Odiapua.com

ଅଶାନ୍ତ ସମ୍ବଲପୁର: ହନୁମାନ ଜୟନ୍ତୀ ପରେ ଲାଗୁ ହେଲା କର୍ଫ୍ୟୁ

ଭୁବନେଶ୍ୱର/ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ରାଲି ପାଖରୁ ଅଶାନ୍ତ ହୋଇପଡ଼ିଥିବା ସମ୍ବଲପୁର ସହରରେ ଶେଷରେ କର୍ଫ୍ୟୁ ଲାଗୁ ହୋଇଛି। ଶୁକ୍ରବାର ରାତି ୧୨ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ତେବେ କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି ବୋଲି କହିଛି। ଲୋକଙ୍କୁ ଘରୁ ବହାରିବା ଉପରେ କଟକଣା ଜାରି କରାଯାଇଛି। ଏହା ସହ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ୍ କରି ଦିଆଯାଇଛି। ତେବେ, ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସକାଳ ୮ଟାରୁ ୧୦ ଏବଂ ଅପରାହ୍ନ ୩.୩୦ରୁ ୫.୩୦ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହେବ ବୋଲି ସୂଚନା ଦିଆଯାଇଛି। ବୁଧବାର ଦିନ ହନୁମାନ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଶୋଭାଯାତ୍ରାକୁ ପଥର ମାଡ଼ରୁ ସମ୍ବଲପୁରରେ ଆରମ୍ଭ ହୋଇଥିବା ହିଂସା ଓ ଉତ୍ତେଜନା ଶୁକ୍ରବାର ମଧ୍ୟ ଲାଗି ରହିଥିଲା। ୪୫ ପ୍ଲାଟୁନ୍‌ ପୁଲିସ ବଳ ମୁତୟନ ଓ ୧୪୪ ଧାରା ଜାରି ସତ୍ତ୍ବେ ଗଣ୍ଡଗୋଳ ବନ୍ଦ ହୋଇନାହିଁ। ପୁଲିସ ପରସ୍ଥିତି ନିୟନ୍ତ୍ରଣ କରିବା​ରେ‌ ବିଫଳ ହୋଇଛି। ଏକାଧିକ ସ୍ଥାନରେ ଭଙ୍ଗାରୁଜା ସହିତ ପୋଡ଼ାଜଳା ଘଟିଛି। ଶେଷରେ ଶୁକ୍ରବାର ରାତି ୧୨ଟାରୁ ସମ୍ବଲପୁରରେ କର୍ଫ୍ୟୁ ଲାଗୁ ହୋଇଛି। ଶୁକ୍ରବାର ସଂଧ୍ୟାରେ ସହର ଭିତରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବାହାରିଥିଲା। ସଂଧ୍ୟା ୬ଟା ବେଳେ ଧନକଉଡ଼ା ଠାରୁ ଶୋଭାଯାତ୍ରା ବାହାରିଥିଲା। ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ଏହି ସମୟରେ ଆଇନ ଶୃଙ୍ଖଳା ଉପରେ ନଜର ରଖିବାକୁ ପୋଲିସ ଡ୍ରୋନ୍ ବ୍ୟବହାର କରିଥିଲା। ଆଉ ନିଜେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଓ ଏସ୍‌ପି ବାତୁଲା ଗଙ୍ଗାଧର ଉପସ୍ଥିତ ଥିଲେ। ପରିସ୍ଥିତି ଉପରେ ନଜର ରଖିବାକୁ ୪୨ ଫ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଯେଉଁଥିରେ ୨୬ ଡିଏସପି, ୪୩ ଇନ୍ସପେକ୍ଟର ଏବଂ ୭୦ ସବ-ଇନ୍ସପେକ୍ଟର ରହିଛନ୍ତି। ବୁଧବାର ସନ୍ଧ୍ୟାରେ ସମ୍ବଲପୁର ସହରରେ ହୋଇଥିବା ହିଂସା ଘଟଣାରେ ସ୍ଥାନୀୟ ପୋଲିସ ଶୁକ୍ରବାର ସୁଦ୍ଧା ୩୨ ଜଣଙ୍କୁ ଗିରଫ କରିଛି।ବୁଦ୍ଧାରାଜା ଅଞ୍ଚଳରେ ଅଗ୍ନିକାଣ୍ଡ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେହି ଦିନ ସନ୍ଧ୍ୟାରେ ମାୟା ବାଗିଚା ଅଞ୍ଚଳରୁ ତିନି ଜଣଙ୍କୁ ଗିରଫ କରାଯାଇଥିଲା। ପୋଲିସ ଭିଡିଓ ଫୁଟେଜକୁ ଆଧାର କରି ଅନ୍ୟ ୨୫ ଜଣଙ୍କୁ ଖୋଜୁଛି। ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି। ସମ୍ୱଲପୁର ଏସପି ବି ଗଙ୍ଗାଧର କହିଛନ୍ତି, ଆମେ ଅଗ୍ନିକାଣ୍ଡ ପାଇଁ ଦୁଇ ଜଣ ଏବଂ ହତ୍ୟା ମାମଲାରେ ତିନି ଜଣଙ୍କୁ ଗିରଫ କରିଛୁ। ବର୍ତ୍ତମାନ ପର୍ଯ୍ୟନ୍ତ ହିଂସା ପାଇଁ ସମୁଦାୟ ୩୨ ଜଣଙ୍କୁ ଗିରଫ କରାଯାଇଛି।
-/Dev@Dr