ନୂଆଦିଲ୍ଲୀ: ସେପ୍ଟେମ୍ବର ୯ ଓ ୧୦ ତାରିଖ ୨୦୨୩ରେ ଅନୁଷ୍ଠିତ ନୂଆଦିଲ୍ଲୀ ଜି- ୨୦ ଶିଖର ସମ୍ମିଳନୀର ସଫଳତାକୁ ପ୍ରଶଂସା କରି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏକ ସଂକଳ୍ପ ଗୃହିତ ହୋଇଛି। ‘ଏକ ବିଶ୍ୱ, ଏକ ପରିବାର, ଏକ ଭବିଷ୍ୟତ’ ବିଷୟବସ୍ତୁର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିକୁ କ୍ୟାବିନେଟ୍ ପ୍ରଶଂସା କରିଛି। ପ୍ରଧାନମନ୍ତ୍ରୀଙ୍କ ଜନଭାଗିଦାରୀ ଆଭିମୁଖ୍ୟ ଜି-୨୦ କାର୍ଯ୍ୟକ୍ରମ ଏବଂ କାର୍ଯ୍ୟକଳାପରେ ଆମ ସମାଜର ବିଭିନ୍ନ ବର୍ଗକୁ ସାମିଲ କରିଥିଲା। ୬୦ଟି ସହରରେ ଆୟୋଜିତ ୨୦୦ରୁ ଅଧିକ ଜି- ୨୦ ବୈଠକ କାର୍ଯ୍ୟକ୍ରମର ଏକ ଅଭୂତପୂର୍ବ ଛାପ ସୃଷ୍ଟି କରିଛି। ଫଳସ୍ୱରୂପ, ଭାରତର ଜି- ୨୦ ଅଧ୍ୟକ୍ଷତା ପ୍ରକୃତରେ ଜନକୈନ୍ଦ୍ରିକ ଥିଲା ଏବଂ ଏକ ଜାତୀୟ ପ୍ରୟାସ ଭାବରେ ଉଭା ହୋଇଥିଲା। କ୍ୟାବିନେଟ୍ ଅନୁଭବ କରିଛି ଯେ ଶିଖର ସମ୍ମିଳନୀର ଫଳାଫଳ ପରିବର୍ତ୍ତନ ଆଣିବା ସହିତ ଆଗାମୀ ଦଶନ୍ଧିରେ ବିଶ୍ୱ ବ୍ୟବସ୍ଥାର ପୁନର୍ଗଠନରେ ସହାୟକ ହେବ। ବିଶେଷ କରି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ, ଅନ୍ତର୍ଜାତୀୟ ଆର୍ଥିକ ଅନୁଷ୍ଠାନଗୁଡ଼ିକରେ ସଂସ୍କାର ଆଣିବା, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ପ୍ରତିଷ୍ଠା, ସବୁଜ ବିକାଶ ଚୁକ୍ତିକୁ ପ୍ରୋତ୍ସାହିତ କରିବା ଏବଂ ମହିଳାଙ୍କ ନେତୃତ୍ୱାଧୀନ ବିକାଶକୁ ପ୍ରୋତ୍ସାହିତ କରିବା ଉପରେ ଏଥିରେ ଗୁରୁତ୍ବ ଦିଆଯାଇଥିଲା। କ୍ୟାବିନେଟ୍ ଆହୁରି ମଧ୍ୟ ଉଲ୍ଲେଖ କରିଛି ଯେ ପୂର୍ବ- ପଶ୍ଚିମ ଧ୍ରୁବୀକରଣ ଦୃଢ଼ ଥିବା ସମୟରେ ଏବଂ ଉତ୍ତର- ଦକ୍ଷିଣ ବିଭାଜନ ଗଭୀର ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ସାମ୍ପ୍ରତିକ ସମୟର ସବୁଠାରୁ ପ୍ରମୁଖ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ସହମତି ସୃଷ୍ଟି କରିଛି।
-/Dev@DRath
ଜି- ୨୦ ଶିଖର ସମ୍ମିଳନୀର ସଫଳତାକୁ ପ୍ରଶଂସା କରି କେନ୍ଦ୍ର କ୍ୟାବିନେଟରେ ସଂକଳ୍ପ ଗୃହିତ
