Odiapua.com

ଚାନ୍ଦିନୀଚୌକ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ମହୋତ୍ସବ–୨୦୧୯ ମହାସମାରୋହରେ ଉଦ୍ ଯାପିତ

କଟକ ୧୬/୭ (ଓଡ଼ିଆ ପୁଅ) – ଜୁଲାଇ ୪ ତାରିଖ ଶ୍ରୀଗୁଣ୍ଡିଚା ଠାରୁ ୧୫ ତାରିଖ ନୀଳାଦ୍ରି ବିଜୟ ପର୍ଯ୍ୟନ୍ତ ଦୀର୍ଘ ୧୨ ଦିନ ବ୍ୟାପୀ ଚାନ୍ଦିନୀଚୌକ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ମହୋତ୍ସବ-୨୦୧୯ ଗତକାଲି ସନ୍ଧ୍ୟାରେ ମହାସମାରୋହରେ ଉଦ୍ ଯାପିତ ହୋଇଛି। ଏଥିନିମନ୍ତେ ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ସଭାପତି ଶ୍ରୀ ଯୁଧିଷ୍ଠିର ସିଂହ ଓ ରଥଯାତ୍ରା ପରିଚାଳନା ସମିତି ସମ୍ପାଦକ ଶ୍ରୀ ଭିକାରୀ ଦାସ ଅଗଣିତ ଭକ୍ତ ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। କାଲଫା ଫାଣ୍ଡିସ୍ଥ ଗୁଣ୍ଡିଚା ମନ୍ଦିର ପରିସରରେ ଜୁଲାଇ ୫ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ ଦିନ ବ୍ୟାପୀ ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରାୟ ୭୦ ରୁ ଅଧିକ ନୃତ୍ୟାଙ୍ଗନା ଓଡ଼ିଶୀ ନୃତ୍ୟ ପରିବେଷଣ କରିବା ସହିତ ଅମର-କୁଲ ଡ୍ୟାନ୍ସ ଗ୍ରୁପ, ମା ପୁରୁଣେଇ ଡ୍ୟାନ୍ସ ଏକାଡେମୀ, ପୁଷ୍ପାଞ୍ଜଳୀ ଡ୍ୟାନ୍ସ ଗ୍ରୁପ, ଭୂଆଷୁଣୀ ଡ୍ୟାନ୍ସ ଗ୍ରୁପ, ରୋଜ ଟ୍ରି ଡ୍ୟାନ୍ସ ଷ୍ଟୁଡ଼ିଓ, ସାଇ ମୁସକାନ୍ ଡ୍ୟାନ୍ସ ଗ୍ରୁପ, ଓମ୍ ସାଇ ବନଦୁର୍ଗା ଡ୍ୟାନ୍ସ ଗ୍ରୁପ ଓ ଧୁମ୍ ଡ୍ୟାନ୍ସ ଗ୍ରୁପ ପ୍ରମୁଖ ଭଜନ ଉପରେ ଆଧାରିତ ନୃତ୍ୟ ପରିବେଷଣ କରିଥିଲେ। ୮ ତାରିଖ ହେରା ପଂଚମୀ ତିଥିରେ ମା’ ଲକ୍ଷ୍ମୀ ଜଗନ୍ନାଥ ମନ୍ଦିରରୁ ଚାନ୍ଦି ପାଲିଙ୍କିରେ ବାଣ ରୋଷଣୀ, କଟକ ଜିଲ୍ଲା ଆଖଡା ସଂଘ ଓ ମା’ ଭଗବତୀ ସଂକୀର୍ତନ ସମିତି ଦ୍ୱାରା ଆୟୋଜିତ ବିଶାଳ ଶୋଭାଯାତ୍ରାରେ ଗୁଣ୍ଡିଚା ମନ୍ଦିରଠାରେ ପହଂଚି ଥିଲେ। ୧୨ ତାରିଖ ବାହୁଡା ତିଥିରେ ଚତୁର୍ଦ୍ଧା ମୂତି ରଥ ଆରୋହଣ କରି ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିର ସମ୍ମୁଖ ବଡ଼ଦାଣ୍ଡକୁ ଆସିଥିଲେ। ୧୩ ତାରିଖ ସୁନାବେଶ ପ୍ରବଳ ଜନଗହଳ ମଧ୍ୟରେ ଶ୍ରୀଗୁରୁ ଭଜନ ସନ୍ଧ୍ୟା ପକ୍ଷରୁ ଭଜନ ସମାବେଶ ଅନୁଷ୍ଠିତ ହୋଇଥିଲା। ୧୪ ତାରିଖ ଅଧରପଣା ଅବସରରେ ମା’ ଭଗବତୀ ପୂଜା ସଂକୀର୍ତନ ସମିତିର ତରୁଣ କଣ୍ଠଶିଳ୍ପୀଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା। ୧୫ ତାରିଖ ନୀଳାଦ୍ରି ବିଜୟ ଅବସରରେ ଚତୁର୍ଦ୍ଧା ମୂତି ବାଣ ରୋଷଣୀ, ଘଂଟଘଂଟା ଧ୍ୱନି ମଧ୍ୟରେ ରତ୍ନସିଂହାସନକୁ ବିଜେ କରିଥିଲେ। ପରମ୍ପରା ଅନୁସାରେ ଲକ୍ଷ୍ମୀ ନାରାୟଣ କଳିକୁ ଭକ୍ତମାନେ ନିସ୍ତବ୍ ଧ ଭାବେ ଉପଭୋଗ କରିବା ସହିତ ପ୍ରଭୁଙ୍କର ରସଗୋଲା ଭୋଗ ବଂଟନ କରାଯାଇଥିଲା। ଦୀର୍ଘ ୧୨ ଦିନ ବ୍ୟାପୀ ଏ ସମସ୍ତ କାର୍ଯ୍ୟକ୍ରମରେ କଟକ ସହରର କୋଣଅନୁକୋଣରୁ ହଜାର ହଜାର ଭକ୍ତ ଜନସାଧାରଣ, କଟକ ମହାନଗର ଶାନ୍ତି କମିଟି, ୭୨ ସଂକୀର୍ତନ ମଂଡଳୀର ଚାରି ଦିଗ ଭାଗ ପଦାଧିକାରୀ, କଟକ ମହାନଗର ନଦୀୟା ସଂକୀର୍ତନ ମହାମଂଡଳର ପଦାଧିକାରୀ, ବିଭିନ୍ନ ପୂଜା କମିଟି, ବିଶେଷ ଭାବେ ଚାନ୍ଦିନୀଚୌକ ଦୁର୍ଗାପୂଜା କମିଟି, ବ୍ୟବସାୟୀ ସଂଘ, ବିଭିନ୍ନ କ୍ଲବ ଓ ଧର୍ମାନୁଷ୍ଠାନ ପ୍ରମୁଖ ସହଯୋଗ କରିଥିବାରୁ ପରିଚାଳନା ସମିତି ପକ୍ଷରୁ ସେମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଛି। ସମସ୍ତ କାର୍ଯ୍ୟକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରସାଶନ, ପୋଲିସ୍ ପ୍ରସାଶନ, କଟକ ମହାନଗର ନିଗମ, ନିର୍ବାଚିତ ଲୋକ ପ୍ରତିନିଧି ଓ ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦଙ୍କ ଅକୁଣ୍ଠ ସହଯୋଗ ନିମନ୍ତେ ସମିତି ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି। ମନ୍ଦିର ପରିଚାଳନା ସମିତି ପକ୍ଷରୁ ପୋଲିସ୍ କମିଶନର ଶ୍ରୀଯୁକ୍ତ ସତ୍ୟଜିତ୍ ମହାନ୍ତି, କଟକ ଜିଲ୍ଲାପାଳ ଶ୍ରୀଯୁକ୍ତ ଭବାନୀଶଙ୍କର ଚଇନୀ, ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ୍, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ଦେ, କଟକ ମହାନଗର ନିଗମ କମିସନ୍ ର ଅନନ୍ୟା ଦାସ, କଟକ ଡି.ସି.ପି ଅଖିଳେଶ୍ୱର ସିଂହ, ବିଶିଷ୍ଟ ସମାସେବୀ ଡକ୍ଟର କିଷାନଲାଲ ଭରତିଆ, ପୂର୍ବତନ ମେୟର ସୁଶ୍ରୀ ନିବେଦିତା ପ୍ରଧାନ, କଟକ ମହାନଗର ଶାନ୍ତି କମିଟି ସଭାପତି ଶ୍ରୀ ଦେବେନ୍ଦ୍ରନାଥ ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟକୁମାର ଖଣ୍ଡାୟତରାୟ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀଯୁକ୍ତ ଅଶୋକକୁମାର ଷଡଙ୍ଗୀ, ପ୍ରଶାସନିକ ଅଧିକାରୀ ପ୍ରବୋଧକୁମାର ରାଉତ, ଏସିପି ଶ୍ରୀ ନାରାୟଣଚନ୍ଦ୍ର ବାରିକ, ଲାଲବାଗ୍ ଥାନା ଅଧିକାର ଶ୍ରୀ ଆଶୁତୋଷ ମିଶ୍ର, ସମାଜସେବୀ ଡା. ଗୋପଳଚନ୍ଦ୍ର କର, ଓଡ଼ିଶା ଯୁବ ସାମ୍ବାଦିକ ସଂଘର ମୁଖ୍ୟ ଶ୍ରୀ ଦିପେଶ ମହାପାତ୍ର, କାଫଲା କାର୍ତିକେଶ୍ୱର ପୂଜା କମିଟି ସଭାପତି ଶ୍ରୀ ଗଜେନ୍ଦ୍ର ନାୟକ ଓ ସଂପାଦକ ଶ୍ରୀ ସିଦ୍ଧାର୍ଥ କୁମାର ନାୟକଙ୍କୁ ଉପଢ଼ୌକନ ଓ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।