Odiapua.com

ରାଫେଲର ବି ଧର୍ମ ଖୋଜିଲେଣି କଂଗ୍ରେସୀ ବାବା: ରାଜନାଥଙ୍କ ଶସ୍ତ୍ର ପୂଜନ ହିନ୍ଦୁବାଦୀ; କମଳନାଥଙ୍କ ଶସ୍ତ୍ର ପୂଜନ ଧର୍ମନିରପେକ୍ଷ!

ନୂଆଦିଲ୍ଲୀ: ବାବା ଯେ କେବଳ ବିଜେପିରେ ଅଛନ୍ତି ସେପରି ନୁହେଁ, କଂଗ୍ରେସରେ ବି ବାବା ଅଛନ୍ତି।ସେମାନେ ନିଜକୁ ସେକୁଲାର ବାବା କୁହନ୍ତି।କିନ୍ତୁ, ସେମାନେ ସେକୁଲାରଜିମ (ଧର୍ମ ନିରପେକ୍ଷ) ନାଁ’ ରେ ସବୁବେଳେ ହିନ୍ଦୁ ଧର୍ମକୁ ହିଁ ବିରୋଧ କରନ୍ତି।ଆରଏସଏସ, ବିଜେପି ଏବଂ ମୋଦୀଙ୍କୁ ବିରୋଧ କରିବାକୁ ଯାଇ ଏମାନେ ହିନ୍ଦୁ ଧର୍ମ ଏପରିକି ରାଷ୍ଟ୍ର ବିରୋଧୀ ମନ୍ତବ୍ୟ ମଧ୍ୟ ଦିଅନ୍ତି।ଯେପରି ଏଇ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍।ବିଜୟା ଦଶମୀରେ ବାୟୁସେନାର ଯୁଦ୍ଧ ଯାହାଜ ତାଲିକାରେ ସାମିଲ ହୋଇଗଲା ଦେଶର ସବୁଠୁ ବଡ ଶତୃ ସଂହାରକ ରାଫେଲ।ବିଜୟାଦଶମୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଥମେ ପ୍ରଥମ ରାଫେଲର ଶସ୍ତ୍ର ପୂଜା କରିଥିଲେ।ରାଫେଲ ବିମାନରେ ସିନ୍ଦୁରରେ ଲେଖାଯାଇଥିଲା ॐ।ରାଜନାଥ ବିମାନରେ ॐ ଲେଖିଥିଲେ।ପରମ୍ପରା ଅନୁସାରେ ରାଫେଲ ବିମାନର ଚକା ତଳେ ଲେମ୍ବୁ ରଖାଯାଇଥିଲା।ଆଉ ରାଜନାଥଙ୍କ ଉପସ୍ଥିତିରେ ବିଧି ଅନୁସାରେ କରାଯାଇଥିଲା ପୂଜାର୍ଚ୍ଚନା।ଏହା ଭାରତୀୟଙ୍କ ପାଇଁ ଥିଲା ଖୁସିର ମୁହୂର୍ତ୍ତ।ଆଉ ପାକିସ୍ଥାନ ପାଇଁ ଥିଲା ଟେନ୍ସନର କାରଣ।କିନ୍ତୁ, ବୋଧେ ଏହା ସବୁ ଭାରତୀୟଙ୍କ ପାଇଁ ଯେ ଖୁସିର ମୁହୂର୍ତ୍ତ ଥିଲା, ସେପରି ନୁହେଁ।ପାକିସ୍ଥାନ ସମେତ ଭାରତରେ ବି ବୋଧେ କେତେ ଜଣଙ୍କ ପାଇଁ ଏହା ଥିଲା ଦୁଃଖଦାୟକ!

କଂଗ୍ରେସୀ ବାବା ପ୍ରମୋଦ କୃଷ୍ଣମ୍ ରାଫେଲକୁ ନେଇ ଏକ ଟ୍ୱିଟ କରିଛନ୍ତି।ପ୍ରମୋଦ ଲେଖିଛନ୍ତି, “ରକ୍ଷାମନ୍ତ୍ରୀ ହିନ୍ଦୁ ଅଟନ୍ତି।ତେଣୁ ରାଫେଲରେ ଚନ୍ଦନ ଲଗାଇ ॐ ଲେଖିଦେଲେ।କିନ୍ତୁ, ମନ୍ତ୍ରୀ ଯଦି ମୁସଲିମ୍ ହୋଇଥାଆନ୍ତେ, ତେବେ କ’ଣ ଅଜାନ ଦେଇଥାଆନ୍ତେ?ଏପରି ଲାଗୁଛି, ଏବେ ସମ୍ବିଧାନରୁ ସେକୁଲାର ଶବ୍ଦ ହଟାଇ ଦେବା ଉଚିତ”।ବିଜୟାଦଶମୀରେ ଭାରତୀୟ ସଂସ୍କୃତିରେ ଶସ୍ତ୍ର ପୂଜନ ବିଧି ରହିଛି।ଦଶହରା ଏବଂ ବାୟୁସେନା ଦିବସ ଗୋଟିଏ ଦିନରେ ପଡ଼ିଥିବାରୁ ରକ୍ଷାମନ୍ତ୍ରୀ ପୂଜନ କରିଥିଲେ।ରାଫେଲ ପୂଜନକୁ ନେଇ ଭାରତରେ କୌଣସି ମୁସଲିମ୍ ଧର୍ମଗୁରୁ ସେପରି ପ୍ରଶ୍ନ ଉଠାଇନଥିବା ବେଳେ ପ୍ରଶ୍ନ ଉଠାଇଛନ୍ତି ଜଣେ କଂଗ୍ରେସୀ ବାବା।ତେବେ ଏଠାରେ ଆଉ ଏକ କଥା ଠିକ୍ ଏହା ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ବିଜୟାଦଶମୀରେ ଶସ୍ତ୍ର ପୂଜନ କରିଥିବା ନେଇ କରିଥିବା ଟ୍ୱିଟକୁ ରିଟ୍ୱିଟ କରିଛନ୍ତି ଏହି କଂଗ୍ରେସୀ ବାବା।ଏହା କଂଗ୍ରେସୀ ବାବାଙ୍କ ଦୋହରା ଚରିତ୍ର।ଏଇ କିଛି ଦିନ ତଳେ ଏହି କଂଗ୍ରେସୀ ବାବା ପ୍ରମୋଦ ଚନ୍ଦ୍ରାୟାନକୁ ନେଇ କରିଥିଲେ ପ୍ରଶ୍ନ।ପ୍ରମୋଦ ଟ୍ୱିଟ କରିଥିଲେ, ”ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ବାଲାକୋଟ ଆକ୍ରମଣର ପ୍ରମାଣ ମାଗିବା ଯୋଗୁଁ ଭୟଙ୍କର କ୍ଷତି ହେବା କାରଣରୁ ବିପକ୍ଷ ଏତେ ଭୟଭୀତ ହୋଇଯାଇଛି ଯେ ଚନ୍ଦ୍ରୟାନର ଅସଫଳତା ନେଇ କୌଣସି ପ୍ରଶ୍ନ ଉଠାଉ ନାହିଁ”।ତେବେ ପ୍ରମୋଦଙ୍କ କ’ଣ କହିବା କଥା ଥିଲା ଯେ ଏହି ପ୍ରଶ୍ନ ଉଠାଯାଉ?ଏହା ଆରଏସଏସ, ବିଜେପି, ମୋଦୀଙ୍କୁ ବିରୋଧ ନାଁ ରାଷ୍ଟ୍ରୀୟତାକୁ ବିରୋଧ?

ଲମ୍ବା ଧଳା ଦାଢ଼ି, ଧଳା ବସ୍ତ୍ର ମଥାରେ ତିଳକ ଧାରୀ ଏହି ବାବା ନିଜକୁ କଳ୍କୀ ପିଠାଧୀଶ୍ଵର କୁହନ୍ତି।କଳ୍କୀ ଫାଉଣ୍ଡେସନ ନାମରେ ଏକ ସଂସ୍ଥା ଗଠନ କରିଛନ୍ତି।ପ୍ରତିବର୍ଷ କଳ୍କୀ ଫାଉଣ୍ଡେସନ ପକ୍ଷରୁ କଳ୍କୀ ମହୋତ୍ସବ ଆୟୋଜନ କରାନ୍ତି ଆଚାର୍ଯ୍ୟ ପ୍ରମୋଦ।ଏହି ଧାର୍ମିକ ମହୋତ୍ସବରେ ଅପସଂସ୍କୃତି ଯୁକ୍ତ ଅଶ୍ଳୀଳ ତଥା ଆଧୁନିକ ଡ୍ୟାନ୍ସ ପରିବେଷଣ ହୁଏ।ଏଣେ ଆରଏସଏସ, ବିଜେପି ଏବଂ ମୋଦୀଙ୍କୁ ବିରୋଧ କରିବାକୁ ଯାଇ ଆଚାର୍ଯ୍ୟ ପ୍ରମୋଦ ହିନ୍ଦୁତ୍ୱ ବିରୋଧରେ କୁହନ୍ତି, ମୋଦୀ (ପ୍ରଧାନମନ୍ତ୍ରୀ)ଙ୍କ ବାବଦରେ ଅପଶବ୍ଦ ବ୍ୟବହାର କରନ୍ତି।ତେଣେ ମୁସଲିମ୍ ମେହେଫିଲରେ ଅତିଥି ଭାବରେ ଯାଇ ହିନ୍ଦୁତ୍ୱକୁ କଟାକ୍ଷ କରନ୍ତି।ତିନି ତଲାକ ଉଚ୍ଛେଦକୁ ସେ ବିରୋଧ କରି ମୁସଲିମ୍ ଋଢ଼ିବାଦ କୁପ୍ରଥାକୁ ସମର୍ଥନ ଦିଅନ୍ତି।କିନ୍ତୁ ଏଣେ ହିନ୍ଦୁ ପରମ୍ପରାକୁ ବିରୋଧ କରନ୍ତି।୨୦୧୯ ନିର୍ବାଚନରେ ସେ କଂଗ୍ରେସ ଟିକଟରୁ ବିଜେପି ପାର୍ଥି ରାଜନାଥ ସିଂହଙ୍କ ବିପକ୍ଷରେ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଆସନରୁ ଲଢ଼ିଥିଲେ।ତେବେ ପ୍ରମୋଦଙ୍କ ଆମାନତ ଜବତ ହୋଇ ଯାଇଥିଲା।୨୦୧୪ରେ ମଧ୍ୟ ସେ କଂଗ୍ରେସ ଟିକଟରେ ସାମ୍ଭାଲ ଆସନରୁ ଲଢ଼ି ଶୋଚନୀୟ ପରାଜୟ ବରଣ କରିଥିଲେ।ସୂଚନାଯୋଗ୍ୟ ଯେ ଅଖିଳ ଭାରତୀୟ ଆଖଡ଼ା ପରିଷଦ ଜାରୀ କରିଥିବା “ନକଲି ଧର୍ମଗୁରୁ”ଙ୍କ ଲିଷ୍ଟରେ ପ୍ରମୋଦ କୃଷ୍ଣମଙ୍କ ନାମ ରହିଛି।ନିୟମ ଅନୁଯାୟୀ ଘର ଏବଂ ପରିବାର ଛାଡ଼ୁ ନଥିବା ସହିତ ସନ୍ଥ ପରମ୍ପରା ପାଳନ କରୁନଥିବା କାରଣରୁ ପ୍ରମୋଦ କୃଷ୍ଣମଙ୍କୁ ସନ୍ଥ ସମାଜରୁ ବିତାଡ଼ିତ କରି ଦିଆଯାଇଛି।//ଦେବଦତ୍ତ ରଥ