Odiapua.com

ଆନ୍ତର୍ଜାତିକ ଯୋଗ ଦିବସ ୨୦୨୧ ପାଇଁ ‘ନମସ୍ତେ ଯୋଗ’ ଆପ୍ ଉନ୍ମୋଚିତ

ନୂଆଦିଲ୍ଲୀ, ୧୨/୬: (ଓଡ଼ିଆ ପୁଅ) ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଅନଲାଇନ ଅନାବରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି, ଯେଉଁଥିରେ ବିଖ୍ୟାତ ଯୋଗଗୁରୁ ଏବଂ ଅଭିଜ୍ଞସମ୍ପନ୍ନ ଯୋଗ ପ୍ରତିନିଧି ମଣ୍ଡଳୀ ଓ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଭର୍ଚୁଆଲ ପ୍ଲାଟଫର୍ମରେ ଉଭୟ ବ୍ୟକ୍ତିଗତ ଏବଂ ମାନବଜାତିର ହିତ ପାଇଁ ଯୋଗକୁ ଦୈନନ୍ଦିନ ଜୀବନରେ ସାମିଲ ନିମନ୍ତେ ବିଶ୍ୱ ସମୁଦାୟକୁ ଅପିଲ କରିଥିଲେ। ଏହି ଅବସରରେ ଯୋଗ ପାଇଁ ଏକ ମୋବାଇଲ ଆପ୍ଲିକେସନ ‘ନମସ୍ତେ ଯୋଗ’ ଉନ୍ମୋଚନ କରାଯାଇଥିଲା।

ମୋରାରଜି ଦେଶାଇ ରାଷ୍ଟ୍ରୀୟ ଯୋଗ ସଂସ୍ଥାନ (ଏମ୍ଡିଏନ୍ଆଇୱାଇ)ର ସହଯୋଗରେ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି ଏକ ଘଣ୍ଟାବ୍ୟାପୀ କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡ଼େକର ଓ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ) ଶ୍ରୀ କିରେନ ରିଜିଜୁ ଆଇଡିୱାଇ ୨୦୨୧ର କେନ୍ଦ୍ରୀୟ ବିଷୟବସ୍ତୁ ‘ଯୋଗ ସହିତ ରୁହ, ଘରେ ରୁହ’ର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ, ଯେବେ କି ଆଧ୍ୟାତ୍ମିକ ନେତା ଓ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଯୋଗଗୁରୁ ଶ୍ରୀ ଶ୍ରୀ ରବିଶଙ୍କର, ସଦଗୁରୁ ଜାଗି ବାସୁଦେବ, ସିଷ୍ଟର ଶିବାନୀ ଏବଂ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଦୈନନ୍ଦିନ ଜୀବନ ଏବଂ କୋଭିଡ ସଂକ୍ରାନ୍ତ ଆବଶ୍ୟକତା ଓ ଆଧ୍ୟାତ୍ମିକ ପରିମାପ ଭଳି ଯୋଗର ବିଭିନ୍ନ ଅନନ୍ୟ ତଥା ବ୍ୟାପକ ବୈଶିଷ୍ଟ୍ୟ ବାବଦରେ ଗୁରୁତ୍ୱାରୋପ କରିଥିଲେ। ଆହୁରି ଅନେକ ପ୍ରଖ୍ୟାତ ବ୍ୟକ୍ତିତ୍ୱ ନିଜର ଅନ୍ତର୍ଦୁଷ୍ଟିପୂର୍ଣ୍ଣ ବାର୍ତ୍ତା ଦ୍ୱାରା ଏହି କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ।

ଏହି ଅବସରରେ ଶ୍ରୀ ପ୍ରକାଶ ଜାଭଡ଼େକର କହିଥିଲେ, ଯୋଗ ହେଉଛି ସୁସ୍ଥ ଓ ସୁଖୀ ଜୀବନର ଏକ ମାର୍ଗ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସକ୍ରିୟ ନେତୃତ୍ୱାଧୀନ ସରକାର ସମାଜର ସବୁ ବର୍ଗଙ୍କ ମଧ୍ୟରେ ଯୋଗକୁ ପ୍ରୋତ୍ସାହିତ କରିବା ଲାଗି ପ୍ରୟାସ ଚଳାଇଛନ୍ତି।

ଆୟୁଷ ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ଆଇଡିୱାଇ ୨୦୨୧ ପ୍ରସଙ୍ଗରେ ଦୂରଦର୍ଶନରେ ୧୦ ଦିନିଆ ସିରିଜ ସଂକ୍ରାନ୍ତରେ ସୂଚନା ଦେଇ କହିଥିଲେ ଯେ ଏହି ସିରିଜର ପ୍ରମୁଖ ବାର୍ତ୍ତା ହେଉଛି: ‘ଯୋଗ ସହିତ ରୁହ ଘରେ ରୁହ’, ଯାହା କି ବର୍ତ୍ତମାନର ଜରୁରି ସ୍ୱାସ୍ଥ୍ୟ ପରିସ୍ଥିତିରେ ବେଶ୍ ପ୍ରାସଙ୍ଗିକ। ସ୍ୱାସ୍ଥ୍ୟ ସମ୍ବର୍ଦ୍ଧନ ଓ ରୋଗର ପରିଚାଳନା ତଥା ପ୍ରତିକାରରେ ଯୋଗର ପ୍ରଭାବ ଭଲ ବୋଲି ସ୍ପଷ୍ଟ ହୋଇସାରିଛି। ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ଏବଂ ଚାପରୁ ମୁକ୍ତି ଆଦି କ୍ଷେତ୍ରରେ ଯୋଗର ଫାଇଦା କ’ଣ ତାହା ପ୍ରମାଣ ଜରିଆରେ ପ୍ରଦର୍ଶନ କରାଯାଇଛି। ମନ୍ତ୍ରୀ କହିଛନ୍ତି, ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଆଇଡିୱାଇ କାର୍ଯ୍ୟକ୍ରମ ପରିସରକୁ ଅଧିକରୁ ଅଧିକ ନାଗରିକଙ୍କୁ ଆଣିବା ମନ୍ତ୍ରଣାଳୟର ଲକ୍ଷ୍ୟ, ଯାହାଦ୍ୱାରା ଆମ ସମାଜର ସବୁ ବର୍ଗ ମଧ୍ୟରେ ଯୋଗ ଦ୍ୱାରା ହୋଇପାରିଥିବା ଶାରୀରିକ ତଥା ଆବେଗାତ୍ମକ କଲ୍ୟାଣର ପ୍ରସାର ହୋଇପାରିବ। ଯୋଗ ପାଇଁ ସମର୍ପିତ ମୋବାଇଲ ଆପ୍ଲିକେସନ ‘ନମସ୍ତେ ଯୋଗ’ର ଆନୁଷ୍ଠାନିକ ଉନ୍ମୋଚନ କରି ମନ୍ତ୍ରୀ କହିଥିଲେ, ଜନସାଧାରଣଙ୍କ ପାଇଁ ଏହାକୁ ଏକ ସୂଚନା ଭିତ୍ତିକ ପ୍ଲାଟଫର୍ମ ଭାବେ ଡିଜାଇନ କରାଯାଇଛି। ଯୋଗ ବାବଦରେ ସଚେତନତା ବୃଦ୍ଧି କରିବା ଏବଂ ଏହାକୁ ବୃହତ୍ତର ସମୁଦାୟଙ୍କ ଦ୍ୱାରା ସୁଲଭ ବନାଇବା ପାଇଁ ଏଥିରେ ଲକ୍ଷ୍ୟ ରହିଛି।

ଯୋଗ ଗୁରୁମାନେ ଜୋର ଦେଇ କହିଥିଲେ ଯେ ଯୋଗ କେବଳ ଶାରୀରିକ ସୁସ୍ଥତା ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ସାମଗ୍ରିକ କଲ୍ୟାଣ ସହିତ ମଧ୍ୟ ଏହା ସଂଶ୍ଳିଷ୍ଟ, ଯାହା ଏହି ମହାମାରୀ ବେଳେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଯୋଗ ଗୁରୁମାନେ ସ୍ପଷ୍ଟ ବାର୍ତ୍ତା ଦେଇଥିଲେ ଯେ ଯୋଗ ହେଉଛି ଜୀବନ ସମ୍ପର୍କରେ ଏବଂ ଯୋଗ ଅଭ୍ୟାସ ଦ୍ୱାରା ଆମେ ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣିପାରିବା।

କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି, ଶ୍ରୀ ଶ୍ରୀ ରବିଶଙ୍କର କହିଥିଲେ, ଆଜିର ବିଶ୍ୱ ସଂକଟ ମଧ୍ୟରେ ରହିଛି ଏବଂ ମହାମାରୀ ମଧ୍ୟରେ ଯୋଗ ପଥ ପ୍ରଦର୍ଶନ କରୁଛି। ସଦଗୁରୁ ଜାଗି ବାସୁଦେବ ଯୋଗର ବ୍ୟାବହାରିକ ଦିଗ ବାବଦରେ ଗୁରୁତ୍ୱ ଦେଇଥିଲେ ଏବଂ ଯୋଗାଭ୍ୟାସ ଦ୍ୱାରା ଆନନ୍ଦମୟ ଜୀବନଯାପନ କରିହେବ ବୋଲି ଦୋହରାଇଥିଲେ। ସ୍ୱାମୀ ଚିଦାନନ୍ଦ ସରସ୍ୱତୀ କହିଥିଲେ, ଯୋଗ କେବଳ ଏକ ଥେରାପି ନୁହେଁ ଯାହାକୁ ଅନାଦି କାଳରୁ ଅଭ୍ୟାସ କରାଯାଉଛି, ବରଂ ଜୀବନ ଜିଇଁବା ପାଇଁ ଏହା ଏକ ମାର୍ଗ ମଧ୍ୟ। ଏସ୍ ବ୍ୟାସ ବିଶ୍ୱବିଦ୍ୟାଳୟ କୁଳାଧିପତି ଡ.ଏଚ୍ ଆର ନାଗେନ୍ଦ୍ର କହିଥିଲେ ଯୋଗ ହେଉଛି ସାମଗ୍ରିକ ଜୀବନର ବିଜ୍ଞାନ। ମା ହଂସାଜି ଜୟଦେବା, ସିଷ୍ଟର ଶିବାନୀ, ସ୍ୱାମୀ ଭରତ ଭୂଷଣ, ପ୍ରଫେସର ତନୁଜା ନେସାରି, ଡ.ବି ଏନ ଗଙ୍ଗାଧର, ଶ୍ରୀ କମଲେଶ ଡି.ପଟେଲ, ଶ୍ରୀ ଓ ପି ତିୱାରୀ, ଯୋଗାଚାର୍ଯ୍ୟ ଓ ଶ୍ରୀ ଏସ୍.ଶ୍ରୀଧରନ ମଧ୍ୟ ସେମାନଙ୍କ ମତ ଉପସ୍ଥାପନ କରିଥିଲେ।

ଆୟୁଷ ସଚିବ ଭିଡି.ରାଜେଶ କୋଟେଚା ଏବଂ ଯୁଗ୍ମ ସଚିବ ପି ଏନ ରଞ୍ଜିତ କୁମାର ଯୋଗର ପ୍ରସାର ପାଇଁ ଆୟୁଷ ମନ୍ତ୍ରଣାଳୟର ଭୂମିକା ଏବଂ ପ୍ରତିବଦ୍ଧତା ବାବଦରେ ବିସ୍ତାର ଭାବେ ବର୍ଣ୍ଣନା କରିଥିଲେ।

ଏହି ଅନାବରଣ କାର୍ଯ୍ୟକ୍ରମ ସହିତ ୨୦୨୧ ଜୁନ ୧୨ରୁ ୨୧ ପର୍ଯ୍ୟନ୍ତ ସନ୍ଧ୍ୟା ୭ଟା (ଭାରତୀୟ ସମୟ)ରେ ଡିଡି ଇଣ୍ଡିଆରେ ‘କମନ ୟୋଗା ପ୍ରୋଟୋକଲ୍’ର ବିଭିନ୍ନ ଦିଗ ଉପରେ ଏକ ୧୦-ଅଧ୍ୟାୟ ସିରିଜ ଆରମ୍ଭ ହେଉଛି। ମୋରାରଜି ଦେଶାଇ ରାଷ୍ଟ୍ରୀୟ ଯୋଗ ସଂସ୍ଥାନ (ଏମ୍ଡିଏନ୍ଆଇୱାଇ) ଦ୍ୱାରା ଏହି ସିରିଜ ନିର୍ମାଣ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଏକ ଅନ୍ତରୀଣ ପ୍ୟାନେଲ ଆଲୋଚନା ମଧ୍ୟ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଏମ୍ଡିଏନ୍ଆଇୱାଇ ନିଦେ୍ର୍ଦଶକ ଡ.ଆଇଭି ବାସବରଦ୍ଦି ଏବଂ ଆୟୁଷ ମନ୍ତ୍ରଣାଳୟର ଗଣମାଧ୍ୟମ ଉପଦେଷ୍ଟା ସଞ୍ଜୟ ଦେବ ଅଂଶଗ୍ରହଣ କରିଥିଲେ।