Odiapua.com

ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପାଇଁ CBSE ଗଠନ କଲା କମିଟି, ୧୦ ଦିନରେ କମିଟି ଦେବ ରିପୋର୍ଟ

ନୂଆଦିଲ୍ଲୀ ୫-୬ (ଓଡ଼ିଆ ପୁଅ): ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ଉଦ୍ଦେଶ୍ୟରେ ମୂଲ୍ୟାଙ୍କନ ମାନଦଣ୍ଡ ସ୍ଥିର କରିବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏକ ୧୩ ଜଣିଆ କମିଟି ଗଠନ କରିଛି ଏବଂ ଏହି କମିଟି ୧୦ ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବ। କରୋନାଭାଇରସ୍ ମହାମାରୀର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଶ୍ରେଣୀ ୧୨ ବୋର୍ଡ ପରୀକ୍ଷା ବାତିଲ କରାଯାଇଥିଲା।

ସିବିଏସ୍ଇ ପରୀକ୍ଷକ ନିୟନ୍ତ୍ରକ ସୟମ୍ ଭରଦ୍ୱାଜ କହିଛନ୍ତି ଯେ, COVID-୧୯ ମହାମାରୀରୁ ସୃଷ୍ଟି ହୋଇଥିବା ଅବସ୍ଥା ଏବଂ ବିଭିନ୍ନ ବିଶେଷଜ୍ଞଙ୍କ ମତକୁ ଆଧାର କରି ଚଳିତ ବର୍ଷ ସିବିଏସ୍ଇର ଦ୍ୱାଦଶ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ ନାହିଁ। ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଫଳାଫଳ ପ୍ରସ୍ତୁତି ପାଇଁ ବସ୍ତୁନିଷ୍ଠ ମାନଦଣ୍ଡ ରଖାଯିବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ଭରଦ୍ବାଜ କହିଛନ୍ତି, “ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ଉଦ୍ଦେଶ୍ୟରେ, ସିବିଏସ୍ଇ ଏକ ୧୩ ଜଣିଆ କମିଟି ଗଠନ କରି ମୂଲ୍ୟାଙ୍କନ ମାନଦଣ୍ଡ ସ୍ଥିର କରିବ ବୋଲି ନିଷ୍ପତ୍ତି ନେଇଛି।

ଏହି କମିଟିର ସଦସ୍ୟମାନେ ହେଲେ ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିପିନ କୁମାର, ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶକ ଉଦିତ ପ୍ରକାଶ ରାୟ, କେନ୍ଦ୍ରିୟ ବିଦ୍ୟାଳୟ ସଂଗଠନର କମିଶନର ନିଧି ପାଣ୍ଡେ, ନବୋଦୟ ବିଦ୍ୟା ସମିତି କମିଶନର ବିନୟ ଗର୍ଗ, ଚଣ୍ଡିଗଡ଼ ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶକ ରୁବିନ୍ଦରଜିତ ସିଂ ବରାର, ସିବିଏସଇ ନିର୍ଦ୍ଦେଶକ (ଆଇଟି), ଅନ୍ତରୀକ୍ଷ ଜୋହରୀ, ସିବିଏସ୍ଇ ନିର୍ଦ୍ଦେଶକ (ଏକାଡେମିକ୍) ଜୋସେଫ୍ ଇମାନୁଏଲ୍ ଅଛନ୍ତି।

ଏହା ବ୍ୟତୀତ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଏବଂ NCERT ର ଜଣେ ଲେଖାଏଁ ପ୍ରତିନିଧୀ ଏବଂ ବିଦ୍ୟାଳୟର ଦୁଇଜଣ ପ୍ରତିନିଧୀ ଏହି କମିଟିରେ ଅନ୍ତର୍ଭୁକ୍ତ।

ସୂଚନାଯୋଗ୍ୟ, ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପରେ କେନ୍ଦ୍ର ସରକାର ଏବଂ କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା।