Odiapua.com

ସେପ୍ଟେମ୍ବର ୨୫ ତାରିଖରେ କୃଷକ ଆନ୍ଦୋଳନକୁ ସମର୍ଥନ– ସିପିଆଇ

ଭୁବନେଶ୍ୱର, ୨୧/୦୯ (ଓଡ଼ିଆ ପୁଅ) ମୋଦି ସରକାରଙ୍କର ତିନୋଟି କୃଷି ଏବଂ କୃଷକ ବିରୋଧୀ ଆଇନକୁ ରଦ୍ଦ କରିବା, ନୂତନ ବିଦ୍ୟୁତ୍ ବିଲ୍‌-୨୦୨୦ ପ୍ରତ୍ୟାହାର କରିବା, ଡିଜେଲର ବର୍ଦ୍ଧିତ ମୂଲ୍ୟ ପ୍ରତ୍ୟାହାର କରିବା, ପରିବେଶ ପ୍ରଭାବ ଜନିତ ଆକଳନ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବା, ଦୁଗ୍ଧ, ଦୁଗ୍ଧଜାତ ଦ୍ରବ୍ୟ, ଅଣ୍ଡା ଏବଂ ଖାଦ୍ୟଦ୍ରବ୍ୟ ଇତ୍ୟାଦି ଆମଦାନୀ ପାଇଁ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଇତ୍ୟାଦିକୁ ରଦ୍ଦ କରିବା ଦାବିରେ ୨୫ ସେପ୍ଟେମ୍ବରରେ ଦେଶବ୍ୟାପୀ ବନ୍ଦ ଏବଂ ପ୍ରତିରୋଧ ଆନ୍ଦୋଳନ ସଂଗଠିତ କରିବା ପାଇଁ ୨୫୦ ଗୋଟି କୃଷକ ସଙ୍ଗଠନ ଯେଉଁ ଆହ୍ୱାନ ଦେଇଛନ୍ତି ଏହାକୁ ସିପିଆଇ ସମର୍ଥନ କରିବ ବୋଲି ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି– ରାଜ୍ୟସଭାରେ ନୂତନ କୃଷି ନୀତିକୁ ଆଲୋଚନା ନକରି ବାଚନିକ ଭୋଟରେ ତରବରିଆ ଭାବେ ଯେଭଳି ବିଲ୍ ପାଶ୍ କରାଉଛନ୍ତି ଏହା ଦେଶର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଛି। ଏହି ସମସ୍ତ ବିଲ୍ କୃଷକ ବିରୋଧୀ, ଖାଉଟୀ ବିରୋଧି, ଜନବିରୋଧୀ ଏବଂ ଦେଶ ବିରୋଧୀ ଅଟେ। ଏହାକୁ ସିପିଆଇ ଦୃଢ଼ ବିରୋଧ କରୁଛି।