Odiapua.com

ବାହାନଗା ରେଳ ଦୁର୍ଘଟଣା: ଆରଏସଏସର ସେବାକାର୍ଯ୍ୟ ..

ଭୁବନେଶ୍ୱର: ଓଡ଼ିଶାର ବାଲେଶ୍ୱରରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍)ର ଶତାଧିକ ସ୍ୱୟଂସେବକ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସଂଘର ସ୍ୱୟଂସେବକ ମାନେ ପ୍ରାୟ ୫୦୦ ୟୁନିଟ୍ ରକ୍ତ ଦାନ କରିଛନ୍ତି। ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିବା ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ସବୁଥର ପରି ସଂଘର ସ୍ୱୟଂସେବକ ମାନେ ପ୍ରଥମେ ଘଟଣା ସ୍ଥଳରେ ପହଁଚିଥିଲେ। ଏନ୍ଡିଆରଏଫ୍ ଏବଂ ପ୍ରଶାସନ ଦଳ ଘଟଣା ସ୍ଥଳରେ ପହଁଚିବା ପୂର୍ବରୁ ସ୍ୱୟଂସେବକ ମାନେ ସଂଧ୍ୟା ୭.୩୦ ସୁଦ୍ଧା ସେଠାରେ ପହଁଚିଥିଲେ। ପ୍ରାୟ ୨୫୦ରୁ ଉର୍ଦ୍ଧ୍ୱ ସ୍ୱୟଂସେବକ ସେବା କାର୍ଯ୍ୟରେ ନିୟୋଜିତ ପ୍ରଶାସନ ଏବଂ ଯବାନ ମାନଙ୍କୁ ସାହାଯ୍ୟ କରିଥିଲେ। ଉଦ୍ଧାର କାର୍ଯ୍ୟରେ ଯେପରି ବିଳମ୍ବ ନହେଉ ସେଥିପାଇଁ ସ୍ୱୟଂସେବକ ମାନେ ଅଟୋ ଏବଂ ମୋଟରସାଇକେଲ ମାଧ୍ୟମରେ ତୁରନ୍ତ ଆହତମାନଙ୍କୁ ଡାକ୍ତରଖାନା ନେବା ଆରମ୍ଭ କରିଦେଇଥିଲେ। ସ୍ୱୟଂସେବକ ମାନେ ପ୍ରତିକୂଳ ପରିସ୍ଥିତିରେ ବଗି ଭିତରକୁ ଯାଇ ରାତିସାରା ଆହତ ମାନଙ୍କୁ ସ୍ଥାନାନ୍ତର କରିବାରେ ଲାଗିଲେ ଏବଂ ଅନ୍ୟ ସ୍ୱୟଂସେବକ ମାନେ ସେମାନଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ। ସଂଘର ପ୍ରାନ୍ତ ପ୍ରଚାର ପ୍ରମୁଖ ରବି ନାରାୟଣ ପଣ୍ଡା କହିଛନ୍ତି, ସ୍ୱୟଂସେବକ ମାନେ ପ୍ରଶାସନ ଏବଂ ଯବାନ ମାନଙ୍କ ସହିତ ମିଶି ର୍ଦୁଘଟଣାରେ ଫସି ରହିଥିବା ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବା ସହିତ ବଗି ଭିତରୁ ବାହାରକୁ ବାହାର କରିଥିଲେ। ସ୍ୱୟଂସେବକ ମାନେ ଆହତ ଯାତ୍ରୀଙ୍କୁ ବାହାରକୁ ବାହାର କରିବା ସହିତ ଆମ୍ବୁଲାନ୍ସରେ ବସାଇ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନା ପଠାଇଥିଲେ। ସେଠାରେ ସଂଘର ବାଲେଶ୍ୱର ବିଭାଗ ପ୍ରଚାରକ ଚନ୍ଦ୍ରଶେଖର ମହାପାତ୍ରଙ୍କ ତତ୍ୱାବଧାନରେ ସ୍ୱୟଂସେବକମାନେ ବିଭିନ୍ନ ପ୍ରକାର ସେବା କାର୍ଯ୍ୟରେ ନିୟୋଜିତ ଥିଲେ। ଆହତ ମାନଙ୍କ ପାଇଁ ସ୍ୱୟଂସେବକ ମାନଙ୍କ ତରଫରୁ ରକ୍ତଦାନ ଆରମ୍ଭ କରାଯାଇଥିଲା। ପ୍ରାୟ ୩୦୦ ସ୍ୱୟଂସେବକ ରକ୍ତଦାନ କରିଥିଲେ।ସେହିଭଳି କିଛି ଆହତ ଯାତ୍ରୀଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟ ଏବଂ ସୋର ଚିକିତ୍ସାଳୟକୁ ନିଆଯାଇଥିଲା। ଏଠାରେ ମଧ୍ୟ ସ୍ୱୟଂସେବକ ମାନେ ପହଞ୍ଚି ଆହତ ଯାତ୍ରୀଙ୍କ ସେବାରେ ଲାଗିପଡିଥିଲେ। ଏହି ଡାକ୍ତରଖାନା ଗୁଡିକରେ ମଧ୍ୟ ରକ୍ତଦାନ କରିବା ସହିତ ଆହତ ଯାତ୍ରୀମାନଙ୍କ ପାଇଁ ଆବଶ୍ୟକୀୟ ରକ୍ତ ଯୋଗାଇ ଦେଇଥିଲେ। ଘଟଣା ସ୍ଥଳରୁ ଡାକ୍ତରଖାନା ପର୍ଯ୍ୟନ୍ତ ସ୍ୱୟଂସେବକମାନେ ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ। ସେହିଭଳି କଟକ ଏସ୍.ସି,ବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ସଂଗଠନର ସେବା ବିଭାଗ ସହିତ ଜଡିତ ସ୍ୱୟଂସେବକମାନେ ସକ୍ରିୟ ରହିଥିଲେ। ସଂଘ କ୍ଷେତ୍ର ସେବା ପ୍ରମୁଖ ଜଗଦୀଶ ପ୍ରସାଦ ଖାଡ଼ଙ୍ଗା ଏବଂ ପ୍ରାନ୍ତ ସେବା ପ୍ରମୁଖ ଶାନ୍ତନୁ ମାଝି ଦୁର୍ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ସେମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସେବା କାର୍ଯ୍ୟ କରାଯାଇଥିଲା।
-/Dev@Drath