Odiapua.com

୬୫୦ କୋଟି ବ୍ୟୟରେ ନାଇଜରରେ ହେବ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ୍

ନୂଆଦିଲ୍ଲୀ/ଭୁବନେଶ୍ୱର: ଭୁବନେଶ୍ୱର ନାଇଜର କ୍ୟାମ୍ପସ ଠାରେ ଭାରତ ସରକାରଙ୍କ ଆଟୋମିକ୍ ଏନର୍ଜି ଡିପାର୍ଟମେଣ୍ଟ ଓ ଟାଟା ଟ୍ରଷ୍ଟ ସହଯୋଗରେ ୬୫୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣ ହେବ। ନୂଆଦିଲ୍ଲୀ ଠାରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହି ବୈଠକରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଟାଟା ମେମୋରିଆଲ୍ ସେଣ୍ଟରର ଅଧିକାରୀ, ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଓ ଆଟୋମିକ ଏନର୍ଜି ବିଭାଗର ବରିଷ୍ଠ ଅଧିକାରୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣରେ ଭାରତ ସରକାର ୪୦୦ କୋଟି ଏବଂ ଟାଟା ଟ୍ରଷ୍ଟ ୨୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏଥିପାଇଁ ନାଇଜର ୧୭ ଏକର ପରିମିତ ଜମି ପ୍ରଦାନ କରି ସାରିଥିବା ବେଳେ ଅତିରିକ୍ତ ୧୦ ଏକର ପରିମିତ ଜମି ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଯୋଗାଇ ଦେବ। ଏହି କ୍ୟାନସର ହସ୍ପିଟାଲକୁ ଟାଟା ଟ୍ରଷ୍ଟ ନିର୍ମାଣ କରିବା ପରେ ଭାରତ ସରକାରଙ୍କୁ ହସ୍ତାନ୍ତର କରିବେ। ହସ୍ପିଟାଲ୍ ନିର୍ମାଣ ସହ କ୍ୟାମ୍ପସ ପରିସରରେ କର୍ମଚାରୀଙ୍କ ପାଇଁ ବାସଗୃହ, ରୋଗୀଙ୍କ ପାଇଁ ଧର୍ମଶାଳା, ହଷ୍ଟେଲ ନିର୍ମାଣ କରାଯିବ। ଆଗାମୀ ୩ ବର୍ଷ ମଧ୍ୟରେ ଏହି ହସ୍ପିଟାଲ ନିର୍ମାଣ କାର୍ଯ୍ୟକୁ ଶେଷ କରିବାର ଲକ୍ଷ୍ୟ ରଖାଯାଇଛି।ସେହିପରି କ୍ୟାନସର ହସ୍ପିଟାଲରେ ନିଯୁକ୍ତ ହେବାକୁ ଥିବା ମେଡ଼ିକାଲ କର୍ମଚାରୀ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଭାଗୀୟ ମନ୍ତ୍ରଣାଳୟ ତରଫରୁ ଏକ ‘ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର’ ଖୋଲାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଏହି ହସ୍ପିଟାଲ ନିର୍ମାଣ ହେଲେ ଓଡ଼ିଶାବାସୀ ବେଶ ଉପକୃତ ହୋଇପାରିବେ ଓ ଏହି କ୍ଷେତ୍ରରେ ଅଧିକରୁ ଅଧିକ ଗବେଷଣା ହୋଇପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ଏହାକୁ ନେଇ ଖୁସି ପ୍ରକଟ କରିବା ସହ ଏହା ଏକ ସ୍ୱପ୍ନ ସାକାର ହେଲା ପରି ଘଟଣା ଏବଂ ସମ୍ମିଳତ ଉଦ୍ୟମର ଏକ ଉତ୍ତମ ଉଦାହରଣ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସୂଚନାଯୋଗ୍ୟ ଯେ ଗତ ୨୦୨୦ ଫେବ୍ରୁଆରୀରେ ଏପରି ଏକ ହସ୍ପିଟାଲ୍ ନିର୍ମାଣ ଦାବୀ ନେଇ ସାଂସଦ ଅପରାଜିତା ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହଙ୍କୁ ଭେଟି ଏକ ଜ୍ଞାପନ ପ୍ରଦାନ କରିଥିଲେ।
-/Dr