Odiapua.com

ମଦ ପ୍ରମୋସନକୁ ନେଇ ବିବାଦ; ଭୁଲିଗଲେ ବୈଧାନିକ ଚେତାବନୀ: ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ..

ଭୁବନେଶ୍ୱର: ଏକ ଓଡ଼ିଆ ୱେବ୍‌ସାଇଟ୍‌ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ତାଙ୍କ ଚରିତ୍ରକୁ କଦର୍ଥ କରି ଦର୍ଶାଇବା ସହ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନେଇ ସେ ଏକ ୱେବ୍‌ସାଇଟ୍‌ ନାଁରେ ଅଭିଯୋଗ ଆଣିଛନ୍ତି। କେବଳ ତାଙ୍କ ବିରୋଧରେ ନୁହେଁ ଏପରିକି ତାଙ୍କ ପରିବାର ଲୋକଙ୍କ ବିରୋଧରେ ମଧ୍ୟ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଥିବା ପ୍ରକୃତି ଅଭିଯୋଗ କରିଛନ୍ତି। ଏପରି କରିବା ଦ୍ୱାରା ସେ ମାନସିକ ଭାବେ ଭାରାକ୍ରାନ୍ତ ହୋଇଥିବା ଦର୍ଶାଇଛନ୍ତି। ଏ’ ନେଇ ପ୍ରକୃତି ଭୁବନେଶ୍ୱର, ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି। ଏହାସହ ସେ ଏହି ୱେବ୍‌ସାଇଟ୍‌ ବିରୋଧରେ ମାନହାନୀ ମାମଲା ମଧ୍ୟ ରୁଜୁ କରିଛନ୍ତି।

ସୂଚନାଯୋଗ୍ୟ ଯେ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର ନିକଟରେ ଏକ ଫଟୋକୁ ନେଇ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚାକୁ ଆସିଥିଲେ। ପ୍ରକୃତି ନିଜ ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରି ଚର୍ଚ୍ଚାକୁ ଆସିଥିଲେ। ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ମଦ ବୋତଲ ଗ୍ଲାସ ଓ ଜଣେ ପୁରୁଷ ବନ୍ଧୁଙ୍କ ସହ ପ୍ରକୃତି ମିଶ୍ରଙ୍କ ଫଟୋକୁ ୟୁଜର୍ସ ମାନେ ସହଜରେ ଗ୍ରହଣ କରିପାରି ନଥିଲେ। ସୋସିଆଲ୍ ମିଡିଆରେ ଏହାକୁ ପୋଷ୍ଟ କରି କଟୁ ମନ୍ତବ୍ୟର ଶୀକାର ହୋଇଥିଲେ ପ୍ରକୃତି। ଫଟୋରେ ପ୍ରକୃତି ଗୋଟିଏ ଘରର ପାହାଚ ଉପରେ ଜଣେ ଯୁବକଙ୍କ ସହ ବସିଛନ୍ତି। ଉଭୟଙ୍କ ମଝିରେ ଏକ ମଦ ବୋତଲ ଓ ଗ୍ଲାସ ଥିବା ବେଳେ ଯୁବକଙ୍କ ହାତରେ ଏକ ଗ୍ଲାସ ରହିଛି। ଯୁବକ ଗୋଟିଏ ଗ୍ଲାସରେ ମଦ ଧରିଥିବା ବେଳେ ତାଙ୍କ ସହ ଅତ୍ୟତ୍ସ ଉତ୍ସାହ ଓ ଖୁସିରେ ହାତ ମିଳାଇଛନ୍ତି ପ୍ରକୃତି। ସେହି ମଦ ଭଳି ତାଙ୍କର ପ୍ରକୃତ ବନ୍ଧୁତା ସମତାଳ, ସାବଲୀଳ ଓ ଉତ୍କୃଷ୍ଟ ବୋଲି କ୍ୟାପ୍ସନରେ ଲେଖିଛନ୍ତି ପ୍ରକୃତି। ବର୍ତ୍ତମାନ ଦୁନିଆରେ ଜଣେ ପ୍ରାପ୍ତ ବୟସ୍କ ମଦ ପିଇବାରେ କୌଣସି ଆପତ୍ତି ନାହିଁ। ତେବେ ଆମ ଦେଶରେ ମଦର ବିଜ୍ଞାପନ ନିଷିଦ୍ଧ ଥିବା ବେଳେ ସାମାଜିକ ଗଣମାଧ୍ୟମରେ ପ୍ରକୃତି ଗୋଟିଏ ନିର୍ଦ୍ଦିଷ୍ଟ ବ୍ରାଣ୍ଡ ମଦର ପ୍ରଚାର କରିବାକୁ ଅନେକ ବିରୋଧ କରିଥିଲେ। ଏହାକୁ ନେଇ ଅନେକ ମିଡିଆରେ ଖବର ପ୍ରକାଶିତ ହୋଇଥିଲା।

ତେବେ ଏହିପରି ଖବର ପ୍ରକାଶକୁ ନେଇ ଏକ ୱେବ୍‌ ପୋର୍ଟାଲ୍ ନାମରେ ପ୍ରକୃତି ମାମଲା ଦାୟାର କରିଛନ୍ତି। ତାଙ୍କ ନାମରେ ଏବଂ ତାଙ୍କ ପରିବାର ନାମରେ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଥିବା ପ୍ରକୃତି ଅଭିଯୋଗ କରିଛନ୍ତି। ବାସ୍ତବରେ ଯଦି କୌଣସି ୱେବ୍‌ପୋର୍ଟାଲ୍ ଏପରି କରିଥାଏ, ଆପତ୍ତିଜନକ ମନ୍ତବ୍ୟ ଦେଇଥାଏ, ତେବେ ତାହା ଅନୁଚିତ। ତେବେ ପ୍ରକୃତି ନିଜେ କରିଥିବା କାମ ଉପରେ ମଧ୍ୟ ନିଜେ ଦୃଷ୍ଟି ଦେବା ଉଚିତ। ପ୍ରକୃତି କହିଛନ୍ତି, ବୃତ୍ତି ଅନୁଯାୟୀ ସେ ଜଣେ ଅଭିନେତ୍ରୀ ଏବଂ ତାଙ୍କ ବୃତ୍ତିଗତ ଜୀବନ ଆସିବା ପରେ ତାଙ୍କ ପରିଚୟ ତାଙ୍କ ପିତାଙ୍କ ନାମ ନୁହେଁ। କୌଣସି ବ୍ରାଣ୍ଡ ସହିତ ଜଡ଼ିତ ହେବା ଏବଂ ସେମାନଙ୍କୁ ଆଇନଗତ ଭାବରେ ସମର୍ଥନ କରିବା ଜଣେ କଳାକାରଙ୍କ କର୍ତ୍ତବ୍ୟ। ତେବେ ପ୍ରକୃତି ଜାଣିବା ଉଚିତ ଯେ ଭାରତରେ ମଦ ବିଜ୍ଞାପନ ଉପରେ ପ୍ରତିବନ୍ଧ ଲଗାଯାଇଛି। ତେଣୁ ଏପରି ବ୍ରାଣ୍ଡ ଗୁଡ଼ିକର ପ୍ରମୋସନ ପାଇଁ ପ୍ରତିତାତ୍ମକ ଭାବରେ ସେହି ବ୍ରାଣ୍ଡର ସୋଢ଼ା, ପାଣି ଆଦିକୁ ନେଇ ବିଜ୍ଞାପନ କରାଯାଇଥାଏ। ଫିଲ୍ମ, ସିରିଏଲ ଗୁଡ଼ିକର ପ୍ରଦର୍ଶନ ସମୟରେ ମଦ୍ୟପାନ, ଧୂମ୍ରପାନ ଦୃଶ୍ୟ ଥିଲେ ସେହି ପ୍ରଡକ୍ଟକୁ ଝାଲସା କରିଦିଆ ଯାଇଥାଏ ଏବଂ ସେହି ସମୟରେ ସେଗୁଡ଼ିକର ସେବନର ମାରାତ୍ମକତା ନେଇ ବୈଧାନିକ ଚେତାବନୀ ଲେଖାଯାଇଥାଏ। ପ୍ରକୃତି ଏଠାରେ ସେପରି କିଛି କରି ନାହାଁନ୍ତି। ଯେତେବେଳେ କି ପ୍ରକୃତିଙ୍କ ଫେସବୁକ ଏବଂ ଇନଷ୍ଟାଗ୍ରାମ ପେଜ୍ ଭେରିଫାଇଡ୍ ଆକାଉଣ୍ଟ। ଉଭୟ ଆକାଉଣ୍ଟ ପାଇଁ ସେ ବ୍ଲୁ ଟିକ୍ ପାଇଛନ୍ତି। ସେ ଜଣେ ସେଲିବ୍ରେଟି, ତାଙ୍କୁ ଅନେକ ଲୋକ ଫଲୋ କରନ୍ତି।

ଯେତେବେଳେ ଜଣେ ସେଲିବ୍ରେଟି ହୋଇଯାଏ ତାଙ୍କ ବିଷୟରେ କିଛି ଉପସ୍ଥାପନା କରିବା ବେଳେ ତାଙ୍କ ଜୀବନୀ ଏବଂ ତାଙ୍କ ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ କଥା ମଧ୍ୟ ଉପସ୍ଥାପନା କରାଯାଇ ଥାଏ। ଆଉ ସେହି ସେଲିବ୍ରେଟିଙ୍କର ଯେତେବେଳେ ନକରାତ୍ମକ ଦିଗ ଗୁଡ଼ିକ ଉପସ୍ଥାପନା କରାଯାଏ, ସେହି ସମାନ କଥା ମଧ୍ୟ ହୋଇଥାଏ। କେବଳ ଯେ ପ୍ରକୃତିଙ୍କ ବାପା ଜଣେ ପରିଚିତ ଭଜନ ଗାୟକ ନୁହଁନ୍ତି। ତାଙ୍କ ମା’ ମଧ୍ୟ ଜଣେ ପରିଚିତ ଚେହେରା। ସେ ମଧ୍ୟ ଜଣେ ଆର୍ଟିଷ୍ଟ। ରାଜ୍ୟରେ ମଦ ବିକ୍ରି ବୃଦ୍ଧି ନେଇ ନବୀନ ସରକାରଙ୍କୁ ମଦୁଆ ସରକାର କହି ଅହରହ ଆକ୍ଷେପ କରୁଥିବା ବିଜେପି ଦଳର ସେ ଜଣେ ସକ୍ରିୟ ସଦସ୍ୟା। ଏହା ସହ ସେ ଅପରାଜିତାଙ୍କ ଅଜିତା ସଙ୍ଗଠନର ମଧ୍ୟ ସଦସ୍ୟା। ତେଣୁ ଏପରି କିପରି ହେବ ଜଣେ ନିଜେ ତୃଟି କରିବ ଆଉ ସମାଲୋଚନା ଶୁଣିଲା ବେଳକୁ ତାହାକୁ ତୃଟି ଦର୍ଶାଇ ଅପରାଧ ବୋଲି କହିବ। କାହାକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେବା ଅନୁଚିତ। କିନ୍ତୁ, ଏପରି ସ୍ଥିତିରେ ସମାଲୋଚନା ହେବାଟା ତ’ ସ୍ୱାଭାବିକ। /-ଦେବଦତ୍ତ ରଥ