Odiapua.com

ଆଜିଠାରୁ ଆରମ୍ଭ ହେଲା କୋଭିଡ଼୍ ଟିକାକରଣ ଯୋଜନା

ପୁରୀ, ୧୬/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟ) : ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ସମେତ ଦେଶବ୍ୟାପୀ କୋଭିଡ଼ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକାକରଣ ପରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ପ୍ରଥମେ ଚତୁର୍ଥ ଶ୍ରେଣୀ କର୍ମଚାରୀ ବିଶ୍ୱନାଥ ମଲ୍ଲିକ ଓ ପରେ ଡ଼ାକ୍ତର ପ୍ରଣବ ଶଙ୍କର ଦାସ ଟିକା ନେଇଥିଲେ। ଆଜି ଟିକା ନେଇଥିବା କୋଭିଡ଼ ଯୋଦ୍ଧା ଆସନ୍ତା ୨୮ ତାରିଖରେ ଦ୍ୱିତୀୟ ଡ଼ୋଜ ନେବେ। ସେହିପରି ସୋମବାର ଦିନ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଟିକା ଦିଆଯିବ। ପୁରୀ ଜିଲ୍ଲାର ୮ଟି କେନ୍ଦ୍ରରେ ଟିକା ଦାନ କରାଯାଉଛି। ଜିଲ୍ଲାର ସଦର ମୁଖ୍ୟ ଚିକିତ୍ସାଳୟ ସମେତ ବଳିଆପଣ୍ଡା ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, କଣାସ, ଗୋପ, ଡ଼େଲାଙ୍ଗ, ସତ୍ୟବାଦୀ, ଚନ୍ଦନପୁର, ପିପିଲିର ମଙ୍ଗଳପୁର ଅଞ୍ଚଳରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଟିକାକରଣ କରାଯାଇଛି। ଆନୁଷ୍ଠାନିକ ଭାବେ ଉଦଘାଟନ ହେବାପରେ ଟିକାକରଣ ଆରମ୍ଭ ହୋଇଥିଲା। ଜିଲ୍ଲାପାଳ ଏହି ସମସ୍ତ ଟିକାକରଣ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ପ୍ରତ୍ୟେକ କେନ୍ଦ୍ରରେ ୧୦୦ଜଣ ଲେଖାଏଁ କୋଭିଡ଼ ଯୋଦ୍ଧାଙ୍କୁ ଭ୍ୟାକସିନ ଦିଆଯାଇଛି। ଜିଲ୍ଲାରେ ମୋଟ ୮୦୦ ଜଣଙ୍କୁ ଟିକା ଦିଆଯାଇଥିବାବେଳେ, ଟିକାକରଣ ପାଇଁ ଆବଶ୍ୟକୀୟ ଷ୍ଟାଫଙ୍କ ସମେତ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି। ମୋଟ ୧୦୮୦୬ଜଣ ପଞ୍ଜୀକୃତ ହୋଇଥିବା ଡ଼ାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପାରାମେଡ଼ିକାଲ ଷ୍ଟାଫଙ୍କ ସମେତ ଅଙ୍ଗନବାଡ଼ି କର୍ମୀଙ୍କୁ ଟିକାକରଣ ନେଇ ପଞ୍ଜୀକୃତ କରାଯାଇଛି। ଏନେଇ ମୋଟ ୨୯୭ଜଣ ଭ୍ୟାକସିନେଟର ନିୟୋଜିତ ହୋଇଛନ୍ତି।