Odiapua.com

କରୋନା ଭାଇରସ୍ ଲକଡାଉନ୍ : ରାଜ୍ୟଗୁଡିକର ରାଜସ୍ୱ କ୍ଷତି – ବେତନ ବାଣ୍ଟିବାରେ ବିଳମ୍ବ ହେବାର ସମ୍ଭାବନା

ନୂଆ ଦିଲ୍ଲୀ ୮-୪ (ଓଡ଼ିଆ ପୁଅ) କରୋନା ଭାଇରସ୍ କାରଣରୁ ସମ୍ପୂର୍ଣ୍ଣ ଦେଶରେ ଲକଡାଉନ୍ ଘୋଷଣା ହୋଇଛି। ୨୧ ଦିନର ଲକଡାଉନ କାରଣରୁ ଅଧିକାଂଶ ଭାରତୀୟ ରାଜ୍ୟଗୁଡ଼ିକର ରାଜସ୍ୱ କ୍ଷତି ହୋଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ମାସରେ ଅଧିକାଂଶ ଭାରତୀୟ ରାଜ୍ୟରେ ରାଜସ୍ୱ ୩୦% ରୁ ୬୦% ମଧ୍ୟରେ ହ୍ରାସ ହୋଇଥିବାର ଦେଖାଯାଇଛି ଏବଂ ଏପ୍ରିଲରେ ଏହା ଅଧିକ ହ୍ରାସ ହେବାର ଆକଳନ କରାଯାଉଛି ବୋଲି ଏକାଧିକ ରାଜ୍ୟର ସରକାରୀ ଅଧିକାରୀମାନେ କହିଛନ୍ତି। କରୋନାଭାଇରସ୍ ରୋଗର ବିସ୍ତାର କରାଣରୁ କେତେକ ରାଜ୍ୟ ଜୀବନ ରକ୍ଷା ପାଇଁ ଏପ୍ରିଲ୍ ୧୫ ରୁ ଯଦି ଲକଡାଉନକୁ ଆଗକୁ ବୃଦ୍ଧି କରାଯାଏ ତେବେ ଗାଜ୍ୟଗୁଡ଼ିକର ରାଜସ୍ୱ ହ୍ରାସ ହେବ। ଏହା ଫଳରେ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦରମା ପ୍ରଦାନରେ ବିଳମ୍ବ ହୋଇପାରେ ଏବଂ ସରକାରୀ ଅନୁଷ୍ଠାନ ସମେତ ବାହ୍ୟ ଋଣପ୍ରଦାନକାରୀ ସଂସ୍ଥାମାନଙ୍କୁ ଦେୟ ପ୍ରଦାନ କରିବାରେ ଅସୁବିଧା ହେବ।

ତେବେ ଏହି ରାଜସ୍ୱ କ୍ଷତି ସତ୍ତ୍ୱେ ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶ ସୋମବାରଦିନ ଲକଡାଉନକୁ ଏପ୍ରିଲ ୧୫ ରୁ ଆଗକୁ ବଢ଼ାଇବା ପାଇଁ ପରାମର୍ଶ ଦେଇଛନ୍ତି। ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି ଯେ ଆବଶ୍ୟକ ହେଲେ ସେମାନେ ଏହାର ସପକ୍ଷରେ ରହିବେ।

ରିପୋର୍ଟ ଅନୁଯାୟୀ, ରାଜ୍ୟଗୁଡିକ ପାଇଁ ଆୟର ଦୁଇଟି ମୁଖ୍ୟ ଉତ୍ସ ହେଉଛି ପେଟ୍ରୋଲିୟମ ଉତ୍ପାଦ ଉପରେ ମୂଲ୍ୟଯୁକ୍ତ ଟ୍ୟାକ୍ସ (ଭାଟ୍) ଏବଂ ମଦ ଉପରେ ଏକ୍ସାଇଜ୍ ଡ୍ୟୁଟି। ଲକଡାଉନ୍ ଅବଧି ମଧ୍ୟରେ ଇନ୍ଧନ ପମ୍ପ ଖୋଲା ଥିବାବେଳେ ଚାହିଦା ବହୁତ ହ୍ରାସ ପାଇଛି। କାରଣ କେବଳ ଜରୁରୀକାଳୀନ ସେବା ଯାନଗୁଡିକୁ ରାସ୍ତାରେ ଯିବାକୁ ଅନୁମତି ଦିଆଯାଇଛି। ମାର୍ଚ୍ଚ ୨୫ ରୁ ଲକଡାଉନ୍ ଲାଗୁ ହେବା ପରେ ମଦ ଦୋକାନଗୁଡ଼ିକ ବନ୍ଦ ହୋଇଯାଇଥିଲା। କେତେକ ରାଜ୍ୟ – ବିଶେଷକରି ରାଜସ୍ଥାନ, କେରଳ ଏବଂ ଉତ୍ତରାଖଣ୍ଡର ପର୍ଯ୍ୟଟନ ହେଉଛି ରାଜସ୍ୱର ମୁଖ୍ୟ ଉତ୍ସ। ଏହି ରାଜ୍ୟଗୁଡ଼ିକର ପର୍ଯ୍ୟଟନ ଶିଳ୍ପ ସମ୍ପୂର୍ଣ୍ଣ ପ୍ରଭାବିତ ହେବା ଦ୍ୱାରା ରାଜସ୍ୱ ହ୍ରାସ ପାଇଛି।

ବିଭିନ୍ନ ରାଜ୍ୟର ଅଧିକାରୀମାନଙ୍କର କହିବା ଅନୁସାରେ କୋଭିଡ -୧୯ ମହାମାରୀ କାରଣରୁ ରାଜସ୍ୱ ହ୍ରାସ ପାଇଥିଲା। ୨୦୨୦-୨୧ ପାଇଁ ସେମାନଙ୍କ ବଜେଟ୍ ରେ, ଅଧିକାଂଶ ରାଜ୍ୟ GST କମ୍ ସଂଗ୍ରହ ହେବା ଏବଂ ଆର୍ଥିକ ମନ୍ଥରତା କାରଣରୁ ବାର୍ଷିକ ରାଜସ୍ୱରେ ୭% ରୁ ୨୨% ଅଭାବ ରେକର୍ଡ କରିଛନ୍ତି।

ପୂର୍ବ ଆର୍ଥିକ ବର୍ଷ ଅପେକ୍ଷା ୨୦୧୯-୨୦ ଆର୍ଥିକ ବର୍ଷରେ ଓଡିଶା ୧୦%, ପଶ୍ଚିମବଙ୍ଗ ୭%, କେରଳ ୨୨% ଜିଏସଟି ରାଜସ୍ୱ କମ ହେବାର ରିପୋର୍ଟ କରିଛି।

ଖବର କାଗଜ ରିପୋର୍ଟ ଅନୁଯାୟୀ, ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟଗୁଡିକର ଜିଏସଟିର ହ୍ରାସ ପ୍ରାୟ ୧.୦୧ ଲକ୍ଷ କୋଟି ଟଙ୍କା ହେବ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ, ଛତିଶଗଡ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ସମେତ ପ୍ରାୟ ୧୦ ଟି ରାଜ୍ୟର ଋଣ ଭାର ବଢ଼ିଚାଲିଛି, ଯାହା କୃଷି ଋଣ ଛାଡ ହେବା କରାଣରୁ ୨୦୧୯-୨୦ ଆର୍ଥିକ ବର୍ଷରେ ୧.୦୮ ଲକ୍ଷ କୋଟି ହେବ।

କରୋନାଭାଇରସ୍ କରାଣରୁ ଲକଡାଉନ ହେବାପରେ, କିଛି ରାଜ୍ୟରେ ରାଜସ୍ୱ ହାନୀ ତୁରନ୍ତ ପରିଲକ୍ଷିତ ହୋଇଥିଲା। ଇତି ମଧ୍ୟରେ ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ସରକାରୀ ଦରମା ୧୦% ରୁ ୬୦% ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଆନ୍ଧ୍ରପ୍ରଦେଶ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଆମେ କୌଣସି ପ୍ରକାରରେ ମାର୍ଚ୍ଚ ଦରମା ପ୍ରଦାନ କରିଛୁ। ଯଦି ବର୍ତ୍ତମାନର ପରିସ୍ଥିତି ଜାରି ରୁହେ, ତେବେ ଏପ୍ରିଲ ଏବଂ ମେ ମାସ ପାଇଁ ଦରମା ଦେବା କଷ୍ଟସାଧ୍ୟ ହେବ।

ସେହିପରି ଲକଡାଉନରେ ପଞ୍ଜାବର ରାଜସ୍ୱ କ୍ଷତି ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସରେ ୧୦, ୩୦୯ କୋଟି (୪୧୮, ୮୬୮ କୋଟି ଜିଏସଡିପିର ୨.୪୬%) ହେବ ବୋଲି ଆଶା କରାଯାଉଛି। ସେପଟେ ପଞ୍ଜାବ ସରକାର ସୂଚାଇ ଦେଇଛନ୍ତି ଯେ କେତେକ ଅଞ୍ଚଳରେ ଲାଗୁ ହୋଇଥିବା କର୍ଫ୍ୟୁ ବୃଦ୍ଧି କରାଯିବ। ଯଦି ଜାତୀୟ ଲକଡାଉନ୍ ବୃଦ୍ଧି କରାଯାଏ, ତେବେ ଆର୍ଥିକ ପ୍ରଭାବ ଗୁରୁତର ହେବ।