ଭୁବନେଶ୍ୱର/ଭଦ୍ରକ: ବନ୍ଦର, ପରିବହନ ଓ ଜଳପଥ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୂର ତିନି ଦିନିଆ ଭଦ୍ରକ ଜିଲ୍ଲା ଗସ୍ତରେ ଆସୁଛନ୍ତି। ଆଜି ଭଦ୍ରକରେ ପହଞ୍ଚି ମନ୍ତ୍ରୀ ରାତ୍ରୀଯାପନ କରିବେ। ଏହାପରେ ୧୩, ୧୪ ଓ ୧୫ ଦିନ ଧରି ଜିଲ୍ଲାର ଭିନ୍ନ ଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସତ୍ରରେ ଦଳର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଯୋଗଦେବେ। ଜିଲ୍ଲା ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚା ପଦାଧିକାରୀଙ୍କ ସହିତ ବୈଠକ, ପରିବାର ଭୋଜନ, ବିଚାର ପରିବାର ସମନ୍ଵୟ ବୈଠକ, ପ୍ରଭାବୀ ମତଦାତା ସମ୍ମିଳନୀ, ନୂଆ ମତଦାତା ସମ୍ମିଳନୀ ଆଦି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଯୋଗଦେବେ। ଏହା ଭିତରେ କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଏକ ବାଇକ ରାଲିରେ ଯାଇ ଭଦ୍ରକ ସ୍ଥିତ ଭଦ୍ରକାଳୀ ମନ୍ଦିର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ। ମନ୍ତ୍ରୀ ବଳଦେବଜୀଉ ମନ୍ଦିର ମଧ୍ୟ ଦର୍ଶନ କରିବେ। ସେହିପରି ବାସୁଦେବପୁର ଇରମ୍ ସ୍ଥିତ ସହିଦ୍ ସ୍ମୃତି ସ୍ତମ୍ଭ ଯାଇ “ଆଜାଦୀ କି ଅମୃତ ମହୋତ୍ସବ” ପାଳନ ଅବସରରେ ଅମର ସହିଦ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। କ୍ରାନ୍ତି ମୈଦାନ ଯାଇ ସହିଦ୍ ସ୍ତମ୍ବ ଏବଂ ଗାନ୍ଧୀମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହାସହ କେନ୍ଦ୍ରମନ୍ତ୍ରୀଙ୍କ ଭଦ୍ରକ ରେଳଷ୍ଟେସନ ଯାଇ ନିର୍ମାଣଧୀନ ବିକାଶ ତୀର୍ଥ ଭବନ ଏବଂ ଧାମରା ବନ୍ଦର ପରିଦର୍ଶନ କାର୍ଯ୍ୟକ୍ରମ ରହିଛି। ମନ୍ତ୍ରୀ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବା ସହିତ ସମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ ମଧ୍ୟ କରିବେ। ଭଦ୍ରକ ମାଟିରେ କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ଭବ୍ୟ ସ୍ୱାଗତ କରାଯିବା ସହ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଏବଂ ମାର୍ଗଦର୍ଶନ ଜିଲ୍ଲାରେ ସଙ୍ଗଠନ କାର୍ଯ୍ୟ ବିସ୍ତାର ଦିଗରେ ଆହୁରୀ ଅଧିକ ସହାୟକ ହେବ ବୋଲି ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ କହିଛନ୍ତି।