Odiapua.com

ମୁଖ୍ୟମନ୍ତ୍ରୀଙ୍କ ମିଛ ଧରାପଡିଲା: କୁସୁମ ଟେଟେ

ଭୁବନେଶ୍ୱର: ରାଜ୍ୟରେ ମହିଳା ଓ ଶିଶୁ ଅପରାଧ ଦିନକୁ ଦିନ ବୃଦ୍ଧି ପାଇଚାଲିଛି, କିନ୍ତୁ ରୋକିବାର ନାଁ ନାହିଁ। ରାଜ୍ୟରେ ବର୍ଦ୍ଦିତ ମହିଳା ଓ ଶିଶୁ ଅପରାଧ ଉପରେ ଅଙ୍କୁଶ ଲଗାଇବା ପାଇଁ ପୋଲିସ ବିଭାଗ ଅଧିନରେ ଏକ ସ୍ୱତନ୍ତ୍ର ବିଭାଗ ଖୋଲାଯିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ବିଶେଷ ଭାବେ ସମ୍ବେଦନଶୀଳ ଘଟଣାର ତଦନ୍ତ ଓ ସମୀକ୍ଷା ଏହି ବିଭାଗ ତରଫରୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ବିଭାଗର ମୁଖ୍ୟ ଭାବେ ଆଇଜିପି ଏସ. ସାଇନିଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଥିଲା। ବହୁଚର୍ଚ୍ଚିତ ଓ ସମ୍ବେଦନଶୀଳ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଏହି ବିଭାଗ କ’ଣ ପଦକ୍ଷେପ ନେଇଛି, ତାହା ଜାଣିବା ପାଇଁ ଆଜି ବିଜେପି ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ଆଇଜିପି ଏସ. ସାଇନିଙ୍କୁ ସାକ୍ଷାତ କରିଥିଲେ।ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ ତାଙ୍କ ଅଧିନରେ ନୁହେଁ, ବରଂ ଏହା ଜିଲ୍ଲା ପୋଲିସ୍ ଅଧିନରେ ଥିବା କଥା ଆଇଜିପି ଏସ. ସାଇନି ପ୍ରତିନିଧି ଦଳକୁ ସୂଚନା ଦେଇ କହିଥିଲେ। ରାଜ୍ୟର ମା’ ଓ ଭଉଣୀଙ୍କ ସୁରକ୍ଷା ପ୍ରତି ମୁଖ୍ୟମନ୍ତ୍ରୀଙ୍କ କୈାଣସି ଦରଦ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ମିଛ ଧରାପଡ଼ିଲା। କେବଳ ମିଛ କଥା କହି ରାଜ୍ୟବାସିଙ୍କୁ ବିଭ୍ରାନ୍ତ କରିବାରେ ମୁଖ୍ୟମନ୍ତ୍ରୀ ସିଦ୍ଧହସ୍ତ ବୋଲି ପ୍ରତିନିଧି ଦଳର ସଦସ୍ୟା ତଥା ବିଧାୟିକା କୁସୁମ ଟେଟେ କ୍ଷୋଭ ପ୍ରକାଶ କରି କହିଛନ୍ତି। ରାଜ୍ୟରେ ମହିଳା ଓ ଶିଶୁ ଅପରାଧ ରୋକିବାକୁ କୈାଣସି ସ୍ୱତନ୍ତ୍ର ବିଭାଗ ଖୋଲାଯାଇ ନାହିଁ ଏବଂ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ଭାବେ ଏହି ବିଭାଗର ଦାୟୀତ୍ୱରେ ଥିବା ଆଇଜିପି ଏସ. ସାଇନିଙ୍କ କୈାଣସି କ୍ଷମତା ନାହିଁ ବୋଲି ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ଏହା ଉପରେ ସ୍ପଷ୍ଟୀକରଣ ଦେବାକୁ ଶ୍ରୀମତୀ ଟେଟେ ଦାବି କରିଛନ୍ତି। ଏହି ପ୍ରତିନିଧି ଦଳରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଉପାଧ୍ୟକ୍ଷା କସ୍ତୁରୀ ମିଶ୍ର, ସମ୍ପାଦିକା ଇତିଶ୍ରୀ ଜେନା, ମିଡିଆ ସେଲ୍ ସଂଯୋଜିକା ସୁଚରୀତା ଜେନାମଣୀ ଏବଂ ଆଇଟି ସେଲ୍ ସଂଯୋଜିକା ଶତରୁପା ମିଶ୍ର ପ୍ରମୂଖ ସାମିଲ୍ ଥିଲେ।
-/Dr