Odiapua.com

କରୋନା ମହାମାରୀର ସଫଳ ମୁକାବିଲା ପାଇଁ ୬ ଜଣିଆ ଆନ୍ତଃମନ୍ତ୍ରୀମଣ୍ଡଳ ଟିମ ଗଠନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ ୨୦-୪ (ଓଡ଼ିଆ ପୁଅ) ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୬ଟି ଆନ୍ତମନ୍ତ୍ରୀମଣ୍ଡଳୀୟ କେନ୍ଦ୍ରୀୟ କମିଟି ଗଠନ କରିଛନ୍ତି। ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ଲାଗି ୨ଟି ଲେଖାଏଁ କମିଟି ଥିବାବେଳେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ଲାଗି ଗୋଟିଏ ଲେଖାଏଁ ରହିଛି। ସେମାନେ ଘଟଣାସ୍ଥଳକୁ ଯାଇ ରାଜ୍ୟ ସରକାରଙ୍କ କର୍ତ୍ତୃପକ୍ଷଙ୍କ ସହିତ ଏହି ବିଷୟରେ ଆଲୋଚନା କରି ସମସ୍ୟାର ସମାଧାନ ଲାଗି ରାଜ୍ୟ ସରକାରଗୁଡିକୁ ପରାମର୍ଶ ଦେବେ। ବିଶେଷ କରି ମଧ୍ୟପ୍ରଦେଶର ଇନ୍ଦୋର, ମହାରାଷ୍ଟ୍ରର ମୁମ୍ବାଇ ଓ ପୁନେ, ରାଜସ୍ଥାନର ଜୟପୁର ଏବଂ ପଶ୍ଚିମବଙ୍ଗର କୋଲକାତା, ହାୱାଡା, ପୂର୍ବମେଦିନାପୁର, ଉତ୍ତରଚବିଶ ପ୍ରଙ୍ଗଣା, ଦାର୍ଜିଲିଂ, କାଲିନପଙ୍ଗ ଓ ଜଳପାଇଗୁଡିରେ ପରିସ୍ଥିତି ଗମ୍ଭୀର ରହିଛି। ଆନ୍ତମନ୍ତ୍ରୀମଣ୍ଡଳୀୟ କେନ୍ଦ୍ରୀୟ ଦଳ ପ୍ରଣୀତ ନିୟମାବଳୀ ଅନୁସାରେ ଲକଡାଉନର କଟକଣା, କାର୍ଯ୍ୟକାରିତା, ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ, ସାମାଜିକ ଦୂରତା ରକ୍ଷା, ସ୍ୱାସ୍ଥ୍ୟ ଭିତ୍ତିଭୂମିର ସ୍ଥିତି, ବିଭିନ୍ନ ରିଲିଫ ଶିବିରରେ ରହୁଥିବା ଶ୍ରମିକ ଓ ଗରିବ ଲୋକଙ୍କ ଅବସ୍ଥା ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ସୁରକ୍ଷା ଉପରେ ଅନୁଧ୍ୟାନ କରିବ।

ଏଠାରେ ସୂଚନା ଦିଆଯାଇପାରେ ଯେ, ହଟସ୍ପଟ ଜିଲ୍ଲା ବା ହଟସ୍ପଟ ହେବାକୁ ଯାଉଥିବା ଜିଲ୍ଲା ବା କୌଣସି ଜିଲ୍ଲାରେ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଥିବା ଏପରି କିଛି ଗାଇଡଲାଇନର ଖିଲାପ ହେଉଛି ନା ନାହିଁ ତାହା ମଧ୍ୟ ଦେଖାଯିବ। ସେମାନଙ୍କର ରିପୋର୍ଟକୁ ବିଶ୍ଳେଷଣ କରି କେନ୍ଦ୍ର ସରକାର ଅନ୍ୟାନ୍ୟ ପଦକ୍ଷେପ ନେବେ। କେନ୍ଦ୍ର ସରକାର ଆପତ୍ତକାଳୀନ ପରିଚାଳନା ଆଇନ ୨୦୦୫ର ଧାରା- ୩୫(୧), ୩୫(୨)(କ), ୩୫(୨)(ଙ) ଏବଂ ୩୫(୨)(ଝ) ବଳରେ ଏହି କମିଟି ଗଠନ କରିଛନ୍ତି।

ଲକଡାଉନ କାଳରେ କଟକଣା ନିୟମାବଳୀ, ସଂଶୋଧିତ ନିୟମାବଳୀ ଓ ସେଗୁଡିକର କଡାକଡି ପାଳନ ଉପରେ ଗୁରୁତ୍ୱ ମଧ୍ୟ ଦିଆଯାଇଛି। ଆପଦକାଳୀନ ପରିଚାଳନା ଆଇନ ୨୦୦୫ ଅଧୀନରେ ପ୍ରଣିତ ନିୟମାବଳୀଗୁଡିକର ଯେପରି କୌଣସି ମତେ ଅଣଦେଖା କରାନଯାଏ ସେଥିପ୍ରତି ଧ୍ୟାନ ଦେବାକୁ କେନ୍ଦ୍ର ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ, ମାନ୍ୟବର ସୁପ୍ରିମକୋର୍ଟ ଗତ ୩୧ ମାର୍ଚ୍ଚରେ ଦାୟର କରାଯାଇଥିବା ଏକ ରିଟ ଆବେଦନ ବଳରେ ରାଜ୍ୟ ସରକାର, ପ୍ରତ୍ୟେକ ନାଗରିକ ଓ ସମସ୍ତେ କେନ୍ଦ୍ର ସରକାର ଜାରି କରିଥିବା ସମସ୍ତ ନିୟମାବଳୀକୁ ଜନସାଧାରଣଙ୍କ ସୁରକ୍ଷା ଲାଗି ଅକ୍ଷରେ ଅକ୍ଷରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ମଧ୍ୟ ଅବଗତ କରାଯାଇଛି।

ଆନ୍ତଃମନ୍ତ୍ରୀମଣ୍ଡଳୀୟ କମିଟି ଆପଦକାଳୀନ ପରିଚାଳନା ଆଇନ ୨୦୦୫ ଦ୍ୱାରା ପ୍ରଣିତ ଲକଡାଉନ କାଳରେ ଲାଗୁ କଟକଣାଗୁଡିକର ସମୀକ୍ଷା କରିବେ। ଏହାଛଡା ସେମାନେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ, ସାମାଜିକ ଦୂରତ୍ୱ ରକ୍ଷା, ହସ୍ପିଟାଲ ସୁବିଧା ଏବଂ ଜିଲ୍ଲାରେ ନମୁନାଗୁଡିକର ପରିସଂଖ୍ୟାନ, ସ୍ୱାସ୍ଥ୍ୟକର୍ମୀମାନଙ୍କର ସୁରକ୍ଷା, ବ୍ୟକ୍ତିଗତ ସୁରକ୍ଷା ଉପକରଣ ଉପଲବ୍ଧତା, ମାସ୍କ ଓ ଅନ୍ୟାନ୍ୟ ନିରାପତ୍ତା ଉପକରଣ, ବିଭିନ୍ନ ରିଲିଫ ଶିବିରରେ ରହୁଥିବା ଲୋକମାନଙ୍କ ସମ୍ପର୍କରେ ମଧ୍ୟ ତର୍ଜମା କରିବେ। ଖୁବ ଶୀଘ୍ର କମିଟି ଅଞ୍ଚଳଗୁଡିକ ଗସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।