Odiapua.com

ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା…

– ଦେବପ୍ରସାଦ ମିଶ୍ର

ଓଡିଶୀ ନୃତ୍ୟ ଓ ଓଡିଆ ଭାଷାକୁ କେନ୍ଦ୍ର ସରକାର ବହୁ ବିଳମ୍ବରେ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଥିଲା ବେଳେ, ଦୀର୍ଘ କାଳ ପର୍ଯ୍ୟନ୍ତ ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ପାଇଁ ଅଯଥା ବିଳମ୍ବ କରୁଥିବାରୁ ରାଜ୍ୟ ବାସୀଙ୍କ ମନରେ ଆଘାତ ଲାଗିଛି। ଶାସ୍ତ୍ରୀୟ ସ୍ୱୀକୃତି ନିମନ୍ତେ ରାଜ୍ୟ ସରକାର ଗତ ସେପ୍ଟେମ୍ବର ମାସରୁ କେନ୍ଦ୍ର ସରକାରଙ୍କୁ ଚିଠି ଦ୍ୱାରା ଅବଗତ କରାଇଥିଲେ ମଧ୍ୟ କେନ୍ଦ୍ର ସରକାର ଏହା ଉପରେ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଈତି ମଧ୍ୟରେ ରାଜ୍ୟର ସାହିତ୍ୟିକ, ଗବେଷକ, ସଙ୍ଗୀତଗୁରୁ, ସଙ୍ଗୀତ ପ୍ରତିଷ୍ଠାନ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ବହୁ ଯୁକ୍ତି ଦର୍ଶାଇ ଏହା ଶାସ୍ତ୍ରୀୟ ମାନ୍ୟତା ପାଇବାକୁ ହକ୍‌ଦାର ବୋଲି ଦର୍ଶାଇଛନ୍ତି। ଅତୀତରେ ଓଡିଆ ଭାଷା, ସାହିତ୍ୟ, ନୃତ୍ୟ, ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ନିମନ୍ତେ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ସମାଜ ସଂପାଦକ ରାଧାନାଥ ରଥ, ବୀଣାଦେବୀ, ଅନେକ ସାହିତ୍ୟ ବିଶାରଦ ଏହା ଉପରେ ଅନେକ ଲେଖା ବିଭିନ୍ନ ପତ୍ର ପତ୍ରିକା ଆଦିରେ ପ୍ରକାଶ କରି କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କେହି କେହି କୁହନ୍ତି ଯେ, ଓଡିଶୀ ସଙ୍ଗୀତରେ ବିଜ୍ଞାନ ଓ ବ୍ୟାକରଣ ନଥିବାରୁ ଏହାର ସ୍ୱତନ୍ତ୍ର‌୍ୟ ଓ ପ୍ରତିଷ୍ଠିତ ହୋଇପାରୁ ନାହିଁ “ସମାଜ” ସଂପାଦକ ରାଧାନାଥ ରଥ ଏ ଘଟଣାର ଏକ ଉଚିତ୍ ଜବାବ ଦେଇ ଉଲ୍ଲେଖ କରିଥିଲେ ଯେ, ବିଛିନ୍ନାଞ୍ଚଳରେ ଥିବା ମଞ୍ଜୁଷାର ପ୍ରଖ୍ୟାତ ସଙ୍ଗୀତଜ୍ଞ ବିଚ୍ଛିନ୍ନାଞ୍ଚଳ ମଞ୍ଜୁଷାର ପ୍ରଖ୍ୟାତ ସଙ୍ଗୀତ ଶିଳ୍ପୀ ଓ ସଙ୍ଗୀତ ବିଜ୍ଞାନବିତ୍ ଶ୍ରୀଯୁକ୍ତ ବାସୁଦେବ ସାମନ୍ତ “ସଙ୍ଗୀତ-କଳାକାର” ନାମକ ଯେଉଁ ପୁସ୍ତକ ପ୍ରଣୟନ କରିଛନ୍ତି, ତାହା ଓଡିଶୀ ସଙ୍ଗୀତର ପରିପୂର୍ଣ୍ଣ ସଙ୍ଗୀତ ବିଜ୍ଞାନସମ୍ମତ ବ୍ୟାକରଣ ବୋଲି ସ୍ୱୀକାର କରିବାକୁ ହେବ। ଏପରି ପୁସ୍ତକ ଓଡିଶାରେ କେହି ପ୍ରଣୟନ କରି ନାହାନ୍ତି। ଏବେ ପୁରୀ ସଙ୍ଗୀତ କଳା ପରିଷଦର ସଙ୍ଗୀତଜ୍ଞ ଶ୍ରୀ ଲୋକନାଥ ପାଳ “ଓଡିଶୀ ରାଗ ସଙ୍ଗୀତ” ନାମକ ପୁସ୍ତକ ପ୍ରଣୟନ କରିଛନ୍ତି। ଓଡିଶାର ମାନ୍ୟବର ତତକାଳିନ ରାଜ୍ୟପାଳ ଶ୍ରୀଯୁକ୍ତ ବି.ଏନ.ପାଣ୍ଡେ ଏହାକୁ ଉଦ୍‌ଘାଟନ କରିଥିଲେ। ତାହା ସହିତ ସଙ୍ଗୀତ କଳାକାରକୁ ତୁଳନା କଲେ ଦେଖାଯିବ ଯେ, ଉଭୟ ସଙ୍ଗୀତଜ୍ଞ ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ବୋଲି ପ୍ରମାଣିତ କରିଛନ୍ତି।ସଙ୍ଗୀତ ରତ୍ନାକର ସଙ୍ଗୀତର ବିଭିନ୍ନ ବିଭାଗ ଓ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ପ୍ରଭୃତିର ଈତିହାସ ଏବଂ ବୈଜ୍ଞାନିକ ତତ୍ତ୍ୱକୁ ଯେପରି ଭାବରେ ସଂଗ୍ରହ ଓ ସଂକଳନ କରି ଓଡିଶୀ ସଙ୍ଗୀତ ବିଜ୍ଞାନ ସମ୍ମତ ବୋଲି ପ୍ରମାଣିତ କରିପାରିଛନ୍ତି, ଅନ୍ୟତ୍ର ତାହାର ତୁଳନା ନାହିଁ। ପାଠକମାନଙ୍କ ଜାଣିବା ପାଇଁ ସଙ୍ଗୀତ କଳାକାରର ଲେଖକ ସ୍ୱର୍ଗତ ବାସୁଦେବ ସାମନ୍ତଙ୍କ ଭୂମୀକାରେ କେତକ ଅଂଶ ଓ ବିଭିନ୍ନ ବିଷୟସୂଚୀ ଏ ପ୍ରବନ୍ଧର ପରିଶିଷ୍ଟ ରୂପେ ପ୍ରକାଶ କରାଗଲା। ଦୁଃଖର କଥା, ଏ ଛପା ଯାଇଥିବା ପୁସ୍ତକ ପୁନଃ ପ୍ରକାଶିତ ହୋଇନାହିଁ କି ମିଳୁ ନାହିଁ। ଏହାର ପୁନଃ ପ୍ରକାଶ ଏବଂ ଏ ଗ୍ରନ୍ଥ ଉପରେ ଅଧିକତର ଗବେଷଣା ଏକାନ୍ତ ଆବଶ୍ୟକ।

ସଙ୍ଗୀତ-କଳାର ପୁସ୍ତକର ଭୂମିକାର କେତେକାଂଶ – ଏହି ଜଗତର ନାନାବିଧି ସଂସାରକ୍ଳେଶ ପରିତ୍ରସ୍ତ ଚିତ୍ତର ନିବୃତ୍ତି ସକାଶେ ଯେକୌଣସି ଗୋଟିଏ ମନୋବିନୋଦନକର ବସ୍ତୁ ପ୍ରତିପାଦନ କରିବା ଆବଶ୍ୟକ। ସୁତରାଂ ପର୍ଯ୍ୟାଲୋଚନ କରିବା ବେଳେ ସାହିତ୍ୟ-ଜଗତରେ ସଙ୍ଗୀତ ବ୍ୟତିରିକ୍ତ କୌଣସି ଉପାଦେୟ ବସ୍ତୁର ଉପଲବ୍‌ଧି ନିତାନ୍ତ ଅସମ୍ଭବ। କାରଣ ଯେଉଁ ସଙ୍ଗୀତର ଉପାଦାନ ରସାତ୍ମକ ବାକ୍ୟ- ଯାହାର ଜନ୍ମଭୂମି ସାମବେଦ- ଯାହାର ଅବୟବ ତୌର୍ଯ୍ୟତ୍ରିକ- ଯାହାର ପଞ୍ଚପ୍ରାଣ ତାଳ, କାଳ, କ୍ରିୟା, ମାନ ଏବଂ ଲୟ, ଯାହା ଉଦାତ୍ତ ଅନୁଦାତ୍ତ ଓ ସ୍ୱରିତ ସ୍ୱରଦ୍ୱାରା ଗାନ କରିବାକୁ ହୁଏ।ଯାହାର ବ୍ୟାପାର ବିଷର୍ଣ୍ଣ ହୃଦୟର ଆଶ୍ୱାସ- ଯାହାର ଉତ୍ପତ୍ତି ସର୍ବସାଧାରଣର ଆନନ୍ଦ ଜନକ – ଯାହାର ବିଷୟ ପ୍ରାଣୀ ବର୍ଗର ଚିତ୍ତାକର୍ଷକ- ଯାହା ଭାବଜ୍ଞଗଣଙ୍କର ସମ୍ବଳ- ଯେଉଁ ସଙ୍ଗୀତରେ ସମଗ୍ର ପ୍ରାଣିଜଗତ ଲାଳାୟିତ ଏବଂ ବିମୁଗ୍‌ଧ ;ସେହି ପ୍ରାକୃତିକ ଜଗତର ସକଳ ପ୍ରକାର ଶବ୍ଦରେ ସଙ୍ଗୀତର ସତ୍ତା ନିହିତ ଅଛି। ଏହି ଶବ୍ଦକୁ ଅଦର୍ଶ ସ୍ୱରୂପ ଗ୍ରହଣ କରି ଭାବାନୁକୂଳ ଯନ୍ତ୍ରାଦିଦ୍ୱାର, ସରସ୍ୱତୀ, ନାରଦ, ତୁମ୍ବୁର ଇତ୍ୟାଦି ମହାତ୍ମାଗଣ ସଙ୍ଗୀତର ବିମୋହନ ମାଧୁର୍ଯ୍ୟରେ ମୁଗ୍‌ଧ ହୋଇ ଜଗତକୁ ବିମୁଗ୍‌ଧ କରିଥିଲେ। ତାହାର ଆଦର୍ଶ ସ୍ୱରୂପ, ମାତାର ସଙ୍ଗୀତରେ ଶିଶୁର ମୁଗ୍‌ଧତା କୋକିଳ ଈତ୍ୟାଦି ବିହଙ୍ଗର ମଧୁର ସ୍ୱନରେ ମାନବପ୍ରାଣର ପ୍ରଫୁଲ୍ଲତା ଏବଂ ନାଗେଶ୍ୱରର ସୁମଧୁର ସଂଗୀତରେ ସରିସୃପ ପ୍ରଭୃତିର ପ୍ରମୋଦ ଉପଲବ୍‌ଧି ମନୁଷ୍ୟ ମାତ୍ରେ ହୃଦୟଙ୍ଗମ କରିଥିବେ। ସେହି ପରମପ୍ରୀତିକର ବ୍ରହ୍ମାନନ୍ଦ ସହୋଦର ପବିତ୍ରମୟ ସଙ୍ଗୀତ ସର୍ବସାଧାରଣଙ୍କ ଜୀବନରେ ଅନୁଭବ କରିବା ନିତାନ୍ତ ବାଞ୍ଛନୀୟ। ସେଥିଯୋଗୁଁ ଅନଭିଜ୍ଞ ବ୍ୟକ୍ତିଙ୍କର ନ୍ୟୂନ ତାସୂଚକ ବାକ୍ୟ ଭର୍ତ୍ତୃହରି କହିଅଛନ୍ତି। ଯଥା –

“ସାହିତ୍ୟ ସଙ୍ଗୀତକଳା ବିହୀନଃ ସାକ୍ଷାତ୍ପଶୁଃ ପୁଚ୍ଛବିଶାଣହୀନଃ

ତୃଣଂ ନାଖାଦନ୍ନପି ଜୀବମାନଃ ତଭାଗଧେୟଂ ପରମ ପଶୁନାଂ।ା”

ଅର୍ଥାତ୍ – ଯେଉଁ ଲୋକ ସାହିତ୍ୟ ଓ ସଙ୍ଗୀତକଳାରେ ଅନଭିଜ୍ଞ, ସେ ପୁଚ୍ଛ ନିଶାଣହୀନ ପଶୁ ପଦବାଚ୍ୟ। ସେମାନେ ତୃଣଭୋଜି ନ ହେଲେ ହେଁ, ପଶୁ ଶ୍ରେଣୀର ଅନ୍ତର୍ଭୁକ୍ତ। ତଥାଚ ସୁଭାଷିତ ସଂଗ୍ରହରେ ମଧ୍ୟ ଏହାର ଉତ୍କର୍ଷ ସୂଚକକାବ୍ୟ ଦେଖାଯାଏ। ଯଥା –

“ସାହିତ୍ୟ ରସିକା ଯେ ଚ ଯେ ଚ ସଙ୍ଗୀତକୋବିଦାଃ

ଶବ୍ଦମୂର୍ତ୍ତିର୍ଧରାସ୍ତେଚ ବିର୍ଷ୍ଣୋରଂଶା ମହାତ୍ମନଃ।ା”

ଯେଉଁମାନେ ସାହିତ୍ୟରସିକ ଓ ଯେଉଁମାନେ ସଙ୍ଗୀତଜ୍ଞ, ସେହି ମହାତ୍ମାମାନେ ଶବ୍ଦମୂର୍ତ୍ତିରୂପ ବିଷ୍ଣୁଙ୍କର ଅଂଶଭୂତ ଅଟନ୍ତି। ଅତଏବ ସଙ୍ଗୀତର ଉପଦେୟତ୍ୱ ବର୍ଣ୍ଣନା କରିବା ମୋ ପରି ବ୍ୟକ୍ତିଙ୍କ ପକ୍ଷରେ ନିତ୍ୟାନ୍ତ ଦୁର୍ଲ୍ଲଭ ହେଲେ ସୁଦ୍ଧା ଏହାର ଯତ୍‌କିଞ୍ଚିତ୍ ଦୈହିକ ବିଷୟ ନେଇ ପର୍ଯ୍ୟାଲୋଚନା କଲେ, ଗ୍ରୀସ୍ ଦେଶବାସୀ ସଙ୍ଗୀତାଭ୍ୟାସର ଉପକାରିତା ହୃଦୟଙ୍ଗମ କରି, ସ୍ୱାସ୍ଥ୍ୟ ପୋଷଣ।ର୍ଥ ବ୍ୟାୟାମ ଏବଂ ମସ୍ତିଷ୍କର ବିକାଶାର୍ଥ ସଙ୍ଗୀତକୁ ସମାନ ଆସନ ଦେଇ ୧୮୦୦ ଖ୍ରୀଷ୍ଟାବ୍ଦଠାରୁ ବ୍ୟାୟାମ ଏବଂ ସଙ୍ଗୀତକୁ ସମଶ୍ରେଣୀରେ ବିଭକ୍ତ କରିଅଛନ୍ତି। ସେହି ସଙ୍ଗୀତ ସଂସ୍କୃତ ଏବଂ ପ୍ରାକୃତ ଭେଦରେ ବିଭକ୍ତ ହୋଇଅଛି। ତଥାପି ଦେଶ ଓ ଭାଷା ବିଶେଷରେ ବିବିଧ ରୂପରେ ପ୍ରତିବିମ୍ବିତ ହୋଇ, ବୈଷୟିକ ଉପଯୋଗିତା ଦ୍ୱ।ରା ବିଭିନ୍ନ ଛନ୍ଦରେ ପରିଣତ ହୋଇଅଛି; ଏବଂ ଭିନ୍ନ ଭିନ୍ନ ଆକାର ଧାରଣ କରିଅଛି। ସେଥିଯୋଗୁଁ ଆଜି ପ୍ରାଚ୍ୟ ଏବଂ ପାଶ୍ଚାତ୍ୟ ସଙ୍ଗୀତର ପ୍ରଭେଦ ସଙ୍ଗେ ସଙ୍ଗେ ଭାରତୀୟ ସଙ୍ଗୀତର ଦକ୍ଷିଣାଞ୍ଚଳ ଏବଂ ଉତ୍ତରାଞ୍ଚଳ ସଙ୍ଗୀତ ମଧ୍ୟରେ, ଅନେକାଂଶ ପାର୍ଥକ୍ୟ ପରିଲକ୍ଷିତ ହୁଏ। ବଙ୍ଗ ସଙ୍ଗୀତ ହିନ୍ଦୀ ସଙ୍ଗୀତକୁ ଅନୁକରଣ କରୁଥିବାରୁ ଏହି ଉଭୟ ସଙ୍ଗୀତ ମଧ୍ୟରେ ଯେପରି କୌଣସି ବିଶେଷ ପ୍ରଭେଦ ଲକ୍ଷିତ ହୁଏନାହିଁ। ସେପରି ଉତ୍କଳ ଏବଂ କର୍ଣ୍ଣାଟ ସଙ୍ଗୀତ ପରସ୍ପର ସ୍ୱତନ୍ତ୍ର ସଙ୍ଗୀତ ହେଲେ ହେଁ ଉଭୟ ମଧ୍ୟରେ ଯଥେଷ୍ଟ ସାମଞ୍ଜସ୍ୟ ଅଛି। କାରଣ ଧୃବ, ମଠା, ରୂପକ ଇତ୍ୟାଦି ଉତ୍କଳୀୟ ସଙ୍ଗୀତ ସମାଜର ଯେଉଁ ତାଳଗୁଡିକୁ ବଙ୍ଗ ସଙ୍ଗୀତଜ୍ଞଗଣ “ମାନ୍ଦ୍ରାଜି ତାଲ” ବୋଲି କହନ୍ତି, ସେମାନଙ୍କୁ ଉତ୍କଳୀୟ ସଙ୍ଗୀତର ଅତୀତ ଗୌରବର ଇତିହାସ ଦେଖାଇବା ନିମନ୍ତେ ଉତ୍କଳୀୟ ସଙ୍ଗୀତ ସମାଜ ତାହାର କୌଣସି ବିଶେଷ ସଙ୍କେତ ପ୍ରଚାର କରି ନ ଥିବାରୁ ଆଜି ପରପଦଦଳିତ ହୋଇ ନିରବ ମନ୍ତ୍ରରେ ଦୀକ୍ଷିତ ହୋଇଅଛି।

୧୨୦୦ ଖ୍ରୀଷ୍ଟାବ୍ଦ ପୂର୍ବେ ଯେତେବେଳେ ଭାରତୀୟ ସଙ୍ଗୀତ ସମାଜର ଗୋଟିଏ ଗୋଟିଏ ବିଷୟ ନେଇ ନାନାପ୍ରକାର ମତଭେଦ ପ୍ରଚାରିତ ହେଲା; ସେତେବେଳେ ସକଳ ପ୍ରକାର ମତର ଏକତ୍ରିକରଣରେ ସମୟାନ ୁକୂଳ ଗ୍ରନ୍ଥ, ଶ୍ରୀ ଶାରଙ୍ଗଦେବଙ୍କ ଦ୍ୱାରା ରଚିତ ହୋଇ ସଙ୍ଗୀତ ରତ୍ନାକର ନାମରେ ପ୍ରଚାରିତ ହେଲା। ଦେଶ ଏବଂ ଭାଷା ବିଶେଷରେ ସଙ୍ଗୀତର ପାର୍ଥକ୍ୟାନୁଯାୟୀ, ସଂସ୍କୃତରେ ତିନି ଖଣ୍ଡ, ହିନ୍ଦୀରେ ଖଣ୍ଡେ ଏବଂ ଆନ୍ଧ୍ର ଭାଷାରେ ଦୁଇଖଣ୍ଡ ସହ ୬ ଖଣ୍ଡ ଟୀକା ୧୪୦୦ ଠାରୁ ୧୬୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ପ୍ରଣୀତ ହେଲା ସେପରି କୌଣସି ବିଶେଷ ପରିବର୍ତ୍ତନ ସହ ଉତ୍କଳୀୟ ସଙ୍ଗୀତ ସମାଜ ତାହାର ଆସନରୁ ବିଚ୍ୟୁତ ହୋଇ ନଥିବା ଯୋଗୁଁ ଏବଂ ସଂସ୍କୃତ ଭାଷା ବିଶେଷ ପରିମାଣରେ ପ୍ରଚଳିତ ଥିବା ଯୋଗୁଁ ଉତ୍କଳ ଭାଷାରେ ଟୀକା କରିବା ଆବଶ୍ୟକତା ତେତେଦୂର ନଥିଲା। ଏହି କଥାଟି ଯେବେ ଅତିଶୟୋକ୍ତି କୁହାଯାଏ, ତାହାହେଲେ ୧୩୦୦ ଖ୍ରୀଷ୍ଟାବ୍ଦରେ ଗୋପାଳ ନାୟକ ନାମରେ ଜଣେ ଉତ୍କଳୀୟ ସନ୍ତାନ, ଦିଲ୍ଲୀ ବାଦ୍‌ହସା ଆଲ୍ଲାଉଦ୍ଦିନ ଖିଲିଜଙ୍କ ରାଜ ଦରବାରର ଶୀର୍ଷସ୍ଥାନ ଅଳଂକୃତ କରି ନ ଥାନ୍ତେ ବା ସଙ୍ଗୀତ ପାରିଜାତ ଗ୍ରନ୍ଥକର୍ତ୍ତା ଅହୋବଳଙ୍କ ପୂର୍ବେ ଲକ୍ଷ୍ମୀକାନ୍ତ ମହାରାଜ ନାମଧେୟ ଉତ୍କଳ କ୍ଷତ୍ରିୟ ସନ୍ତାନ, ସଂସ୍କୃତ-ସାହିତ୍ୟ ସଙ୍ଗୀତ-ପୂର୍ଣ୍ଣ ଭଜନା ଏବଂ ବର୍ଣ୍ଣରେ ଲୋକୋତ୍ତର କୃତିତ୍ୱ ଦେଖାଇ, ଆନ୍ଧ୍ର ସଙ୍ଗୀତ ଇତିହାସର ପୃଷ୍ଠା ଅଳଂକୃତ କରି ନ ଥାନ୍ତେ। କିନ୍ତୁ କଳାର କୁଟିଳ ପ୍ରବାହରେ ସେ ସବୁ ଲୀନ ହେବା ସଙ୍ଗେ ସଙ୍ଗେ ଉତ୍କଳ ବକ୍ଷରୁ ତାହାର ଚିହ୍ନ ପର୍ଯ୍ୟନ୍ତ ଅପସାରିତ ହୋଇଅଛି। ଗୋପାଳ ନାୟକଙ୍କ କୃତ “ରାଗତାଳ – ଚିନ୍ତାମଣି” ଏବଂ “ରାଗ-କଦମ୍ବ” ନାମକ ଦୁଇଖଣ୍ଡ ପୁସ୍ତକର ଅସ୍ତିତ୍ୱ ଲୋପ ହେବା ଏହାର ଅନ୍ୟତମ ଆଦର୍ଶ। କବିବର ଉପେନ୍ଦ୍ରଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ ଏବଂ ଭକ୍ତକବି ଗୋପାଳକୃଷ୍ଣ ଇତ୍ୟାଦି ଉତ୍କଳୀୟ ସଙ୍ଗୀତଜ୍ଞଗଣ ତାହାଙ୍କର କବିତାରେ ଯେଉଁ ରାଗ ଏବଂ ତାଳ ଉଲ୍ଲେଖ କରିଛନ୍ତି ସେହି ଅଙ୍ଗ ବିଶିଷ୍ଟ ତାଳ ଚିର ଦିନରୁ ଉତ୍କଳୀୟ ସଙ୍ଗୀତ ସମାଜରେ ପ୍ରଚଳିତ ଥିଲା ପରି ପଣ୍ଡିତ କଲ୍ଲିନାଥଙ୍କର ସଙ୍ଗୀତ-ରତ୍ନାକର ଟୀକାରୁ ଅନୁମେୟ। କାରଣ ଗୋପାଳ ନାୟକଙ୍କ କୃତ “ରାଗ-ତାଳ-ଚିନ୍ତାମଣି” ର ତାଳାଙ୍ଗର ପ୍ରମାଣ ଉଦାହରଣ ସାଦୃଶ୍ୟ ଉଲ୍ଲେଖ କରିଅଛନ୍ତି। ସଙ୍ଗୀତ ରତ୍ନାକର ସହ ଅନ୍ୟାନ୍ୟ ସଂସ୍କୃତ ଗ୍ରନ୍ଥଗୁଡିକ, ତାଳାଙ୍ଗ ଉପରେ ନିର୍ଭର କରିଥିବା ଏହାର ଜ୍ୱଳନ୍ତ ଉଦାହରଣ। ରାଗ ବିଷୟରେ ମଧ୍ୟ ଏହାର ପ୍ରମାଣ ଯଥେଷ୍ଟ ଅଛି। କିନ୍ତୁ ଯୁଗାନୁକ୍ରମେ ଉତ୍କଳବାସୀଙ୍କର ସଂସ୍କୃତ ପ୍ରତି ଆଦର ରହିତ ହେବା ସଙ୍ଗେ ସଙ୍ଗେ ଉତ୍କଳୀୟ ସଙ୍ଗୀତାକାଶର ସମୁଜ୍ଜ୍ୱଳପ୍ରଭା କ୍ଷୀଣରୁ କ୍ଷୀଣତର ହୋଇ, ପରିଶେଷରେ ଆସନ୍ନ ନିର୍ବାପିତ ଅବସ୍ଥାରେ ପଦାର୍ପଣ କରିବାରୁ ପାରିପାର୍ଶ୍ୱିକ ସଙ୍ଗୀତାଲୋକର ତେଜୋମୟ ରେଖାରେ ଲୀନ ହୋଇଅଛି। ଆଜି ଉତ୍କଳ ଭାଷାରେ ସଙ୍ଗୀତଶାସ୍ତ୍ର ବିଷୟକ କୌଣସି ବିଶିଷ୍ଟ ଗ୍ରନ୍ଥର ବିଶେଷଭାବେ ପ୍ରଚାର ନଥିବାରୁ ଉତ୍କଳବାସୀ ତାହାଙ୍କର ଅତୀତ ଗୌରବକୁ ସ୍ମୃତିପଟରୁ ପୋଛି ଦେଇଅଛନ୍ତି ଏବଂ ସେହି ଅଧଃପ୍ରତିତ ସଙ୍ଗୀତକୁ ପୁନରୁଦ୍ଧାର କରିବା ନିମନ୍ତେ କଓାଲି ଆଡଖେମଟା, ଧାମାର ଇତ୍ୟାଦି ବଙ୍ଗ ସଙ୍ଗୀତାନ୍ତର୍ଗତ କେତକ ବିଷୟ, ଉତ୍କଳ ସଙ୍ଗୀତ ଭ୍ରମରେ ଲିପିବଦ୍ଧ କରି ଉତ୍କଳୀୟ ସଙ୍ଗୀତର ସ୍ଥାନ ପୂର୍ଣ୍ଣ କରୁ ଅଛନ୍ତି। ଯୁଗାନୁକ୍ରମେ ଅନ୍ୟାନ୍ୟ ବିଷୟ ସମୂହର ସ୍ୱାଭାବିକ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସଙ୍ଗୀତ ସମାଜରେ ମଧ୍ୟ ଯଥେଷ୍ଟ ପରିବର୍ତ୍ତନ ଲକ୍ଷିତ ହୁଏ। ଯେଉଁ ଯୁଗରେ ଯେପରି ପରିବର୍ତ୍ତନ ଘଟୁଛି; ସେହୁ ଯୁଗର ପ୍ରଚଳିତ ପ୍ରଥାନୁଯାୟୀ ପୁରାତନ ପ୍ରଣାଳୀର କେତେକାଂଶ ବର୍ଜିତ, ମାର୍ଜିତ ଏବଂ ପରିବର୍ଦ୍ଧିତ ହେଉଅଛି। ପ୍ରାୟ ୨୦୦ ଶତ ବର୍ଷ ପୂର୍ବରୁ ଯେଉଁ ସଙ୍ଗୀତ ପ୍ରଚଳିତ ହୋଇ ଆସୁଅଛି ସେଥିରେ କେବଳ ଗୋଟିଏ ମାତ୍ର ଗ୍ରନ୍ଥର ମତାନୁସରଣ କରାଯାଇ ନାହିଁ। ପରନ୍ତୁ ସଙ୍ଗୀତର ବିଭିନ୍ନ ଅଂଶ ଭିନ୍ନ ଭିନ୍ନ ଗ୍ରନ୍ଥ ଗୁଡିକରେ ଲକ୍ଷିତ ହେଉଅଛି। ସେଥିଯୋଗୁଁ ବିଂଶତି ଶତାବ୍ଦୀର ଉତ୍କଳୀୟ ସଙ୍ଗୀତକୁ ବିଶ୍ଳେଷଣ କରି ଦେଖିବାରୁ ପ୍ରଚଳିତ ସଙ୍ଗୀତର ଗୋଟିଏ ଗୋଟିଏ ବିଷୟ ଯେଉଁ ଯେଉଁ ଗ୍ରନ୍ଥମାନଙ୍କରେ ଯେତେ ବର୍ଷ ପୂର୍ବରୁ ଯେପରିଭାବେ ବ୍ୟବହୃତ ହୋଇ ଆସୁଅଛି, ସେ ସବୁର ଶାସ୍ତ୍ରୀୟ ପ୍ରମାଣ ସହ ସଙ୍ଗୀତର କଳା ଗୁଡିକ ପୃଥକ ପୃଥକ କରି ଦେଖାଇବା ନିମନ୍ତେ ସଙ୍ଗୀତ-ରତ୍ନାକର, ସଙ୍ଗୀତ-ପାରିଜାତ, ସଙ୍ଗୀତ-ଦର୍ପଣ, ରାଗ-ବିବୋଧ ଇତ୍ୟାଦି ବିଂଶାଧିକ ପୁରାତନ ଗ୍ରନ୍ଥର ପ୍ରମାଣ ସାଧ୍ୟାନୁଯାୟୀ ସଙ୍ଗୀତ କଳାକାରରେ ଦର୍ଶାଯାଇଅଛି। ପ୍ରତି ବିଷୟର ଶେଷରେ ସମୟାନୁକାଳ ମନ୍ତବ୍ୟ ଉଲ୍ଲେଖ ହୋଇଅଛି। ନୂତନ ସଙ୍ଗୀତ ଶିକ୍ଷାର୍ଥୀଙ୍କର ସୁବିଧା ପାଇଁ କ୍ରମାଗତ ବିଷୟଗୁଡିକ ସୁସଜ୍ଜିତ କରି ଗ୍ରନ୍ଥାନୁକୂଳ ସଙ୍ଗୀତ କଳାଗୁଡିକ ଦର୍ଶାଇବା ଉଦ୍ଦେଶ୍ୟରେ ନବ୍ୟରୁଚି ଅନୁଯାୟୀ କେତୋଟି ନୂତନ କବିତା ଦିଆଯାଇଛି। ସୂଚୀପନ୍ତ୍ର ତାଳପ୍ରକରଣ – ୧-ତାଳ ପ୍ରଶଂସା; ୨- ତାଳ ଉତ୍ପତ୍ତି, ତାଳଶବ୍ଦ ବ୍ୟୁତ୍ପତ୍ତ ୩- ତାଳ ବିଭାର Function …“ଗ ୪- ତାଳ ଦଶତ୍ରାଶ ୫- କାଳ; ୬- ମାର୍ଗପ୍ରାଣ ଲକ୍ଷଣ; ୭- କ୍ରିୟା-ମାର୍ଗ କ୍ରିୟା, ନିଃଶବ୍ଦ କ୍ରିୟା ଲକ୍ଷଣ, ସଶବ୍ଦ ମାର୍ଗକ୍ରିୟା ଲକ୍ଷଣ; ୮- ଦେଶ କ୍ରିୟା, ଦେଶ କ୍ରିୟା ଲକ୍ଷଣ; ୯- ଅଙ୍ଗ-ଅଙ୍ଗର ସ୍ୱରୂପ, ଅଙ୍ଗାଙ୍ଗୁଳ ପ୍ରମାଣ ଲକ୍ଷଣ, ତାଳ ଷଡାଙ୍ଗର ବ୍ୟବହାର; ୧୦- ଗ୍ରୁହ, ୧୧- ଜାତିପ୍ରାଣ ଲକ୍ଷଣ, ଜାତିବିବରଣ; ୧୨- କଳାପ୍ରାଣ ଲକ୍ଷଣ; ୧୩- ଲୟପ୍ରାଣ ଲକ୍ଷଣ; ୧୪- ଯତିପ୍ରାଣ ଲକ୍ଷଣ ଯତି ବିବରଣ, ସ୍ରୋତବହ ଯତି, ଗୋପୁଚ୍ଛ ଯତି, ବେଦମଧ୍ୟା ଯତି, ମୃଦଙ୍ଗ ଯତି, ବିଷମ ଯତି; ୧୫- ପ୍ରସ୍ତାର ପ୍ରାଣ ଲକ୍ଷଣ; ୧୬- ସପ୍ତତାଳ, ୧୭- ସପ୍ତତାଳର କର୍ତ୍ତା; ୧୮- ସପ୍ତତାଳର ଅଙ୍ଗ ଲକ୍ଷଣ; ୧୯- ସପ୍ତତାଳର ଘାତ ୨୦- ଛଅଗୋଟି ଅଙ୍ଗର ସଂଜ୍ଞା ଓ ଅକ୍ଷର ନିୟମ; ୨୧- ଲଘୁର ଗୋ ୫ଟି ଜାତି; ୨୨- ୩୫ ତାଳ।

ସ୍ୱର ପ୍ରକରଣ – ୧ ବନ୍ଦନା; ୨- ସଙ୍ଗୀତ ଉତ୍ପତ୍ତି; ୩- ସଙ୍ଗୀତ ଶବ୍ଦାର୍ଥ ; ୪- ସଙ୍ଗୀତ ଫଳିତାର୍ଥ; ୫- ସଙ୍ଗୀତ ବିଭାଗ; ୬- ମାର୍ଗ ସଙ୍ଗୀତ; ୭- ଦେଶୀ ସଙ୍ଗୀତ, ୮-ନାଦ ଉତ୍ପତ୍ତି, ୯- ନାଦ ଶବ୍ଦାର୍ଥ, ୧୦- ନାଦ ଲକ୍ଷଣ, ୧୧- ନାଦ ବିଭାଗ, ଅନାହତ ନାଦ, ଆହତ ନାଦ, ୧୨- ଶ୍ରୁତି, ୧୩- ଦ୍ୱାବିଂଶତି ଶ୍ରୁତିର ନାମ, ୧୪- ଦ୍ୱାବିଂଶତି ଶ୍ରୁତିର ଜାତି, ୧୫- ଶ୍ରୁତି ଜାତିଭେଦ, ୧୬- ଶ୍ରୁତିଜାତି ସ୍ୱର ଲକ୍ଷଣ, ୧୭- ସ୍ୱରରେ ନିର୍ଦ୍ଧାରିତ ଶ୍ରୁତି, ୧୮ – ନିୟତ ଶ୍ରୁତି, ୧୯- ସ୍ୱର ଶବ୍ଦାର୍ଥ, ୨୦- ସପ୍ତସ୍ୱରର ଧ୍ୱନି ଦୃଷ୍ଟାନ୍ତ, ୨୧- ଶୁଦ୍ଧ ବିକୃତ ସ୍ୱର ଲକ୍ଷଣ, ୨୨- ସ୍ଥାୟୀ ଲକ୍ଷଣ, ୨୩- ଗ୍ରାମ, ୨୪- ଗମକ, ୨୫- ବାଦିବିବାଦି ସ୍ୱର ଲକ୍ଷଣ, ୨୬- ରାଗ ଉତ୍ପତ୍ତି, ୨୭ – ଦେଶୀ ରାଗ ଲକ୍ଷଣ, ୨୮- ରାଗ-ବିଭାଗ ମାର୍ଗ ରାଗ, ଦେଶି ରାଗ, ୨୯- ଆଳାପ, ୩୦ – ଅଳଙ୍କାର, ୩୧- ରାଗକାଳ ନିର୍ଣ୍ଣୟ, ୩୨- ହାର୍ମୋନିୟମ ସାଧନ ପ୍ରଣାଳୀ, ୩୩- ଷଟ୍‌କାଳ ସାଧନ ପ୍ରଣାଳୀ, ୩୪- କାଳ ନିୟମରେ ସାଧନ ପ୍ରଣାଳୀ, ୩୫- ସରଳୀୟ ସ୍ୱରାବଳୀ, ୩୬- ତାରକ ସ୍ଥାୟୀ ସରଳୀୟ ସ୍ୱରାବଳୀ, ୩୭- ଯୁଗ୍ମ ସ୍ୱର, ୩୮ – ୩୫ ତାଳର ଅଳଙ୍କାର, ୩୯- ଖଣ୍ଡପଦ୍ୟ – ମୋହନା ( ଖର କର ଢେମା ତୀର ) ମେଚକଲ୍ୟାଣୀ ( ଗୋପାଳ-ବାଳକ), ଆନନ୍ଦ ଭୈରବୀ ( ନଳିନ-ବରାନନି) ଭୈରବୀ ( ଶ୍ରୀରାଧେଶ୍ୟାମ ମାନସ ) ଦେଶାକ୍ଷୀ ( ବାରଣଗଣ ତ୍ରାଣ ), ୪୦- ସ୍ୱରଜ-ଚକ୍ରବାକ ( ତ୍ରାହି ନବୀନ ଘନଶ୍ୟାମ), ଖମାଚ ( କୃଷ୍ଣ ପ୍ରିୟେ ଶ୍ରୀରାଧେ), ୪୧- ତାନ ବର୍ଣ୍ଣ-ଶଙ୍କରାଭରଣ ( ରାଧେ ରାଧେ ବୋଲି), କାମ୍ଭୋଜି ( ସରଣୀ ଛାଡ ବାମା ), ହଂସଧ୍ୱନି ( ସରି ଗଲେଣି ସେ କିଶୋର ), ଶ୍ରୀରାଗ ( ଫୁଲ୍ଲ ନୀଳୋତ୍ପଳ), ୪୨- ଭଜନା-ଭୈରବୀ ( ଶ୍ରୀ ରାଧାଧବ), ଶ୍ୟାମ ( କେଉଁ ଉଦ୍ଦେଶ୍ୟ), ହଂସଧ୍ୱନି (ସ୍ୱଚ୍ଛଳ ଜଳଦ ହେ), ଶଙ୍କରାଭରଣ ( ଭ୍ରମର ଗାଅ ବାରେ), ଅମୃତ ବାହିନୀ ( ଶ୍ରୀକୁଞ୍ଜ ନିଳୟ), କୁନ୍ତଳ ବରାଳୀ ( ବହ ବହ ବହ ରେ), ମୁଖାରୀ ( କାହୁଁ ବା ଶୁଭେ ସଙ୍ଗୀତ ), ଥରହର ପ୍ରିୟା ( ଗାଅରେ ପକ୍ଷି), କୀରବାଣୀ ( ବିଧିଶିବାର୍ଚିତ), କମ୍ଭୋଜି ( ଜାଣି ତୁହି ଥା ରେ ), ନାୟକି ( କରଧୃତ ମନ୍ଦର) ଶୁଦ୍ଧ ବଙ୍ଗଳା ( ଚିତ୍ତଭାବ ଗୋପେଶ୍ୱର), ଫରଜ ( ମତେ ଲଗାନା ରେ ), କେଦାର ( ଖରାପ ତୁ ହେଲୁ ରେ), ଦେଶାକ୍ଷୀ ( ଢାଳେ ତ ଢାଳିଲୁ ନାହିଁ), ନାଦ ନାମ କ୍ରିୟା ( ଚାହାଁରେ ବ୍ରଜବିଧୁ), ୪୩- ମଙ୍ଗଳ (ଶ୍ରୀରାଧା ପ୍ରାଣନାୟକ), ୪୪- ରାଗଭେଦ, ୪୫- ଶୁଦ୍ଧ ମଧ୍ୟମ, ପ୍ରତି ମଧ୍ୟମ, ୪୬- ରାଗବର୍ଦ୍ଧନୀ, ୪୭- ସ୍ୱରପ୍ରସ୍ତାର, ୪୮- ମୃଦଙ୍ଗ, ୪୯- ହସ୍ତ ସାଧନର ସହଜ ବାଦ୍ୟ, ୫୦- ରଗଡ, ୫୧- ସପ୍ତତାଳରେ ବାଦ୍ୟ-ଶ୍ରୀକର ( ଚତୁରସ୍ରଗତି), ଶ୍ରୀକର ( ତ୍ରିସଗତି), ସମ (ଚତୁରସ୍ରଗତି), ସମ ( ତ୍ରିସଗତି), ପତ୍ତି ( ଚତୁରପ୍ରଗତି), ପତ୍ତି ( ତ୍ରିସଗତି), ଶଙ୍ଖ (ଚତୁରସ୍ରଗତି), ଆଦି (ଚତୁରସ୍ରଗତି), ୫୨- ଗଣ ନିର୍ଣ୍ଣୟ, ୫୩- ବିଂଶତ୍ୟୁତ୍ତର ଶତ ଦେଶିତାଳ ଲକ୍ଷଣ।

ବାସୁଦେବ ସାମନ୍ତ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ସଙ୍ଗୀତ କଳାକାର ନାମରେ ଯେଉଁ ସଙ୍ଗୀତ ବିଜ୍ଞାନର ସଂକଳନ ଓ ପ୍ରକାଶନ କରିଥିଲେ, ଯାହା ୧୯୨୯ରେ ସତ୍ୟବାଦୀ ପ୍ରେସରେ ମୁଦ୍ରିତ ହାଇଥିଲା। ଏପରି ପୁସ୍ତକ ଓ ଗବେଷଣା ମୁଳକ ଲେଖା ଗୁଡିକୁ ସଂଗ୍ରହ କରାଯାଇ କେନ୍ଦ୍ରସରକାରଙ୍କ ନିକଟକୁ ପଠାଗଲେ ସାସ୍ତ୍ରୀୟ ମାନ୍ୟତା ପାଇବାରେ ଆମେହକଦାର ହେବୁ।

ବରିଷ୍ଠ ସାମ୍ବାଦିକ
ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮