Odiapua.com

କରୋନାକୁ ନେଇ ଗାଁ ଗାଁରେ ଛନକା

ନୟାଗଡ଼, ୧୮-୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ସୋସିଆଲ ମିଡିଆରେ ଦିନକୁ ଦିନ ଯେଉଁପରି ଭାବରେ କରୋନାକୁ ନେଇ ବିଭିନ୍ନ ପ୍ରକାରର ବାର୍ତ୍ତା ଭାଇରାଲ ହେବାରେ ଲାଗିଛି। ତାକୁ ନେଇ ଗାଁ ଗଣ୍ଡାରେ ବେଶି ଛନକା ଦେଖାଦେଇଛି। କରୋନା ଭୂତାଣୁ ନେଇ ଯାହାବି ଗୁଜବ କୁହାଯାଉଥିଲେ ମଧ୍ୟ ଏବଂ ସେଥିପ୍ରତି ଭୟ ନକରି ସତର୍କ ରହିବାକୁ କୁହାଯାଉଥିଲେ ମଧ୍ୟ ମଣିଷ ମନରେ କରୋନା ଭୟ ଏବେ ମଣିଷକୁ ବିଚଳିତ କରି ପକାଇଛି। ସମାଜରେ ଦିନକୁ ଦିନ କରୋନା ଭୟ ଜନ ମାନସରେ କାୟା ବିସ୍ତାର କରିବାରେ ଲାଗିଛି। ଥଣ୍ଡା କାଶ ଜ୍ୱର ମଣିଷର ସହଜାତ ବ୍ୟାଧି ହୋଇଥିବାବେଳେ ଏବେ କିନ୍ତୁ ଏପରି ବ୍ୟାଧିକୁ ମଣିଷ ସହଜରେ ନେଇ ପାରୁନି। ଘରେ ବାହାରେ କରୋନା ଭୟରେ ଲୋକମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ଆତଙ୍କିତ ଅବସ୍ଥାରେ ଗତି କରୁଛନ୍ତି ସାଧାରଣ ଜନତା। ଥଣ୍ଡା କାଶରୁ କେହି କେବେ କେମିତି ନିସ୍ତାର ପାଇବ ତାକୁ ନେଇ ବାଟ ପାଉନଥିବାବେଳେ ଗାଁ ଗଣ୍ଡାରେ କରୋନା ଭାଇରସ୍ ଏବେ କୋକୁଆ ଭୟ ସୃଷ୍ଟି କରିଛି। ଲୋକମାନେ କରୋନାକୁ ନେଇ ଆଶଙ୍କା ଭିତରେ ଆତଙ୍କିତ ହୋଇ ଗତି କରୁଥିବାବେଳେ ପ୍ରଶାସନ ପକ୍ଷରୁ ଯଥେଷ୍ଟ ସଚେତନତା ମୂଳକ ପଦକ୍ଷେପ ନନେବା ଅଭିଯୋଗ ହେଉଛି। କେବଳ ସଦର ମହକୁମାର ଆବଦ୍ଧ କୋଠରୀ ମଧ୍ୟରେ ସଚେତନତାର କଥା କୁହାଯାଇ କରୋନାକୁ ଭୟ କରିବାର କିଛି ନାହିଁ ବୋଲି କହିବା ଏଭଳି ଅମୂଳକ ଓ ଅସଙ୍ଗତ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ଏବେବି ଗାଁ ଗଣ୍ଡାରେ କରୋନା ଭାଇରସ୍ କୁ ନେଇ ସଚେତନତା କରାଯାଇନାହିଁ। ପ୍ରତି ଗାଁରେ ୧ଶହ ଲୋକରେ ଏବେ ୫/୭ଜଣଙ୍କୁ ଥଣ୍ଡା, କାଶ ଓ ଜ୍ୱର ହୋଇଥିବା ଦେଖିବାକୁ ମିଳୁଥିବାବେଳେ ସାବୁନରେ ହାତ ସଫା କରିବା କି ମାକ୍ସ ପିନ୍ଧିବା କି ଅନ୍ୟାନ୍ୟ ସତର୍କତା ମୂଳକ ଦିଗରେ ରହିବା ଗାଁ କିମ୍ବା ସହରରେ ୫ ପ୍ରତିଶତ ଲୋକ ମାନି ଚଳିବା ଦେଖାଯାଉନଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ବିଶ୍ୱରେ କରୋନା ମହାମାରୀର ରୂପଧାରଣ କରିଥବାବେଳେ ଓ ରାଜ୍ୟ ସରକାର ଏହାକୁ ବିପତ୍ତି ଘୋଷଣା କରିବା ପରେ ସବୁ ସ୍ତରରେ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇବା କଥା। ମାତ୍ର ଯେତିକି ସଚେତନା କରିବା କଥା ସେତିକି ମାତ୍ରାରେ ସଚେତନା ର ଅଭାବ ହେତୁ କରୋନା ସାଧାରଣଙ୍କ ମନରେ ଓ ମାନସିକତାରେ ଅଧିକ ଆତଙ୍କ ଖେଳାଉଥିବା ପରିପ୍ରକାଶ ପାଉଛି। ଏଥିପାଇଁ ଗାଁ ଗହଳିରେ ଅଧିକ ମାତ୍ରାରେ ସଚେତନା କରାଯାଇ ବିନା ମୂଲ୍ୟରେ ମ୍ୟାକ୍ସ ବଂଟାଯିବାର ବ୍ୟବସ୍ଥା କରିବାକୁ ଦାବି ହେଉଛି।