୍ତ ରାୟରେ ଶୁଣାଇଲେ। ସବୁ କାଳିଆର ଲୀଳା ହୋଇଥିବା ବେଳେ ଭକ୍ତ ମାନଙ୍କର ଭାବାବେଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଏଥିପାଇଁ କେହି ସୁପ୍ରିମକୋର୍ଟଙ୍କ ସମେତ ଗଜପତି ମହାରାଜ, ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରତି କୃତଜ୍ଞତା ଜଣାଉଥିବା ବେଳେ କେତେକ ସ୍ତରରେ ନବୀନ ସରକାରଙ୍କ ପ୍ରାଥମିକ ପଦକ୍ଷେପକୁ ନେଇ ସମାଲୋଚନା କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ରଥଯାତ୍ରା ହୋଇପାରିବା ନେଇ ରାଜ୍ୟ ସରକାରଙ୍କୁ ଶ୍ରେୟ ଦିଆଯାଉଛି।

ତେବେ, ତୃଣମୂଳ ସ୍ତରର ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ପକ୍ଷରୁ ମାନ୍ୟବର ସୁପ୍ରିମକୋର୍ଟ, ଜଗତଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜଙ୍କୁ ଶ୍ରେୟ ଦିଆ ଯାଉଥିବା ବେଳେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବଂ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ପ୍ରଶଂସା କରାଯାଉଛି। ପୁରୀ ସାଂସଦ ପିନାକୀ ମିଶ୍ର ଏ’ନେଇ ନୀରବତା ଅବଲମ୍ବନ କରିଥିବା ବେଳେ ବିଳମ୍ବରେ ହେଲେ ମଧ୍ୟ ସମ୍ବିତ ପାତ୍ର ସୁପ୍ରିମକୋର୍ଟରେ ରଥଯାତ୍ରା ହେବା ସପକ୍ଷରେ ରିଭ୍ୟୁ ପିଟିସନ ଦାଖଲ କରିଥିଲେ। ସେହିପରି ଓଡ଼ିଶା ବିଜେପିର ବୋଧହୁଏ ଏକମାତ୍ର ନେତା ପୃଥ୍ଵୀରାଜ ହରିଚନ୍ଦନ ଆରମ୍ଭରୁ ରଥଯାତ୍ରା ହେବା ସପକ୍ଷରେ ଦାବୀ ଉପସ୍ଥାପନ କରି ଆସୁଥିଲେ। ଯେତେବେଳେ କି କଥା କଥାକେ ସୋସିଆଲ୍ ମିଡିଆରେ ପୋଷ୍ଟ କରୁଥିବା ଏବଂ ମିଡିଆକୁ ଷ୍ଟେଟମେଣ୍ଟ ଦେଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଓଡ଼ିଶା ବିଜେପିର କୁହାଳିଆ ନେତାନେତ୍ରୀ ମାନଙ୍କର ମୁହଁ ବନ୍ଦ୍ ଥିଲା। ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ରାୟ ଦେବା ପରେ ଅବିଳମ୍ବେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସବୁ ପ୍ରଭୁଙ୍କ ଇଛା କହି ରାୟକୁ ସ୍ୱାଗତ କରିଥିଲେ। ଏହାପରେ ଆଉ କୁଆଡ଼ୁ ନୁହେଁ, ନିଜ ଦଳରେ ତୃଣମୂଳ ସ୍ତରରୁ ସମୀର ମହାନ୍ତିଙ୍କୁ ତୀବ୍ର ସମାଲୋଚନା କରାଯାଇ ଥିଲା। ସେଥିପାଇଁ ରଥଯାତ୍ରା ସପକ୍ଷରେ ରାୟ ଆସିବା ପରେ ବିଜେପିର ତୃଣମୂଳ ସ୍ତରରୁ ମାନ୍ୟବର ସୁପ୍ରିମକୋର୍ଟ, ଗଜପତି ମହାରାଜ, ଶଙ୍କରାଚାର୍ଯ୍ୟ, ମୋଦୀ ଏବଂ ଶାହାଙ୍କୁ ଧନ୍ୟବାଦ ଦିଆଯାଉ ଥିବା ବେଳେ ସମ୍ବିତ ପାତ୍ର ଏବଂ ପୃଥ୍ଵୀରାଜଙ୍କୁ ପ୍ରଶଂସା କରାଯାଉଛି। ଯେତେବେଳେ କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ କଟାକ୍ଷ କରାଯାଉଛି। କିନ୍ତୁ ଅଭ୍ୟାସଗତ ଭାବରେ ଚାପୁଲୁସି କରୁଥିବା ଚାଟୁକାର ନେତାନେତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶ୍ରେୟ ଦେବାରେ ଲାଗିଛନ୍ତି। ଯାହାକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ବାସ୍ତବରେ ଲୋକହସା ହେଉଛନ୍ତି।

ଭକ୍ତ ମାନଙ୍କର ପ୍ରବଳ ଦାବୀ ଏବଂ ଆବେଗକୁ ହୃଦୟଙ୍ଗମ କରିପାରି ହୁଏତ ପ୍ରଧାନମନ୍ତ୍ରୀ ମୋଦୀ ରଥଯାତ୍ରା ହେବା ପାଇଁ ପ୍ରୟାସ କରିଛନ୍ତି। ମୋଦିଙ୍କ ନିର୍ଦ୍ଦେଶ କ୍ରମେ ଗୃହମନ୍ତ୍ରୀ ଅମିତ ଶାହା ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏବଂ ପୁରୀ ଗଜପତି ମହାରାଜଙ୍କ ସହିତ ଆଲୋଚନା କରିଥିଲେ। କିନ୍ତୁ, ରଥଯାତ୍ରା ହେବା କି ନହେବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଦୌ ପାଟି ଫିଟାଇ ନଥିଲେ, କି କଥା କଥାରେ ଚିଠି ଲେଖୁଥିବା, ସୋସିଆଲ୍ ମିଡିଆରେ ପୋଷ୍ଟ କରୁଥିବା କିମ୍ବା ମିଡିଆ ଷ୍ଟେଟମେଣ୍ଟ ଦେଉଥିବା ଧର୍ମେନ୍ଦ୍ର ରଥଯାତ୍ରା ହେବା ନେଇ କାହାକୁ କୌଣସି ଚିଠି ଲେଖିନଥିଲେ କି ସୋସିଆଲ୍ ମିଡିଆରେ ପୋଷ୍ଟ କରିନଥିଲେ କିମ୍ବା ମିଡିଆ ଷ୍ଟେଟମେଣ୍ଟ ଦେଇନଥିଲେ। ଆଉ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ରଥଯାତ୍ରା ହେବା ନେଇ କୌଣସି ପ୍ରୟାସ ନକରି ପ୍ରଭୁଙ୍କ ଇଛା କହି ରଥଯାତ୍ରା ବନ୍ଦ୍ ହେବା ନିଷ୍ପତ୍ତିକୁ ଅବିଳମ୍ବେ ମାନି ନେଇଥିଲେ। ରଥଯାତ୍ରା ହେବା ପାଇଁ ରାୟ ପ୍ରକାଶ ପାଇବା ପରେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଲେଖିଥିଲେ, “ସାଢ଼େ ୪ କୋଟି ଓଡ଼ିଆ ଏବଂ ସାରା ବିଶ୍ୱରେ କୋଟି କୋଟି ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେଇଥିବାରୁ ମାନ୍ୟବର ସୁପ୍ରିମକୋର୍ଟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କୃତଜ୍ଞତା ଜଣାଉଛି। ରଥଯାତ୍ରା ପାଇଁ ଗଜପତି ମହାରାଜା ଓ ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ରାଜ୍ୟ ସରକାର, ଛତିଶା ନିଯୋଗ, ସେବାୟତ, ଏବଂ ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କ ଉଦ୍ୟମ ଓ ପ୍ରାର୍ଥନା ପାଇଁ ଧନ୍ୟବାଦ”। ଧର୍ମେନ୍ଦ୍ର ପ୍ରଧାନ ହୁଏତ ଠିକ୍ ଲେଖିଛନ୍ତି। କିନ୍ତୁ, ଓଡ଼ିଶା ବିଜେପିର କିଛି ଚାଟୁକାର ନେତାନେତ୍ରୀ ରଥଯାତ୍ରା ହେବା ନେଇ ମୋଦୀ ଏବଂ ଶାହାଙ୍କ ସମେତ ଟାଣିଓଟାରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶ୍ରେୟ ଦେଉଛନ୍ତି। ଯାହାକୁ ନେଇ ନିଜ ଦଳ ଭିତରୁ ହିଁ କଟାକ୍ଷ ଏବଂ ତୀବ୍ର ସମାଲୋଚନା କରାଯାଉଛି। ବାସ୍ତବରେ ଏହି ଚାଟୁକାର ମାନଙ୍କ ଅତ୍ୟଧିକ ତଥା ଅନାବଶ୍ୟକ ଚାଟୁକାରୀ ଯୋଗୁଁ ସାଧାରଣରେ ଏମାନେ ନିଜକୁ ନିଜେ ଅପଦସ୍ତ କରିବା ସହ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଧିକ ଅପଦସ୍ତ କରୁଛନ୍ତି। ରାଜ୍ୟବାସୀ ଜାଣିଛନ୍ତି, ରଥଯାତ୍ରା ବନ୍ଦ୍ ହେବା ନିଷ୍ପତ୍ତି ପାଇଁ କେଉଁମାନେ ସବୁ ଦାୟୀ ଥିଲେ, କେଉଁମାନେ ସବୁ ମୌନ ଥିଲେ ଆଉ ରଥଯାତ୍ରା ହେବା ନେଇ କିଏ ସବୁ ପ୍ରୟାସ କରିଥିଲେ। ବାସ୍ତବରେ ସମସ୍ତ ଶ୍ରେୟ କେବଳ ଭକ୍ତ ମାନଙ୍କର ଏବଂ ହୁଏତ ଏ’ସବୁ ମହାପ୍ରଭୁଙ୍କ ଲୀଳା ଥିଲା। କିନ୍ତୁ, ଅଯଥା ଶ୍ରେୟ ନେବାକୁ ଚେଷ୍ଟା କରୁଥିବା ବା କାହାକୁ ଶ୍ରେୟ ଦେବାକୁ ଚେଷ୍ଟା କରୁଥିବା ଚାଟୁକାର ମାନେ ବୁଝିବା ଦରକାର, ଆଲ ସଖି ଆପଣା ମହତ ଆପେ ରଖି; ଚକାଆଖି ସବୁ ଦେଖୁଛି। /-ଦେବଦତ୍ତ ରଥ