Odiapua.com

ଚୋର ଭାବି ଯୁବକକୁ ପିଟି ପିଟି ମାରିଦେଲେ

ନୟାଗଡ଼, ୩୦ା୪:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଓଡ଼ଗାଁ ବ୍ଳକ ଅନ୍ତର୍ଗତ କୁରୁମ ବାଙ୍କତରା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକକୁ ଚୋର ଭାବି ପିଟି ପିଟି ମାରିଦେଇଥିବା ଜଣାପଡ଼ିଛି। ଯୁବକର ନାମ କୃଷ୍ଣ ପ୍ରଧାନ(୩୦) ଓ ତାର ଘର ଗଞ୍ଜାମ ଜିଲ୍ଲାରେ। ସେ କିଛିବର୍ଷ ହେଲା ଓଡ଼ଗାଁ ଥାନା ଗୌଡ଼ପୁଟ ଗ୍ରାମରେ ନିଜ ପରିବାର ସହ ରହୁଥିଲା। ଉତ୍ୟକ୍ତ ଗ୍ରାମବାସୀ କୃଷ୍ଣକୁ ଗୁରୁତର ଭାବେ ମାଡ଼ମାରି ଗାଁ ଦାଣ୍ଡରେ ପକାଇଦେବା ପରେ ଓଡ଼ଗାଁ ପୁଲିସ ଖବର ପାଇ ତାକୁ ଉଦ୍ଧାର କରି ପ୍ରଥମେ ଓଡ଼ଗାଁ ଡାକ୍ତରଖାନା ଓ ପରେ ନୟାଗଡ଼ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ତା’ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ଭୁବନେଶ୍ୱର ନେଉଥିବା ବାଟରେ କୃଷ୍ଣର ମୃତ୍ୟୁ ଘଟିଥିଲା। କୃ୍ଷ୍ଣର ପିତା ବଂଶୀ, ତିନି ସନ୍ତାନ ଓ ପତ୍ନୀ ଅଛନ୍ତି। କୁରୁମ ବାଙ୍କତରା ଗ୍ରାମର ଲକ୍ଷ୍ମୀନାରାୟଣ ସାହୁଙ୍କ ଘରେ ପଶି ଗତ ବିଳମ୍ବିତ ରାତିରେ କୃଷ୍ଣଙ୍କ ଆଉ ୩ଜଣ ଯୁବକ ଚୋରି କରିବାକୁ ଉଦ୍ୟମ କରୁଥିବାବେଳେ ଏପରି ଘଟଣା ଘଟିଥିବା କୁହାଯାଉଛି। ପୁଲିସ ଅନୁସନ୍ଧାନ ଚଳାଇଛି।