Odiapua.com

ରେଖା ଅତିକ୍ରମ କରିଗଲେ ଲେଖା: ବିଜେପି ପାଇଁ ଖଞ୍ଜିଦେଲେ କିଳା; ପ୍ରଭାରୀ ପଡ଼ିପାରନ୍ତି ଭାରି ..

ଭୁବନେଶ୍ୱର: ଜୟ ଜଗନ୍ନାଥ। ଓଡ଼ିଶାର ପରିଚୟ ଜଗତର ନାଥ ଜଗନ୍ନାଥ। ଓଡ଼ିଶାକୁ ଜଗନ୍ନାଥ ଧାମ ବୋଲି ମଧ୍ୟ କୁହାଯାଏ। ଜଗନ୍ନାଥ ହେଲେ କୋଟି ଓଡ଼ିଆଙ୍କ ପରିଚୟ। ଜଗନ୍ନାଥଙ୍କ ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ। ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ବିଶ୍ୱରେ ଓଡ଼ିଶାର ପରିଚୟ। ପ୍ରଧାନମନ୍ତ୍ରୀ ଓଡ଼ିଶା ସନ୍ଦର୍ଭରେ କୌଣସି ଭାଷଣ ଦେବା ବେଳେ କିମ୍ବା ଓଡ଼ିଶା ଆସିଥିବା ସମୟରେ ତାଙ୍କ ଭାଷଣ “ଜୟ ଜଗନ୍ନାଥ”ରୁ ଆରମ୍ଭ କରନ୍ତି। ସମସ୍ତେ ଜାଣନ୍ତି କୋଟି ଓଡ଼ିଆଙ୍କ ମଉଡ଼ମଣି ପ୍ରଭୁ ଜଗନ୍ନାଥ ସାରା ଓଡ଼ିଆଙ୍କ ହୃଦୟରେ ବାସ କରନ୍ତି। ଆଉ ସେହି କାଳିଆ ଠାକୂର, ଜଗତର ନାଥ ପ୍ରଭୁ ଜଗନ୍ନାଥ ଯେଉଁ ସ୍ଥାନରେ ବାସ କରନ୍ତି ତାହା ହେଲା ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ପୁରୀ। କିନ୍ତୁ, ଦୁଃଖ, ଲଜ୍ଜା ଏବଂ ପରିତାପର ବିଷୟ ଧର୍ମ, ସଂସ୍କୃତି ଏବଂ ରାଷ୍ଟ୍ରବାଦର କଥା କହୁଥିବା ବିଜେପି ଓଡ଼ିଶାର ଜଣେ ନେତ୍ରୀ ଡଃ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଦୃଷ୍ଟିକୋଣରେ ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ପୁରୀ ଓଡ଼ିଶାରେ ନୁହେଁ, ପୁରୀ କଲିକତାରେ ବୋଲି କୁଆଡ଼େ ଲୋକେ ଭାବନ୍ତି। ଡାଃ ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରୁ ପାର୍ଥି ହେବା ପରେ କୁଆଡ଼େ ଦୁନିଆଁ ଜାଣିଲା ପୁରୀ ଓଡ଼ିଶାରେ। ଘୋର ଲଜ୍ଜା।

ନିକଟରେ ବିଜେପି ପକ୍ଷରୁ ପିପିଲିରେ ଚାଲିଥିବା ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ପ୍ରବକ୍ତା ଡାଃ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ସମ୍ବିତ ପାତ୍ରଙ୍କ ବାବଦରେ କହିବାକୁ ଯାଇ ମାତ୍ରାଧିକ ଚାଟୁକାରୀ କରି ଲେଖାଶ୍ରୀ କହିଲେ, ” ଅନେକ ଲୋକ ଅଛନ୍ତି, ଆମକୁ କହୁଛନ୍ତି ପୁରୀ କ୍ୟା କଲିକତା ମେ ହେ (ପୁରୀ କ’ଣ କଲିକତାରେ)। ସେମାନେ ଭାବୁଛନ୍ତି କି ପୁରୀ କଲିକତାରେ। ମୁଁ ତ’ ଭାବୁଛି ସମ୍ବିତ ଭାଇ ପୁରୀ ଲୋକସଭା ଆସନରୁ ଛିଡ଼ା ହେବାପରେ ବୋଧେ ଦେଶବାସୀ ଜାଣିଲେ ଯେ ପୁରୀ ଓଡ଼ିଶାରେ ବୋଲି। ନ’ହେଲେ ଅଧେ ଲୋକ ଭାବୁଥିଲେ ଯେ ପୁରୀ କଲିକତାରେ। ଆଉ କଲିକତାକୁ ସେମାନେ ଗୋଟେ ରାଜ୍ୟ ବୋଲି ଭାବନ୍ତି। ପଶ୍ଚିମବଙ୍ଗ ନୁହେଁ, କଲିକତା। ପୁରୀ କଲିକତାରେ।” ଲେଖାଶ୍ରୀଙ୍କ ଏପରି ଏକ ଭାଷଣର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଯାହାକୁ ନେଇ ବିଭିନ୍ନ ମହଲରୁ ଲେଖାଶ୍ରୀଙ୍କୁ ଭର୍ତ୍ସନା କରାଯାଉଛି। ଚାଟୁକାରୀ କରିବାର ଏକ ସୀମା ଥାଏ। କିନ୍ତୁ, ଓଡ଼ିଶା ବିଜେପିରେ ତାହା ମାତ୍ରାଧିକ ଦେଖାଯାଏ। ଯେଉଁଠି ବିଶେଷତଃ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ହିଁ ଚାଟୁକାରୀ କରାଯାଏ। ଲେଖାଶ୍ରୀ କିନ୍ତୁ ସେହି ଚାଟୁକାର ଗୋଷ୍ଠୀ ଭିତରେ ଅନ୍ୟ ମାନଙ୍କ ପରି ଏତେ ଆଗରେ ନଥିଲେ। ଏବେ କିନ୍ତୁ, ଲେଖାଶ୍ରୀ ରେକର୍ଡ କରିଦେଲେ। ତେବେ, ଆଶ୍ଚର୍ଯ୍ୟର କଥା ସେ ଚିରାଚରିତ ଭାବରେ ଚାଲିଥିବା ଧର୍ମେନ୍ଦ୍ରଙ୍କ ଚାଟୁକାରୀ ନ’କରି ସମ୍ବିତ ପାତ୍ରଙ୍କର କରିଦେଲେ। ଏହି ଚାଟୁକାର ନୀତି ଯୋଗୁଁ ହିଁ ଆଜି ଓଡ଼ିଶାରେ ବିଜେପି ବିଫଳ। ଧର୍ମେନ୍ଦ୍ର ସମାଲୋଚିତ ଆଉ ହାସ୍ୟାସ୍ପଦ। ଯାହା ଏବେ ସମ୍ବିତ ପାତ୍ରଙ୍କ କ୍ଷେତ୍ରରେ ଘଟିଗଲା।

“ତୋଷାମଦକାରୀ କ୍ଷିପ୍ତ ଶ୍ବାନ ପରି ସହଜେ ଚିହ୍ନା ନଯାଏ, ଭୃତ୍ୟଭାବ ଧରି ଗୋଡ଼ ଚାଟୁଚାଟୁ ବିଷ ଲେପି ଦେଇଥାଏ।”

ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଜଣେ ବିବାଦୀୟ ନେତ୍ରୀର ପରିଚୟ ପାଇଛନ୍ତି। ଲେଖାଶ୍ରୀ ସାମନ୍ତସିଂହାର। ଓଡ଼ିଶା ରାଜନୀତିରେ ସୋସିଆଲ୍ ମିଡିଆରେ ଅଧିକ ଟ୍ରୋଲ୍ ହେଉଥିବା ନେତ୍ରୀ ବୋଧେ ଲେଖାଶ୍ରୀ। କୌଣସି ଏକ କଥା ବିଜେପିର କୌଣସି ନେତ୍ରୀ କହିଲେ ଯାହା ସାଧାରଣରେ ଯାଏ, ସେହି ସମାନ କଥା ଲେଖାଶ୍ରୀ କହିଦେଲେ ଆରମ୍ଭ ହୋଇଯାଏ ବିବାଦ ଆଉ ସମାଲୋଚନା। ତେବେ, ଲେଖାଶ୍ରୀ ଦେଇଥିବା ତାଙ୍କର ଏହି ସଦ୍ୟତମ ମନ୍ତବ୍ୟ ସବୁ ସୀମା ଉଲଘଂନ କରିଦେଇଛି। ରେଖା ଅତିକ୍ରମ କରିଦେଇଛନ୍ତି ଲେଖା। ତାହା ପୁଣି ଏପରି ସମୟରେ ଯେତେବେଳେ କି ଏବେ ଦୁଇ ଦୁଇଟି ଉପ- ନିର୍ବାଚନରେ ବିଜେପି ଶୋଚନୀୟ ପରାଜୟ ବରଣ କରିଛି। ଆଗକୁ ହେବାକୁ ଯାଉଛି ସେହି ପୁରୀର ଜିଲ୍ଲା ପିପିଲି ଉପନିର୍ବାଚନ। ସେହି ଉପ- ନିର୍ବାଚନ ଉଦ୍ଦେଶ୍ୟରେ ପ୍ରାକ୍ ନିର୍ବାଚନୀ ପ୍ରଚାର ପାଇଁ ହିଁ ଆସିଥିଲେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର। ସାଙ୍ଗରେ ଥିଲେ ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ଯିଏ କି ପୁରୀ ଜିଲ୍ଲା ବିଜେପି ପ୍ରଭାରୀ। ଅର୍ଥାତ୍ ତାଙ୍କ ତତ୍ତ୍ୱାବଧାନରେ ପିପିଲି ନିର୍ବାଚନ ଲଢ଼ିବ ବିଜେପି। କିନ୍ତୁ, ନିର୍ବାଚନ ତାରିଖ ଘୋଷଣା ନ’ ହେଉଣୁ , ଆରମ୍ଭରୁ ବିଜେପି ପାଇଁ ଏକ ଶକ୍ତ କିଳା ସଜାଡ଼ି ଦେଲେଣି ଲେଖାଶ୍ରୀ। ଶୁଖିଲାଟାରେ ବିରୋଧୀଙ୍କ ହାତରେ ନିଜ ଦଳ ବିରୋଧରେ ପ୍ରୟୋଗ ପାଇଁ ଧରାଇଦେଲେ ଏକ ଇସ୍ୟୁ। ଯାହା ବିଜେପି ପାଇଁ ବଡ଼ ଘାତକ ସାବ୍ୟସ୍ତ ହୋଇପାରେ। ପିପିଲି ଉପ ନିର୍ବାଚନରେ ଲେଖାଶ୍ରୀଙ୍କ ଏହି ବିବାଦୀୟ ମନ୍ତବ୍ୟ ବିରୋଧୀଙ୍କ ପକ୍ଷରୁ ବ୍ୟବହାର ହୋଇପାରେ। ଯାହା ଏକ ବଡ଼ ଇସ୍ୟୁ ହେବା ପ୍ରାୟ ନିଶ୍ଚିତ। ଏବେଠାରୁ ବିଜେପି ବ୍ୟାକ ଫୁଟକୁ ଚାଲି ଆସିଲା। ଲେଖାଶ୍ରୀଙ୍କୁ ନେଇ ଏମିତିରେ ତ’ ବିରୋଧ ଆରମ୍ଭ ହୋଇଗଲାଣି। ତେବେ, ଯଦି ବା ବିଜେପି ପିପିଲି ନିର୍ବାଚନରେ ଏକ ସମ୍ମାନଜନକ ଲଢ଼େଇ ଚାହୁଁଥାଏ, ତେବେ ଲେଖାଶ୍ରୀଙ୍କ ପାଇଁ ଅଯଥା ଯୁକ୍ତି ନକରି ବରଂ ଲେଖାଶ୍ରୀଙ୍କୁ ନିଜର ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ବାଧ୍ୟ କରିବା ସହ, ସମ୍ବିତ ପାତ୍ର ଏ’ ନେଇ ସ୍ପଷ୍ଟୀକରଣ ଦେବା ଉଚିତ୍। ଲେଖାଶ୍ରୀଙ୍କୁ ପୁରୀ ପ୍ରଭାରୀ ଦାୟିତ୍ବରୁ ବା ପିପିଲି ନିର୍ବାଚନ ପରିଚାଳନା ଦାୟିତ୍ବରୁ ହଟାଇ ଦେଇ ନିର୍ବାଚନ ପ୍ରଚାର କାର୍ଯ୍ୟରୁ ତାଙ୍କୁ ସଂପୂର୍ଣ୍ଣ ଦୂରେଇ ରଖିବା ଉଚିତ୍। ନହେଲେ ଏହା ବିଜେପି ପାଇଁ ଯେ ଭାରୀ ପଡ଼ିବ, ତାହା ଜଳଜଳ ହୋଇ ଦିଶୁଛି।
/- ଦେବଦତ୍ତ ରଥ