Odiapua.com

ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ବାହ୍ୟ ମହାକାଶର ବ୍ୟବହାର ଓ ଗବେଷଣା ନେଇ ଭାରତ- ନାଇଜେରିଆ ମଧ୍ୟରେ ହୋଇଥିବା ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆ ଦିଲ୍ଲୀ ୨୧-୧୦ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଶାନ୍ତିପୂର୍ଣ୍ଣ ଉପଯୋଗ ପାଇଁ ବାହ୍ୟ ଆନ୍ତରୀକ୍ଷର ବ୍ୟବହାର ଓ ଗବେଷଣା ସଂକ୍ରାନ୍ତରେ ଭାରତ-ନାଇଜେରିଆ ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାପତ୍ର ନେଇ ସବିଶେଷ ଅବଗତ କରାଯାଇଥିଲା। ଏହି ବୁଝାମଣା ଚଳିତ ବର୍ଷ ଜୁନ ମାସରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ବେଙ୍ଗାଲୁରଠାରେ ଓ ଜାତୀୟ ଅନ୍ତରୀକ୍ଷ ଗବେଷଣା ଓ ବିକାଶ ସଂସ୍ଥା (ଏନଏଏସଆରଡିଏ) ନାଇଜେରିଆର ଆବୁଜାଠାରେ ଚଳିତ ବର୍ଷ ଅଗଷ୍ଟ ୧୩ରେ ସ୍ଵାକ୍ଷରିତ ହୋଇଥିଲା।

ବିସ୍ତ୍ରୁତ ବିବରଣୀ-

– ଏହି ବୁଝାମଣାପତ୍ର ଯୋଗୁଁ ପୃଥିବୀର ଦୂରସମ୍ବେଦୀ, ଉପଗ୍ରହ ଯୋଗାଯୋଗ ଏବଂ ଉପଗ୍ରହ ଭିତ୍ତିକ ଦିଗନିର୍ଣ୍ଣୟ, ମହାକାଶ ବିଜ୍ଞାନ ଓ ଗ୍ରହ ନକ୍ଷତ୍ର ସମ୍ପର୍କରେ ଗବେଷଣା, ମହାକାଶଯାନର ବ୍ୟବହାର ଓ ଉତକ୍ଷେପଣ ଓ ମହାକାଶ ପ୍ରଯୁକ୍ତିବିଦ୍ୟା ସଂକ୍ରାନ୍ତ ଆବଶ୍ୟକୀୟ ବିଶ୍ଳେଷଣ ବା ଦୁଇ ଦେଶର ସହମତିରେ ନିଷ୍ପତ୍ତି ହେଉଥିବା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇପାରିବ।

– ଏହି ବୁଝାମଣାପାତ୍ର ଯୋଗୁଁ ଏକ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ, ଯେଉଁଥିରେ କି ଭାରତର ଇସ୍ରୋ ଏବଂ ନାଇଜେରିଆର ଏନଏଏସଆରଡିଏ ଏବଂ ଅନ୍ତରୀକ୍ଷ ବିଭାଗର ଅଧିକାରୀମାନେ ସଦସ୍ୟ ରହିବେ। ସେମାନେ ସମୟଭିତ୍ତିକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେବେ।

କାର୍ଯ୍ୟାନ୍ଵୟନ ରଣନୀତି ଓ ଲକ୍ଷ୍ୟ

ଏହି ବୁଝାମଣାପତ୍ର ସ୍ଵାକ୍ଷରିତ ହେବା ଯୋଗୁଁ ଇସ୍ରୋ ଏବଂ ନାଇଜେରିଆର ଏନଏଏସଆରଡିଏର କାର୍ଯ୍ୟକାରୀ ସଦସ୍ୟମାନେ ସମୟଭିତ୍ତିକ ଯୋଜନା ପ୍ରସ୍ତୁତ କରିବେ।

ପ୍ରଭାବ

ଏହି ବୁଝାମଣାପତ୍ର ସ୍ଵାକ୍ଷର ହେବା ଫଳରେ ପୃଥିବୀର ଦୂରସମ୍ବେଦୀ କ୍ଷେତ୍ରରେ ଗବେଷଣା ପାଇଁ କଣ କଣ ଆବଶ୍ୟକ, ଉପଗ୍ରହ ଯୋଗାଯୋଗ ଓ ଦିଗ ନିର୍ଣ୍ଣୟ, ମହାକାଶ ବିଜ୍ଞାନ ଓ ବାହ୍ୟ ଅନ୍ତରୀକ୍ଷ ସମ୍ପର୍କରେ ଅଧିକ ଗବେଷଣା ସମ୍ଭବ ହେବ।

ବ୍ୟୟ

ବୁଝାମଣାପତ୍ର ସ୍ଵାକ୍ଷରକାରୀ ଦୁଇଦେଶ ଏହି କାର୍ଯ୍ୟକ୍ରମକୁ ସହମତି ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। କାର୍ଯ୍ୟକ୍ରମ ଅନୁଯାୟୀ ଉଭୟ ଦେଶ ପାରସ୍ପରିକ ଆଲୋଚନା ମାଧ୍ୟମରେ ବ୍ୟୟଭାର ସମ୍ପର୍କରେ ନିଷ୍ପତ୍ତି ନେବେ। ସ୍ଵାକ୍ଷରକାରୀ ଦୁଇଦେଶ ସେମାନଙ୍କ ଆଇନ ଓ ଅନ୍ୟାନ୍ୟ ନିୟମକୁ ଭିତ୍ତିକରି ବ୍ୟୟ ଆବଣ୍ଟନ ସଂକ୍ରାନ୍ତ ଚୁଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ।

ହିତାଧିକାରୀ

ନାଇଜେରିଆ ସରକାରଙ୍କ ସହ ଏହି ବୁଝାମଣାପତ୍ର ସ୍ଵାକ୍ଷରିତ ହେବା ଫଳରେ ଉଭୟ ଦେଶ ମହାକାଶ ବୈଷୟିକ ଜ୍ଞାନର ପ୍ରୟୋଗାତ୍ମକ ଦିଗ ଉପରେ ଯେଉଁ ଗବେଷଣା କରିବେ ତାହା ସମଗ୍ର ମାନବ ଜାତିର ହିତରେ ଆସିବ। ଏହାଦ୍ଵାରା ଦେଶର ସବୁ ଅଞ୍ଚଳ ଓ ବର୍ଗର ଲୋକ ଉପକୃତ ହେବେ।

ପୃଷ୍ଠଭୂମି

ବିଗତ ଏକ ଦଶନ୍ଧି ଧରି ମହାକାଶ ସହଯୋଗ ପାଇଁ ଉଭୟ ଦେଶ ଚେଷ୍ଟା କରିଆସୁଥିଲେ। ନାଇଜେରିଆସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ ପଦକ୍ଷେପ ଫଳରେ ନାଇଜେରିଆ ସରକାରଙ୍କୁ ଏସଂକ୍ରାନ୍ତ ଚିଠା ପ୍ରସ୍ତାବ ବହିର୍ବ୍ୟାପାର ବିଭାଗ ଜରିଆରେ ଦିଆଯାଇଥିଲା। ଉଭୟ ଦେଶର କୂଟନୈତିକ ଆଲୋଚନା ପରେ ଏହାର ଚୁଡାନ୍ତ ଚିଠା ପ୍ରସ୍ତୁତ ହୋଇଥିଲା। ମାତ୍ର ଦୁଇଦେଶର ପ୍ରତିନିଧିମାନଙ୍କ ଗସ୍ତ ୨୦୧୯ ଓ ୨୦୨୦ ରେ ରଦ୍ଦ ହେବା ତଥା କୋଭିଡ ବୈଶ୍ଵିକ ମହାମାରୀର ଆଗମନ ଯୋଗୁଁ ବୁଝାମଣାପତ୍ର ସ୍ଵାକ୍ଷରିତ ପ୍ରକ୍ରିୟା ବିଳମ୍ଭିତ ହୋଇଥିଲା।