Odiapua.com

କ’ଣ ଚାହିଁଦେଲେ ଡେଇଁଯାଏ କି ଆଖିଧରା ରୋଗ?

ଭୁବନେଶ୍ୱର: ଆଖିଧରା ହେଉଛି ଏକ ସଂକ୍ରାମକ ରୋଗ। ବର୍ଷା ଦିନରେ କିମ୍ବା ଋତୁ ପରିବର୍ତ୍ତନ କାରଣରୁ ସଂକ୍ରମଣ ହୋଇ ଆଖି ଲାଲ୍‌ ହୋଇଯାଏ। ଆଖିଧରାକୁ ଇଂରାଜୀରେ ପିଙ୍କ୍‌ ଆଏ ଡିଜିଜ୍‌ ବୋଲି କୁହାଯାଏ। ଏବେ ଆଖିଧରା ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଥିବାବେଳେ ଏହାର ଚିକିତ୍ସା ଓ ପ୍ରତିଷେଧକ ପାଇଁ ହୋମିଓପ୍ୟାଥି ଔଷଧ ମଧ୍ୟ ସହାୟକ ହୋଇଥାଏ। ବର୍ଷା ଆରମ୍ଭରୁ ରାଜ୍ୟସାରା ମାଡ଼ିଗଲାଣି ଆଖିଧରା ରୋଗ। ଆଖିଧରା ଏକ ସ୍ପର୍ଶଜନିତ ସଂକ୍ରାମକ ରୋଗ ହୋଇଥିବାରୁ ଏହାର ପ୍ରତିଷେଧକ ପାଇଁ ମାର୍ଗଦର୍ଶିକା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ। ଆଖିଧରା ରୋଗକୁ କଞ୍ଜୁଙ୍କଟିଭିଟିସ ବା ପିଙ୍କ ଆଇ ବୋଲି କୁହାଯାଏ। ଏହି ରୋଗ ହେଲେ ଆଖି ଲାଲ୍ ପଡ଼ିବା ସହ ଖୁଞ୍ଚି ହୁଏ। ଆଖିରୁ ପାଣି ବୋହିବା ସହ ଲେଞ୍ଜରା ବାହାରେ। ଆଖିଧରା ରୋଗ ଉଭୟ ଭୂତାଣୁ ଓ ଜୀବାଣୁ ଜନିତ। ଭୂତାଣୁ ଜନିତ ଆଖିଧରାରେ ଆଖି ଲାଲ୍ ପଡ଼ିବା ସହ ଲୁହ ବାହରିଥାଏ। କିନ୍ତୁ ଜୀବାଣୁ ଜନିତ ଆଖିଧରାରେ ଆଖିରୁ ପ୍ରଚୁର ପରିମାଣର ଲେଞ୍ଜରା ବାହାରିଥାଏ, ଆଖି ଲାଖିଯାଏ। ସଚେତନତା ଅଭାବରୁ ଛୋଟ ପିଲା ଓ ସ୍କୁଲ ଛାତ୍ରଛାତ୍ରୀଙ୍କଠାରେ ଏହା ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଛି। ଚକ୍ଷୁରୋଗ ବିଶେଷଜ୍ଞଙ୍କ କୁହନ୍ତି, ରୋଗୀର ଆଖିକୁ ଦେଖିବା ଦ୍ୱାରା ଆଖିଧରା ରୋଗ ବ୍ୟାପୀ ନଥାଏ। ଏହା କେବଳ ଏକ ଅନ୍ଧବିଶ୍ୱାସ। ମୁଖ୍ୟତଃ ସଂକ୍ରମିତ ରୋଗୀର ଲୁହ ଓ ଲେଞ୍ଜରା ଜରିଆରେ ଆଖିଧରା ରୋଗ ସଂକ୍ରମିତ ହୋଇଥାଏ। ତେଣୁ ଆଖିଧରା ହୋଇଥିଲେ ରୋଗୀ ନିଜ ଆଖିଠାରୁ ହାତକୁ ଦୂରେଇ ରଖିବା ସହ ବାରମ୍ବାର ହାତ ଧୁଅନ୍ତୁ।ଆଖିରୋଗ ସଂକ୍ରାମକ ହୋଇଥିବାରୁ ଖୁବ୍‌ଶୀଘ୍ର ଅନ୍ୟମାନଙ୍କୁ ବ୍ୟାପିଥାଏ। ତେଣୁ କେତେକ ସାବଧାନତା ଅବଲମ୍ବନ କରିବା ଉଚିତ। ଆଖି ଧରିଥିବା ଲୋକଙ୍କ ବ୍ୟବହୃତ ଜିନିଷ ବ୍ୟବହାର କରିବା ଉଚିତ ନୁହେଁ। ଆଖିଧରାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ, ତଉଲିଆ ଓ ତକିଆ ଆଦି ବ୍ୟବହାର କରନ୍ତୁ ନାହିଁ। ତାଙ୍କ ଆଇ- ଡ୍ରପ ବି ବ୍ୟବହାର କରନ୍ତୁ ନାହିଁ। ଚଷମା ପିନ୍ଧୁଥିଲେ, ନିୟମିତ ସଫା କରନ୍ତୁ। ସୁଇମିଂ ପୁଲ୍ କିମ୍ବା ପୋଖରୀରେ ମୁହଁ ବୁଡ଼ାନ୍ତୁ ନାହିଁ। ଆଖିରେ କସ୍ମେଟିକ୍ ଓ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରନ୍ତୁ ନାହିଁ। ଆଖି ଧରିଲେ ପରିଷ୍କାର କପଡ଼ାକୁ ଉଷୁମ ପାଣିରେ ପକାଇ ଆଖି ପୋଛନ୍ତୁ। ଡାକ୍ତରଙ୍କ ବିନା ପରାମର୍ଶରେ ଆଖିରେ କୌଣସି ଔଷଧ ପକାନ୍ତୁ ନାହିଁ। ବାହାରୁ ଘରକୁ ଆସିଲେ ହାଲ୍‌କା ଉଷୁମ ପାଣିରେ ଭଲ ଭାବେ ହାତଗୋଡ଼ ଧୋଇ ଦିଅନ୍ତୁ। ଏହାପରେ ଉଷୁମ ପାଣିରେ ଷ୍ଟେରାଲାଇଜ୍‌ କଟନ୍‌ ବା ତୁଳା ବୁଡ଼ାଇ ଆଖିକୁ ୨ରୁ ୩ ଥର ପୋଛନ୍ତୁ। ଚଷମାକୁ ଭଲ ଭାବେ ସଫା କରନ୍ତୁ। ବାରମ୍ବାର ଆଖିରେ ହାତ ଲଗାନ୍ତୁ ନାହିଁ। ପ୍ରତ୍ୟେକ ଦିନ ବ୍ୟବହାର କରୁଥିବା ରୁମାଲ୍‌କୁ ଡିଟରଜେଣ୍ଟରେ ସଫା କରିବା ପରେ ଡେଟଲ୍‌ରେ ବୁଡ଼ାଇ ଖରା ପଡ଼ୁଥିବା ସ୍ଥାନରେ ଶୁଖାନ୍ତୁ। ଆଇଡ୍ରପ୍‌କୁ ମଧ୍ୟ ସଫାସୁତରା ସ୍ଥାନରେ ରଖନ୍ତୁ। ଗୋଟିଏ ଆଇଡ୍ରପ୍‌କୁ କେବଳ ଜଣଙ୍କ ପାଇଁ ବ୍ୟବହାର କରନ୍ତୁ।
-/DevD®ath