Odiapua.com

ନବରଙ୍ଗପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନଧନ ଖାତା ହିତାଧିକାରୀଙ୍କୁ ପ୍ରଦାନ କରାଗଲା କରୋନା ସହାୟତା

– ଦେଶରେ ୧୯.୮୬ କୋଟି ମହିଳା ଜନଧନ ହିତାଧିକାରୀଙ୍କୁ ଦିଆଗଲା ୯୯୩୦ କୋଟି ଟଙ୍କା

ଭୁବନେଶ୍ୱର ୧୪-୪ (ଓଡ଼ିଆ ପୁଅ) ମହାମାରୀ କରୋନାର ମୁକାବିଲା ପାଇଁ ଚାଲିଛି ଲକ ଡାଉନର ସମୟ। ଗରିବ ନିରାଶ୍ରୟ ଶ୍ରମଜୀବୀ ମାନଙ୍କ ଜୀବିକା ନିର୍ବାହ ପାଇଁ ସୁଯୋଗ ନାହିଁ। ମହିଳା ମାନଙ୍କ ଉପରେ ମୁଖ୍ୟତଃ ପରିବାର ପ୍ରତିପୋଷଣର ମୁଖ୍ୟ ଦାୟିତ୍ଵ ଥିବା ବେଳେ ଏହି ଦୁର୍ଦ୍ଦିନ ସମୟରେ ସହାୟତାର ହାତ ବଢାଇଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଜନ ଧନ ଯୋଜନାର ମହିଳା ହିତାଧିକାରୀଙ୍କୁ ଏଥିପାଇଁ ପ୍ରଦାନ କରାଯାଉଛି ୫୦୦ ଟଙ୍କାର ଆର୍ଥିକ ସହାୟତା। ଏପ୍ରିଲ ମାସର ୫୦୦ ଟଙ୍କା ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଛି। ସାରା ଦେଶରେ ଏପରି ୧୯.୮୬ କୋଟି ମହିଳା ଜନଧନ ହିତାଧିକାରୀଙ୍କୁ ୯୯୩୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲାରେ ଥିବା ସମସ୍ତ ୧୦ ଟି ବ୍ଲକ ଓ ୨ ଟି ପୌରପାଳିକାରେ ଥିବା ୬୩ ଟି ବ୍ୟାଙ୍କରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ମହିଳା ହିତାଧିକାରୀଙ୍କୁ ୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏବେ ବ୍ୟାଙ୍କରେ ମହିଳା ମାନେ ନିଜ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ପାସବୁକରୁ ଟଙ୍କା ଉଠାଉଛନ୍ତି। ଏବେ ଲକ ଡାଉନ ସମୟରେ ବ୍ୟାଙ୍କରେ ଗହଳି କୁ ଦୃଷ୍ଟିରେ ରଖି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ବ୍ୟାଙ୍କ ରେ ହାତ ଧୋଇବା ପାଇଁ ବ୍ୟବସ୍ଥା ସହ ସାନିଟାଇଜର ଗ୍ରାହକ ମାନଙ୍କୁ ପ୍ରଦାନ କରାଯାଉଛି। ସମସ୍ତେ ମାସ୍କ କିମ୍ବା ଗାମୁଛା ବା ସଫା କପଡା ମୁହଁ ରେ ଘୋଡାଇ ଆସୁଥିବା ଦେଖିବାକୁ ମିଳିଛି। ସେହିପରି ସାମାଜିକ ସୁରତ୍ଵ ରକ୍ଷା ଯେପରି ପାଳନ ହୋଇପରିବ ସେଥି ପ୍ରତି ଗୁରୁତ୍ଵାରୋପ କରାଯାଉଛି। ବ୍ୟାଙ୍କ ର ସୁରକ୍ଷା କର୍ମଚାରୀ ଓ ପୋଲିସ ଉପସ୍ଥିତ ରହି ସାମାଜିକ ଦୁରତ୍ଵ ପାଳନ ପାଇଁ ଲୋକଙ୍କୁ ବୁଝାଉଛନ୍ତି। ଜିଲ୍ଲାର ସମସ୍ତ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କରେ ମହିଳା ମାନେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ର ପାସବୁକରୁ ଟଙ୍କା ଉଠାଉଥିବା ଦେଖିବାକୁ ମିଳିଛି।