Odiapua.com

୧୦୫ ବିଧାନସଭା ଆସନରେ ହେବ କାଣ୍ଟେ କି ଟକ୍କର

ଭୁବନେଶ୍ୱର ୩୧-୩ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଏହା କୌଣସି ଗାଣିତିତ ଆକଳନ ନୁହେଁ। ଓଡ଼ିଶା ବିଧାନ ସଭା ପାଇଁ ଅନୁଷ୍ଠିତ ହେବାକୁ ଥିବା ୧୪୭ ଟି ଆସନରୁ ୧୦୫ଟି ଆସନରେ ଶାସକ ବିଜେଡ଼ି ଓ ବିଜେପି ମଧ୍ୟରେ ହେବାକୁ ଯାଉଛି ୧୯-୨୦ ଟକ୍କର। ଏହା କୌଣସି ଜନସାଧାରଣଙ୍କର ମତାମତ ନୁହେଁ। ରାଜ୍ୟ ଗୋଇନ୍ଦା ବିଭାଗର ଆଭ୍ୟନ୍ତରୀଣ ତଥ୍ୟ ଓ କିଛି ଘରୋଇ ସଂସ୍ଥାଙ୍କ ଦ୍ୱାରା କରାଯାଇଥିବା ଅନ୍ତିମ ପର୍ଯ୍ୟାୟ ରିପୋର୍ଟ ପାଇବା ପରେ ନିଦ ହଜି ଯାଇଛି ତୃତୀୟ ମହଲା ଓ ନବୀନ ନିବାସର। ୨୦୧୪ ମସିହା ସାଧାରଣ ନିର୍ବାଚନର ପରିସ୍ଥିତି ଏବେ ଆଉ ନାହିଁ। ଭାରତୀୟ ଜନତା ପାର୍ଟି ଗଲା ପାଞ୍ଚ ବର୍ଷ ଭିତରେ ଓଡ଼ିଶାରେ ନିଜର ସ୍ଥିତିକୁ ଜାହିର କରିପାରିଛି। ଏହି ଦଳକୁ ହେୟଜ୍ଞାନ ମନେ କରିଆସୁଥିବା ବିଜେଡ଼ି ଏହି ରିପୋର୍ଟ ପାଇଲା ପରେ ଏକ ପ୍ରକାର ହତୋତ୍ସାହ ହୋଇପଡ଼ିଛି ବୋଲି ନିର୍ଭର ଯୋଗ୍ୟ ସୂତ୍ରରୁ ଖବର ହସ୍ତଗତ ହୋଇଛି। ବିଜେଡ଼ି ନେତା ଓ କର୍ମୀଙ୍କ ମଧ୍ୟରେ ଏହି ତଥ୍ୟ ପରିପ୍ରକାଶ ହୋଇ ପାରିନଥିଲେ ମଧ୍ୟ ଟିକେଟ ବଣ୍ଟନର ପଦ୍ଧତି ସୂଚାଇ ଦେଉଛିଯେ, ଦୀର୍ଘ ୧୯ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡ଼ି ଏବେ ଆତଙ୍କିତ। ବିଜେଡ଼ିର ନିର୍ବାଚନ ଜିତିବା ପ୍ରଣାଳୀକୁ ଆପଣେଇ ବିଜେପି ଯେଉଁ ପଦ୍ଧତି ଆପଣେଇଥିଲା ସେଥିରେ ସଫଳତା ଆଡ଼କୁ ଅଗ୍ରସର ହେଉଛି ବୋଲି ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଥିବା ରିପୋର୍ଟ ବିଜେଡ଼ି କୋର ଗୃପ ଭିତରେ ଆଲୋଡ଼ନ ସୃଷ୍ଟି କରିଛି। ଅତି ଚତୁରତାର ସହିତ ଏହି ରିପୋର୍ଟକୁ ଦଳର ସଭାପତି ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମ୍ମୁଖକୁ ନ ପଠାଇ ଏହାର ସମାଧାନର ବାଟ ବାହାର କରିବାରେ ଲାଗି ପଡ଼ିଛନ୍ତି ବିଜେଡ଼ିର କୋର ଗୃପ୍ ସଦସ୍ୟ।