– ସରକାରଙ୍କ ଦେଶବ୍ୟାପୀ ବିଭିନ୍ନ ପ୍ରକାର ପ୍ରୟାସରେ ହାତ ମିଳାଇଲେ ସ୍ୱୟଂ ସହାୟକ ଗୋଷ୍ଠୀ,
– ଲୋକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଅବ୍ୟାହତ ରଖିବାରେ କଲେ ସହଯୋଗ;
– ସ୍ୱାସ୍ଥ୍ୟ କର୍ମୀଙ୍କ ସହ ହାତ ମିଳାଇ ଶିଶୁ, କିଶୋର ଏବଂ ମାତୃ ସ୍ୱାସ୍ଥ୍ୟ ତଥା ପୃଷ୍ଟି ସମ୍ପର୍କିତ ସାମଗ୍ରୀ ଉପଲବ୍ଧ କରାଇବାରେ ମହିଳା ଗୋଷ୍ଠୀଙ୍କ ବିଶେଷ ଯୋଗଦାନ
ନୂଆ ଦିଲ୍ଲୀ ୧୩-୪ (ଓଡ଼ିଆ ପୁଅ) ବୈଶ୍ୱିକ ମହାମାରୀ କୋଭିଡ-୧୯ର ସଂକ୍ରମଣ ଯୋଗୁ ଏବେ ଦେଶବ୍ୟାପୀ ଲକଡାଉନ୍ ଜାରି ରହିଛି ଏବଂ ଏହାଦ୍ୱାରା ବ୍ୟାପକ ସଂଖ୍ୟକ ଦୁର୍ବଳ ଶ୍ରେଣୀର ଲୋକ ଭୋକ ଉପାସରେ ରହିବା ଭଳି ପରସ୍ଥିତି ସୃଷ୍ଟି ହୋଇଥିଲା। ଯେଉଁମାନେ ଏଭଳି ଅଭୂତପୂର୍ବ ମହାମାରୀ ଏବଂ ଲକଡାଉନ୍ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛନ୍ତି ସେମାନେ ହେଲେ ଦିନ ମଜୁରିଆ, ଦେଶାନ୍ତରୀ ଶ୍ରମିକ, ବାସହୀନ, ଗରିବ ତଥା ସର୍ବଦା ବିଭିନ୍ନ ଆଡ଼େ ଘୂରି ବୁଲୁଥିବା ଯାଯାବର ଶ୍ରେଣୀର ଲୋକ। ଏଭଳି ପରିସ୍ଥିତିରେ ସେମାନଙ୍କୁ ଖାଦ୍ୟ ଯୋଗାଇବା ଦିଗରେ ଗୋଷ୍ଠୀ ପାକଶାଳା ହିଁ ଏକମାତ୍ର ସମାଧାନ ପନ୍ଥା ରୂପେ ମୁଣ୍ଡ ଟେକିଛି। ଏଭଳି ଗୋଷ୍ଠୀ ପାକଶାଳା ଆରମ୍ଭ କରାଯିବା ପଛରେ ଥିବା ମୂଳ ଉଦ୍ଦେଶ୍ୟଟି ହେଲା ସେହିଭଳି ଦୁର୍ବଳ ଓ ଗରିବ ଲୋକମାନଙ୍କୁ ଶସ୍ତାରେ ପୌଷ୍ଟିକ ଆହାର ଯୋଗାଇବା ଏବଂ ଯେଉଁମାନଙ୍କ ନିକଟରେ ଖାଦ୍ୟ ସଂଗ୍ରହ ପାଇଁ ଅର୍ଥ ନାହିଁ ସେମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବା।
ଦେଶର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ଉପସ୍ଥିତି ଏବଂ ସେମାନଙ୍କର ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ସହ ଥିବା ସଂପର୍କ ଏଭଳି ଗୋଷ୍ଠୀ ପାକଶାଳା/ ଦିଦିଙ୍କ କାଫେ କାର୍ଯ୍ୟ ସେମାନଙ୍କ ଉପରେ ନ୍ୟସ୍ତ କରିବା କାର୍ଯ୍ୟକୁ ସୁଗମ କରିପାରିଥିଲା। ଏହି କ୍ରମରେ ଦେଶର ପାଞ୍ଚଟି ରାଜ୍ୟ- ଓଡ଼ିଶା, ବିହାର, ଝାଡ଼ଖଣ୍ଡ, କେରଳ ଓ ମଧ୍ୟ ପ୍ରଦେଶରେ ଏଭଳି ଲକଡାଉନ୍ ବେଳେ ପ୍ରାୟ ୧୦ ହଜାର ଗୋଷ୍ଠୀ ପାକଶାଳା ଆରମ୍ଭ କରାଯାଇଛି। ଏହିସବୁ ପାକଶାଳା ଉପରୋକ୍ତ ରାଜ୍ୟର ୭୫ଟି ଜିଲ୍ଲାରେ ବିସ୍ତାରିତ ଏବଂ ତାହା ଜରିଆରେ ପ୍ରାୟ ୭୦ ହଜାର ଦୁର୍ବଳ ଓ ଗରିବ ଶ୍ରେଣୀର ଲୋକଙ୍କୁ ଦୈନିକ ଦୁଇଟି ଲେଖାଏଁ ମିଲ୍ ଯୋଗାଇ ଦିଆଯାଉଛି। ଅନ୍ୟ ରାଜ୍ୟମାନେ ମଧ୍ୟ ଏଭଳି ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।
କେରଳ: ଏହି ରାଜ୍ୟରେ କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ସଂଖ୍ୟ ବେଶ୍ ଅଧିକ। ସେଠାରେ ‘କୁଡ଼ୁମ୍ବଶ୍ରୀ’ ନାମକ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ସ୍ଥାନୀୟ ସରକାରଙ୍କ ସହ ସହଭାଗୀତା ଭିତ୍ତିରେ ଏକ ଗୋଷ୍ଠୀ ପାକଶାଳା ଚଳାଇ ଆସୁଛି। ସେଠାରେ ଥିବା ଦେଶାନ୍ତରୀ ଶ୍ରମିକ ଓ ଦାରିଦ୍ର ଭିତରେ ସଢ଼ୁଥବା ପରିବାରର ସଦସ୍ୟମାନଙ୍କୁ ଖାଦ୍ୟ ଯୋଗାଣର ବ୍ୟବସ୍ଥା କରାଯାଇଛି। ଏସଏଚଜି ପକ୍ଷରେ ସେଠାରେ ଯେଉଁ ମୌଳିକ ଖାଦ୍ୟ ତାଲିକା ପ୍ରସ୍ତୁତ କରାଯାଇଛି ସେଥିରେ ଘିଅଭାତ ଓ କୁକୁଡ଼ା ମାଂସ ତରକାରୀ ରହିଛି। ଗୋଷ୍ଠୀ ପାକଶାଳାରେ ଖାଦ୍ୟ ପ୍ରସ୍ତୁତ ହେବା ପରେ ତାହାକୁ ଛୋଟ ଛୋଟ ପ୍ୟାକେଟରେ ପ୍ୟାକିଂ କରାଯାଇଥାଏ ଏବଂ ଏହା ପରେ ତାହାକୁ ଗ୍ରାମାଞ୍ଚଳ ଗୋଷ୍ଠୀଙ୍କ ନିକଟକୁ ପଠାଇ ଦିଆଯାଇଥାଏ। ସେହିସବୁ ଛୋଟ ପ୍ୟାକେଟଗୁଡ଼ିକ ଗ୍ରାମାଞ୍ଚଳର ଅନେକ ଲୋକଙ୍କ ପାଇଁ ବିଶେଷ ସହାୟକ ହୋଇପାରିଛି, ବିଶେଷ କରି ଯେଉଁମାନଙ୍କୁ ଘରୋଇ ସଂଗରୋଧରେ ରଖାଯାଇଛି। ସେମାନେ ସଂଗରୋଧରେ ରହି ସୁଦ୍ଧା ସହଜରେ ପୌଷ୍ଟିକ ଆହାର ପାଇପାରୁଛନ୍ତି।
ତ୍ରିପୁରାରେ ସ୍ଥାପିତ ଗୋଷ୍ଠୀ ପାକଶାଳା ଚୁକ୍ତି ତ୍ରିପୁରା ସରକାର ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ କରିଛନ୍ତି। ଏହି ଏସଏଚଜିଗୁଡ଼ିକ ବ୍ୟାପକ ମାତ୍ରାରେ ଖାଦ୍ୟପଦାର୍ଥ ପ୍ରସ୍ତୁତ କରି ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ନିକଟରେ ତାହା ଉପଲବ୍ଧ କରାଉଛନ୍ତି। ଅରୁଣାଚଳ ପ୍ରଦେଶର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ସ୍ଥାନୀୟ ପ୍ରଶାସନକୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍ତି ଏବଂ କୋଭିଡ-୧୯ ସଂକ୍ରମଣ ବେଳେ ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀମାନଙ୍କୁ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ଚା ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଯୋଗାଇ ଆସୁଛନ୍ତି। ସେହିଭଳି ଏଭଳି କର୍ମଚାରୀମାନଙ୍କୁ ସେମାନେ ମାଗଣାରେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ମାସ୍କ, ଚାଉଳ ଏବଂ ପନିପରିବା ମଧ୍ୟ ଯୋଗାଉଛନ୍ତି।
ଓଡ଼ିଶାରେ ପ୍ରାୟ ୭୦ ଲକ୍ଷ ମହିଳା ସଦସ୍ୟ ୬ ଲକ୍ଷ ମିଶନ ଶକ୍ତି ଏସଏଚଜି ଅଧୀନରେ କାର୍ଯ୍ୟରତ ଅଛନ୍ତି। ସେମାନେ ଏଭଳି ଦୁଃସମୟରେ ଗରିବ ଲୋକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯଥା, ଶୁଖିଲା ରାସନ, ଅନ୍ୟାନ୍ୟ ରନ୍ଧନ ସାମଗ୍ରୀ, ରନ୍ଧା ଖାଦ୍ୟ ଯୋଗାଉଛନ୍ତି। ଏଥିପାଇଁ ସେମାନେ ଗୋଷ୍ଠୀ ପାକଶାଳା ଆରମ୍ଭ କରିଛନ୍ତି। ମିଶନ ଶକ୍ତି ପକ୍ଷରୁ ଚଳାଯାଉଥିବା ଗୋଷ୍ଠୀ ପାକଶାଳା ମାଧ୍ୟମରେ ଦୈନିକ ପ୍ରାୟ ୪୫, ୦୦୦ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି।
ଝାଡ଼ଖଣ୍ଡ ଏଭଳି ପରିସ୍ଥିତିରେ ଆରମ୍ଭ କରିଛି ମୁଖ୍ୟମନ୍ତ୍ରୀ ଦିଦି କିଚେନ୍ (ଏମଏମଡ଼ିକେ) ଯାହା ମାଧ୍ୟମରେ ଗରିବ, ଭିନ୍ନକ୍ଷମ, ଶିଶୁ ଏବଂ ଗ୍ରାମର ଚିହ୍ନିତ ଦରିଦ୍ରତମ ଲୋକମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯାଉଛି। ଏବେ ରାଜ୍ୟସାରା ବିଭିନ୍ନ ପଞ୍ଚାୟତରେ ୪୧୮୫ଟି ଗୋଷ୍ଠୀ ପାକଶାଳା ମାଧ୍ୟମରେ ଏଭଳି କାର୍ଯ୍ୟ ସଂପାଦନ କରାଯାଉଛି।
ଜମ୍ମୁ ଓ କଶ୍ମୀରରେ, ସ୍ୱୟଂ ସହାୟକ ଗୋଷ୍ଠୀମାନେ ସଦାସର୍ବଦା ରାଜ୍ୟରେ ଅଟକି ରହିଥିବା ବାହାର ରାଜ୍ୟର ଶ୍ରମିକମାନଙ୍କ ସହ ସଂପର୍କରେ ଅଛନ୍ତି ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କର ସମସ୍ତ ପ୍ରକାର ମୌଳିକ ଆବଶ୍ୟକତା ପୂରଣ କରୁଛନ୍ତି।
ଏସଏଚଜି ମହିଳାମାନେ ଲକଡାଉନ ସତ୍ତ୍ୱେ ଦୁର୍ଗତ ଲୋକମାନଙ୍କୁ ଅତ୍ୟାବଶ୍ୟକ ପୌଷ୍ଟିକ ଆହାର ତଥା ସ୍ୱାସ୍ଥ୍ୟସେବା ଯୋଗାଣ ସୁନିଶ୍ଚିତ କରିଛନ୍ତି-
“ଘରେ ରହନ୍ତୁ, ନିରାପଦ ରହନ୍ତୁ” ଭଳି ପରାମର୍ଶକୁ ସାକାର କରିବା ସକାଶେ ଘରେ ଅତ୍ୟାବଶ୍ୟକ ସାମଗ୍ର ତଥା ସେବା ଥିବା ଆବଶ୍ୟକ କିମ୍ବା ତାହା ଦ୍ୱାରଦେଶରେ ଅବା ନିକଟରେ ଉପଲବ୍ଧ ହେଉଥିବା ଉଚିତ। ଏଭଳି ବାସ୍ତବତାକୁ ଉପଲବ୍ଧ କରି ଦେଶବ୍ୟାପୀ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ମାନେ ସେମାନେ ନିଜ ନିଜ ଉପାୟ ଓ ସାମର୍ଥ୍ୟ ଅନୁସାରେ ଗରିବ ଓ ଦୁର୍ଗତ ଲୋକମାନଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ଦିଗରେ ଗୁରୂତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଏଭଳି କାର୍ଯ୍ୟ ସଂପାଦନ ବେଳେ ସେମାନେ ସାମାଜିକ ଦୂରତା ରକ୍ଷାର ସକଳ ପ୍ରକାର ନିୟମକୁ ପରିପାଳନ କରିଛନ୍ତି। ସେହିସବୁ ଅତ୍ୟାବଶ୍ୟକ ସାମଗ୍ର ଭିତରେ “ତୁରନ୍ତ ଖାଇବାକୁ ସକ୍ଷମ” ଉତ୍ପାଦନ, ଘରକୁ ନେବା ଭଳି ରାସନ୍, ଲୋକଙ୍କ ଦ୍ୱାରଦେଶରେ ଶୁଖିଲା ରାସନ ଓ ତଟକା ପନିପରିବା ଉପଲବ୍ଧ କରାଉଛନ୍ତି ତଥା ମହିଳାମାନଙ୍କୁ ସେମାନଙ୍କର ମାସିକ ଧର୍ମ ସ୍ୱାସ୍ଥ୍ୟରକ୍ଷା ସଂପର୍କରେ ସେବା ଯୋଗାଇ ଦେଉଛନ୍ତି। ବୈଦ୍ୟୁତିକ ଯାନ ଏବଂ ଅନ୍ୟାନ୍ୟ ପ୍ରକାର ଯାନବାହନରେ ଏନଆରଏଲଏମ ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ୍ ଯୋଜନା (ଏଜିଇୱାଇ)କୁ ବିଭିନ୍ନ ରାଜ୍ୟରେ ଉପଯୋଗ କରାଯାଉଛି। ‘ଭେଜିଟେବଲ ଅନ ହ୍ୱିଲ୍ସ’, ‘ଫ୍ଲୋଟିଂ ସୁପରମାର୍କେଟ୍ସ’ ଭଳି ଚିନ୍ତାଧାରାକୁ ‘ଦିଦି’ ସ୍ୱୟଂ ସହାୟକ ଗୋଷ୍ଠୀ ଏଭଳି ଆହ୍ଵାନ ସମୟରେ ବାସ୍ତବ ରୂପ ଦେଇ ଲୋକମାନଙ୍କ ସମସ୍ୟାର ସମାଧାନ କରିପାରୁଛି। ଓଡ଼ିଶା ଓ ଛତିଶଗଡ଼ରେ ମହିଳାମାନେ ଅଣ୍ଡା ସହିତ ଘରକୁ ନେଇଯିବା ଭଳି ରାସନ୍ ବିତରଣ କରୁଛନ୍ତି। ଏହା ମାଧ୍ୟମରେ ସେମାନେ ପାଞ୍ଚ ବର୍ଷରୁ କମ୍ ଆୟୁର ଶିଶୁ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ନିକଟରେ ପହଞ୍ଚି ପାରୁଛନ୍ତି ଯେଉଁମାନେ କି ଦୁର୍ବଳ ଓ ପ୍ରଭାବିତ ବର୍ଗ ଭାବେ ବିବେଚିତ ହୋଇଥାନ୍ତି।
ସେହିଭଳି ଏଭଳି ଅସ୍ୱାଭାବିକ ପରିସ୍ଥିତିରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ସାଧାରଣ ବଣ୍ଟନ ବ୍ୟବସ୍ଥା ସାମଗ୍ରୀ ଯୋଗାଣରେ ସହଯୋଗର ହାତ ବଢ଼ାଇଛନ୍ତି। ସେମାନେ କାର୍ଡ଼ ବ୍ୟବହାର କରି ରାସନ ସଂଗ୍ରହ କରିବା ସହ ସେସବୁକୁ ଅନ୍ୟାନ୍ୟ କାର୍ଡ଼ଧାରୀମାନଙ୍କୁ ବଣ୍ଟନ କରୁଛନ୍ତି ଯଦ୍ୱାରା ପିଡ଼ିଏସ ଦୋକାନରେ ଅଯଥାରେ ଲୋକମାନଙ୍କ ଭିଡ଼ ଜମିବନାହିଁ। ଏନଆରଏଲଏମ ଗୋଷ୍ଠୀ ଅନୁଷ୍ଠାନକୁ ଯେଉଁ ‘ଭଲନେରେବିଲିଟି ରିଡ଼କ୍ସନ୍ ଫଣ୍ଡ’ (ଭିଆରଏଫ) ଯୋଗାଇ ଦେଇଛି ତାହା ସମାଜର ଦରିଦ୍ର ଓ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ସହାୟତା ଯୋଗାଣ ସକାଶେ ଉଦ୍ଦିଷ୍ଟ। ଭିଆରଏଫକୁ ଦେଶର ଅଧିକାଂଶ ରାଜ୍ୟରେ ଗୋଷ୍ଠୀ ଅନୁଷ୍ଠାନମାନଙ୍କ ଦ୍ୱାର ଉପଯୋଗ କରାଯାଉଛି ଏବଂ ସେଥିରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଆସାମ, ଅରୁଣାଚଳ ପ୍ରଦେଶ, ମିଜୋରାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ତ୍ରିପୁରା ଓ ସିକିମ ଆଦି ରାଜ୍ୟରେ ଖାଦ୍ୟ ପ୍ରସ୍ତୁତ କିଟ୍ ଯେଉଁଥିରେ ଖାଦ୍ୟଶସ୍ୟ, ରନ୍ଧା ତେଲ ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ଉପକରଣ ଯଥା ଲୁଗାସଫା ସାବୁନ ଆଦି ରହିଛି ଏବଂ ସେସବୁ କିଟକୁ ଗ୍ରାମର ଦୁର୍ବଳ ଓ ଗରିବ ପରିବାରଙ୍କୁ ଯୋଗାଇ ଦିଆଯାଉଛି। ଓଡ଼ିଶା ଓ ଛତିଶଗଡ଼ରେ, ଏସଏଚଜିମାନେ ଭିଆରଏଫ ପାଣ୍ଠିକୁ ଉପଯୋଗ କରି କିଶୋରୀମାନଙ୍କ ସ୍ୱାସ୍ଥ୍ୟରକ୍ଷା ସମେତ ସେମାନଙ୍କୁ ସ୍ୱଚ୍ଛ ସାନିଟାରୀ ନାପକିନ ଯୋଗାଇ ଦିଆଯାଉଛି।
ସେହିଭଳି ବିହାର, ଓଡ଼ିଶା ଓ ଛତିଶଗଡ଼ର ଏସଏଚଜିମାନେ ଏସଆରଏଲଏମର ଛାମୁଆ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏସେନ୍ସିଆଲ ଚାଇଲ୍ଡ, ମାତୃ ଓ କିଶୋରୀ ବାଳିକାମାନଙ୍କ ସ୍ୱାସ୍ଥ୍ୟ ଓ କୌଷ୍ଟିକତା ସଂପର୍କୀତ ଖାଦ୍ୟ ସାମଗ୍ରୀ ଯୋଗାଣରେ ଅବତୀର୍ଣ୍ଣ ହୋଇଛନ୍ତି। ଏଥିରେ ପ୍ରସବ ପୂର୍ବବର୍ତ୍ତୀ ତଥା ପ୍ରସବ ପରବର୍ତ୍ତୀ ଯତ୍ନଜନିତ ସେବା ଓ ଆଇଏଫଫ ବଟିକା ଜରିଆରେ ଅତିରିକ୍ତ ମାତ୍ରାର ମାଇକ୍ରୋନ୍ୟୁଟ୍ରିଏଣ୍ଟ ସାମିଲ। ରାଜ୍ୟର ୨୧୧୮ଟି ଏସଏଚଜିର ମହିଳା ସଦସ୍ୟମାନେ ଅପପୁଷ୍ଟିର ଶିକାର ହୋଇଥିବା ୪୩୧୦ଜଣ ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ପୌଷ୍ଟିକ ଆହାର ଓ ଔଷଧ ଯୋଗାଇ ଦେଇଛନ୍ତି।
ସାମାଜିକ ଦାୟିତ୍ୱବୋଧଜନିତ ଅବଦାନ ମାଧ୍ୟମରେ ଗରିବ ଲୋକମାନଙ୍କ ଜୀବନଜୀବିକାକୁ ପ୍ରଭାବିତ ହେବାକୁ ନଦେଇ ସେମାନଙ୍କୁ ନିଜ ଗୋଷ୍ଠୀରେ ନିରାପଦ ପରିମଳ ଅଭ୍ୟାସ ଆପଣାଇବାକୁ ମହିଳାମାନଙ୍କୁ ପରାମର୍ଶ ଦିଆଯାଇଛି। କୋଭିଡ-୧୯ ସଂକ୍ରମଣ ବିରୋଧରେ ଜାରି ସଂଗ୍ରାମରେ ଦେଶର ହଜାର ହଜାର ଏସଏଚଜି ମହିଳା ସଦସ୍ୟ ସେମାନଙ୍କର ପ୍ରତିବଦ୍ଧତା ଓ କର୍ତ୍ତବ୍ୟନିଷ୍ଠା ପ୍ରଦର୍ଶନ କରିଛନ୍ତି।