Odiapua.com

୧୧ ସେପ୍ଟେମ୍ବର ଏବଂ ପର୍ଲ ହାର୍ବର୍ ଠାରୁ ଭୟଙ୍କର ହେଉଛି କରୋନା – ଟ୍ରମ୍ପ

ୱାଶିଂଟନ୍/ନୂଆ ଦିଲ୍ଲୀ ୭-୫ (ଓଡ଼ିଆ ପୁଅ) ଯୁକ୍ତରାଷ୍ଟ୍ର ଆମେରୀକାରେ ଭୟଙ୍କର ରୂପ ଧାରଣ କରିଛି କରୋନାଭାଇରସ୍। ଏହି ମହାମାରୀ ଆମେରୀକାରେ ୭୨ ହଜାରରୁ ଅଧିକ ଜୀବନ ନେଇ ସାରିଲାଣି। ଏବଂ ୧୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଏହା ଆକ୍ରାନ୍ତ କରିସାରିଲାଣି। ଏହି ଭୟଙ୍କର ପରିସ୍ଥିତିକୁ ନେଇ ଆମେରୀକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତିଯେ, ୯/୧୧ ଘଟଣା ଏବଂ ପର୍ଲ ହାର୍ଭର ତୁଳନାରେ ଅଧିକ ଭୟଙ୍କର ହୋଇଛି କରୋନା।

ବିଶ୍ୱର ସବୁଠାରୁ ବିତ୍ତଶାଳୀ ଏବଂ ବଳଶାଳୀ ରାଷ୍ଟ୍ରଭାବରେ ପରିଚିତ ଆମେରିକାର ଅର୍ଥନୀତି ମଧ୍ୟ ଏବେ ବହୁତ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏହାର ପ୍ରତ୍ୟେକ୍ଷ ପ୍ରମାଣ ହେଉଛି ଏବେ ଆମେରୀକାରେ ତିନି କୋଟିରୁ ଅଧିକ ଲୋକ ବେକାରୀ ଭତ୍ତା ପାଇଁ ଆବେଦନ କରିଛନ୍ତି।

ଏହି ଅବସ୍ଥାକୁ ଦୃଷ୍ଟିରେ ରଖି ଡୋନାଲ୍ଡ ଟ୍ରମ୍ପ ବୁଧବାର କହିଛନ୍ତି, ଆଜି ପର୍ଯ୍ୟନ୍ତ ଆମେରିକା ଉପରେ ସେପରି କୌଣସି ଆକ୍ରମଣ ହୋଇନାହିଁ।

ସୂଚନାଯୋଗ୍ୟଯେ, ଆମେରିକାରେ କରୋନା ମହାମାରୀ କାରଣରୁ ଲକଡାଉନ୍ ଜାରି ରହିଛି। ଅଧିକାଂଶ ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ରହିଛି। ଆମେରିକାର ଅର୍ଥନୈତିକ ଅଭିବୃଦ୍ଧି ମାଇନସ୍ ୧୫ ରୁ ୨୦% ରହିଛି ବୋଲି କୁହାଯାଉଛି।

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଏବଂ ବିଶ୍ୱ ବ୍ୟାଙ୍କ ଭୟ କରୁଛନ୍ତି ଯେ ଆମେରିକାର ଆର୍ଥିକ ଅବନତି ଆସିବ। ଏହା ମଧ୍ୟ କୁହାଯାଉଛି ଯେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ ଅଭିବୃଦ୍ଧି ହାର ଆମେରିକାର ଅର୍ଥନୀତି ବହୁତ ଫରକ ପଡ଼ିବ ଏପରିକି ମାଇନସ୍ ୧୫ ରୁ ମାଇନସ୍ ୨୦ ପ୍ରତିଶତ ରହିବ।

ପର୍ଲ ହାର୍ବର୍ ଘଟଣା
ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ୧୯୪୧ ମସିହା ଡିସେମ୍ବର ୭ ରେ, ଜାପାନ ସେନା ସକାଳ ୭:୫୫ ରେ ହାୱାଇର ଓହୁ ଆଇସଲ୍ୟାଣ୍ଡରୁ ଆମେରିକାର ନୌ ସେନା ବେସ ପର୍ଲ ହାରବର୍ ଉପରେ ଆକ୍ରମଣ କରିଥିଲା। ଦୁଇ ଘଣ୍ଟା ମଧ୍ୟରେ ୧୮ ଟି ଆମେରିକୀୟ ଯୁଦ୍ଧ ଜାହାଜ ବୁଡ଼ିଯାଇଥିଲା। ୧୮୮ ଟି ବିମାନ ନଷ୍ଟ ହୋଇଯାଇଥିଲା ଏବଂ ୨୪୦୩ ଜଣ ଆମେରିକୀୟଙ୍କର ମୃତ୍ୟୁ ଘଟିଥିଲା। ଆମେରିକୀୟ ଜାହାଜକୁ ବନ୍ଦ କରିବା ପାଇଁ ଜାପାନ ଆକ୍ରମଣ କରିଥିଲା, ଯାହାଫଳରେ ଆମେରିକୀୟମାନେ ଦକ୍ଷିଣ ପୂର୍ବ ଏସିଆରେ ଜାପାନର କାର୍ଯ୍ୟକଳାପରେ ହସ୍ତକ୍ଷେପ କରିପାରିବେ ନାହିଁ। ଏହି ଆକ୍ରମଣ ଆମେରିକାର ଇତିହାସରେ ସବୁଠାରୁ ଭୟଙ୍କର ଏବଂ ଯନ୍ତ୍ରଣାଦାୟକ ଆକ୍ରମଣ ବୋଲି ବିବେଚନା କରାଯାଏ।

୯/୧୧ ଆକ୍ରମଣ
ଅନ୍ୟ ଏକ ଭୟଙ୍କର ଘଟଣା ଥିଲା ୧୧ ସେପ୍ଟେମ୍ବର ୨୦୦୧ ରେ, ଇସଲାମୀୟ ଆତଙ୍କବାଦୀ ଗୋଷ୍ଠୀ ଅଲ କାଏଦା ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣ କରିଥିଲା। ଗୋଟିଏ ପରେ ଗୋଟିଏ କରି ଚାରୋଟି ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣ ଆମେରିକାକୁ ଥରାଇ ଦେଇଥିଲା। ଏହି ଆକ୍ରମଣ କାରଣରୁ ଆମେରିକା ଓସାମା ବିନ୍ ଲାଡେନକୁ ଶେଷ ପର୍ଯ୍ୟନ୍ତ ଗୋଡ଼େଇ ଗୋଡ଼େଇ ତାକୁ ମାରିଥିଲା। ଏହି ଆକ୍ରମଣରେ ପ୍ରାୟ ୩ ହଜାର ଲୋକଙ୍କର ପ୍ରାଣ ଯାଇଥିଲା।