Odiapua.com

କୋଚି ଓ ଲାକ୍ଷାଦ୍ୱୀପ ମଧ୍ୟରେ ସମୁଦ୍ରତଳ ଅପ୍‌ଟିକାଲ ଫାଇବର ସଂଯୋଗ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

ନୂଆ ଦିଲ୍ଲୀ ୦୯-୧୨ (ଓଡ଼ିଆ ପୁଅ) କେରଳର ମୁଖ୍ୟ ଭୂଖଣ୍ଡରେ ଥିବା କୋଚି ଏବଂ ଲାକ୍ଷାଦ୍ୱୀପ ମଧ୍ୟରେ ସମୁଦ୍ରତଳେ ଅପ୍‌ଟିକାଲ ଫାଇବର ବିଛାଇ ପ୍ରତ୍ୟକ୍ଷ ଦୂରସଂଚାର ସେବା ପ୍ରତିଷ୍ଠା ସଂକ୍ରାନ୍ତ ଏକ ପ୍ରସ୍ତାବ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ ଲାଭ କରିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଅନୁମୋଦିତ ହୋଇଛି। ଫଳରେ ଏହି କେବୁଲ ବିଛା କାର୍ଯ୍ୟକୁ ସବୁଜ ସଂକେତ ମିଳିଛି।

ଏହି ସମୁଦ୍ରତଳ କେବୁଲ ବିଛା ପ୍ରକଳ୍ପ ଦ୍ୱାରା କୋଚି ସହିତ ଲାକ୍ଷାଦ୍ୱୀପର ୧୧ଟି କ୍ଷୁଦ୍ର କ୍ଷୁଦ୍ର ଦ୍ୱୀପକୁ ପ୍ରତ୍ୟକ୍ଷ ଟେଲି ଯୋଗାଯୋଗ ସଂପର୍କ ସ୍ଥାପନ କରାଯିବ। ଏଥିପାଇଁ ସମୁଦ୍ରତଳେ ବିଛା ଯିବାକୁ ଥିବା ଅପ୍‌ଟିକାଲ ଫାଇବର କେବୁଲ ବ୍ୟବସ୍ଥା ଉତ୍ସର୍ଗୀକୃତଭାବେ କାର୍ଯ୍ୟ କରିବ। ଲାକ୍ଷାଦ୍ୱୀପର କବରତ୍ତି, କାଲପେନିଂ, ଅଗାଟି, ଆମିନି, ଅଣ୍ଡ୍ରୋଥ୍‌, ମିନିକଏ, ବଙ୍ଗରାମ, ବିତ୍ରା, ଚେତଲାଟ, କିଲ୍‌ଟାନ ଓ କଦ୍‌ମାଟ ଏପରି ୧୧ଟି ଦ୍ୱୀପକୁ ସିଧାସଳଖ କେବୁଲ ଯୋଗେ କୋଚି ସହ ଯୋଡାଯିବ।

ଆର୍ଥିକ ବ୍ୟୟ

ପାଞ୍ଚ ବର୍ଷରେ ଏହି ପ୍ରକଳ୍ପକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ମୋଟ ୧୦୭୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏଥିରେ ୫ ବର୍ଷର କାର୍ଯ୍ୟକାରୀ ବ୍ୟୟ ଅନ୍ତର୍ଭୁକ୍ତ। ଏ ବାବଦ ଅର୍ଥ ଟେଲିକମ୍‌ବିଭାଗର ୟୁନିଭର୍ସାଲ ସର୍ଭିସ ଓବ୍‌ଲିଗେସନ ଫଣ୍ଡରୁ ପ୍ରଦାନ କରାଯିବ।

ପ୍ରଭାବ

କହିବା ବାହୁଲ୍ୟ ଯେ ଲୋକଙ୍କ ସାମାଜିକ, ଆର୍ଥିକ ବିକାଶରେ ଟେଲିକମ୍‌ଭିତ୍ତିଭୂମିର ନିବିଡ ସଂପର୍କ ରହିଛି। ନିଯୁକ୍ତି ସୃଷ୍ଟିରେ ଟେଲି ଯୋଗାଯୋଗ ବ୍ୟବସ୍ଥା ଓ ଟେଲି ସଂଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଲାକ୍ଷାଦ୍ୱୀପ ସହିତ ଭାରତୀୟ ମୁଖ୍ୟ ଭୂଖଣ୍ଡ ସମୁଦ୍ରତଳ କେବୁଲ ବ୍ୟବସ୍ଥାରେ ସିଧାସଳଖ ସଂଯୁକ୍ତ ହେବା ଦ୍ୱାରା ସେହି ଦ୍ୱୀପରେ ଟେଲି ଯୋଗାଯୋଗ ସୁବିଧାରେ ବ୍ୟାପକ ଉନ୍ନତି ଆସିବ। ସେଠାକାର ଲୋକେ ଉତ୍ତମ ମାନର ଦୂରସଂଚାର ସୁଯୋଗ ସୁବିଧା ପାଇବେ।

ଏହି ସଂଯୋଗ ବ୍ୟବସ୍ଥା ମଧ୍ୟ ସଂପୃକ୍ତ ଦ୍ୱୀପାଞ୍ଚଳବାସୀଙ୍କୁ ଇ-ପ୍ରଶାସନ ସେବା ଯୋଗାଣରେ ବିଶେଷ ସହାୟକ ହେବ। ସେମାନେ ଘରଦ୍ୱାର ମୁହଁରେ ବିଭିନ୍ନ ପ୍ରକାର ସେବା ପାଇପାରିବେ। ଏହା ମଧ୍ୟ ସେହି ଦ୍ୱୀପର ମତ୍ସ୍ୟ ଓ ନଡିଆଭିତ୍ତିକ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ସହ ପର୍ଯ୍ୟଟନର ବିକାଶରେ ବିଶେଷ ସହାୟକ ହେବ। ଏହାଛଡା ଦୂରଶିକ୍ଷା, ସ୍ୱାସ୍ଥ୍ୟସେବା, ଟେଲି ମେଡିସିନ ଆଦି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ। ଟେଲି ସଂଯୋଗ ମଧ୍ୟ ସେହି ଦ୍ୱୀପରେ ବିଭିନ୍ନ ପ୍ରକାର ବାଣିଜ୍ୟ ବ୍ୟବସାୟକୁ ବଢାଇବାରେ ସହାୟକ ହେବ ଏବଂ ଇ-ବାଣିଜ୍ୟ ବ୍ୟବସ୍ଥା ତ୍ୱରାନ୍ୱିତ ହୋଇପାରିବ। ସେଠାକାର ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟ ଟେଲି ସଂଯୋଗ ବଳରେ ଦେଶର ମୁଖ୍ୟ ଭୂଖଣ୍ଡ ସହିତ ସଂଯୋଗ ହୋଇ ଜ୍ଞାନ ଆଦାନ ପ୍ରଦାନ କ୍ଷେତ୍ରରେ ବିଶେଷ ଉପକୃତ ହେବେ। ସୂଚନାଯୋଗ୍ୟ ଯେ ଲାକ୍ଷାଦ୍ୱୀପର ବିଭିନ୍ନ କ୍ଷୁଦ୍ର ଦ୍ୱୀପ ଲଜିଷ୍ଟିକ୍‌ସେବାର ପେଣ୍ଠ ହେବାର ସାମର୍ଥ୍ୟ ରଖିଛି। ଟେଲି ସଂଯୋଗ ବ୍ୟବସ୍ଥା ସେହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବ।

ରୂପାୟନ ରଣନୀତି ଓ ଲକ୍ଷ୍ୟ

ଭାରତ ସଂଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ମନୋନୀତ ହୋଇଛି। ଟିସିଆଇଏଲ୍‌ବା ଟେଲି କମ୍ୟୁନିକେସନ କନ୍‌ସଲଟାଣ୍ଟ ଲିମିଟେଡ ଏଥିପାଇଁ ବୈଷୟିକ ପରାମର୍ଶ ଯୋଗାଇଦେବ। ଏ ବାବଦ ଅର୍ଥ ଟେଲିକମ୍‌ବିଭାଗର ୟୁନିଭର୍ସାଲ ସର୍ଭିସ ଓବ୍‌ଲିଗେସନ ଫଣ୍ଡରୁ ଯୋଗାଇ ଦିଆଯିବ। ପ୍ରକଳ୍ପର ସଂପତ୍ତି ଉପରେ ୟୁନିଭର୍ସାଲ ସର୍ଭିସ ଓବ୍‌ଲିଗେସନ ଫଣ୍ଡର ମାଲିକାନା ରହିବ। ୨୦୨୩ ମେ ମାସ ସୁଦ୍ଧା ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ରହିଛି।

ପୃଷ୍ଠଭୂମି

ଆରବ ସାଗରରେ ଅବସ୍ଥିତ ଲାକ୍ଷାଦ୍ୱୀପ ଅନେକ କ୍ଷୁଦ୍ର କ୍ଷୁଦ୍ରକୁ ଦ୍ୱୀପକୁ ନେଇ ଗଠିତ। ଭାରତର ରଣକୌଶଳାତ୍ମକ ଦୃଷ୍ଟିକୋଣରୁ ଲାକ୍ଷାଦ୍ୱୀପର ବିଶେଷ ଗୁରୁତ୍ୱ ରହିଛି। ସେ ଦୃଷ୍ଟିରୁ ଏହି ଦ୍ୱୀପପୁଞ୍ଜରେ ଏକ ସ୍ଥିର, ବିଶ୍ୱାସଯୋଗ୍ୟ, ଦୃଢ, ବ୍ୟାପକ ଏବଂ ସୁବିଧାଜନକ ଟେଲିକମ୍‌ସଂଯୋଗ ବ୍ୟବସ୍ଥା ଅପରିହାର୍ଯ୍ୟ। କେବଳ ସାମରିକ ଦୃଷ୍ଟିକୋଣରୁ ନୁହେଁ, ସେହି ଦ୍ୱୀପାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନ ଧାରଣରେ ଉନ୍ନତି ପାଇଁ ସେଠାରେ ଉତ୍ତମ ଟେଲିକମ୍‌ବ୍ୟବସ୍ଥାର ବିଶେଷ ଆବଶ୍ୟକତା ରହିଛି।

ଏବେ ଲାକ୍ଷାଦ୍ୱୀପକୁ କେବଳ ଉପଗ୍ରହ ମାଧ୍ୟମରେ ଟେଲି ସଂଯୋଗ ସୁବିଧା ଯୋଗାଇ ଦିଆଯାଉଛି। ତେବେ ସେଠାରେ ଯେଉଁ ବ୍ୟାଣ୍ଡଉଇଡ୍ଥ ଉପଲବ୍ଧ ହେଉଛି ତାହା ୧ଜିବିପିଏସ୍‌ମଧ୍ୟରେ ସୀମିତ। ବ୍ୟାଣ୍ଡଉଇଡଥ୍‌ର ଅଭାବ ଡାଟା ସେବା ଯୋଗାଣରେ ପ୍ରମୁଖ ପ୍ରତିବନ୍ଧକ ସାଜିଛି। ଫଳରେ ଇ-ପ୍ରଶାସନ, ଇ-ଶିକ୍ଷା, ଇ-ବ୍ୟାଙ୍କିଙ୍ଗ ଆଦିର ବିକାଶ ସେଠାରେ ପ୍ରତିହତ ହେଉଛି। ଏହା ଫଳରେ ଲାକ୍ଷାଦ୍ୱୀପରେ ଏକ ସମାବେଶୀ ସମାଜର ଅଭିବୃଦ୍ଧି ସମ୍ଭବ ହେଉନାହିଁ।

ଏସବୁକୁ ଦୃଷ୍ଟିରେ ରଖି ଲାକ୍ଷାଦ୍ୱୀପକୁ ଉତ୍ତମ ଟେଲି ଯୋଗାଯୋଗ ସୁବିଧା ଯୋଗାଇ ଦେବାକୁ ସରକାର ଅଙ୍ଗୀକୃତ ହୋଇ କାର୍ଯ୍ୟ କରୁଛନ୍ତି। ତଦନୁସାରେ ସମୁଦ୍ର ତଳେ କେବୁଲ ବିଛାଇ ଲାକ୍ଷାଦ୍ୱୀପକୁ ଟେଲିକମ୍‌ସେବା ଯୋଗାଇ ଦେବାର ନିଷ୍ପତ୍ତି ନିଆଯାଇଥିଲା। ଏବେ ଏହି ପ୍ରକଳ୍ପ ମାଧ୍ୟମରେ ସେଠାରେ ହାଇବ୍ୟାଣ୍ଡ ଉଇଡଥ୍‌ର ଯୋଗାଯୋଗ ସୁବିଧା ଯୋଗାଇ ଦେବା ସମ୍ଭବ ହେବ। ଏହା ଫଳରେ ସେ ଅଞ୍ଚଳର ଇ-ଶାସନ ସେବା ଯୋଗାଣ ସୁଗମ ହେବା ସହିତ ଡିଜିଟାଲ ଇଣ୍ଡିଆ ଲକ୍ଷ୍ୟ ହାସଲ ହୋଇପାରିବ।