Odiapua.com

କୃଷି ଓ ଆନୁସଙ୍ଗୀକ କାର୍ଯ୍ୟକଳାପ ଲାଗି ବ୍ୟାଙ୍କରୁ ନିଆଯାଇଥିବା ସ୍ୱଳ୍ପକାଳୀନ ଋଣ ପରିଶୋଧ ସମୟ ସୀମା ୩୧ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ନୂଆ ଦିଲ୍ଲୀ ୨-୬ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ କୃଷି ଓ ଆନୁସଙ୍ଗୀକ କାର୍ଯ୍ୟକଳାପ ନିମନ୍ତେ ବ୍ୟାଙ୍କରୁ ନିଆଯାଇଥିବା ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପକାଳୀନ ଋଣ ପରିଶୋଧ ସମୟସୀମାକୁ ବଢ଼ାଇବା ଲାଗି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏହି ରିହାତି ୧ ମାର୍ଚ୍ଚ ୨୦୨୦ରୁ ୩୧ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ପରିଶୋଧ କରାଯିବାକୁ ଥିବା ଋଣ ନିମନ୍ତେ ଦିଆଯାଇଛି। ଏହି ଋଣ ଏବେ ୩୧ ଅଗଷ୍ଟ ୨୦୨୦ ସୁଦ୍ଧା ପରିଶୋଧ କରାଯାଇପାରିବ। ଋଣ ପରିଶୋଧ କରିବାର ସମୟ ଅବଧି ବଢ଼ାଇବା ସତ୍ୱେ ଏହି ଋଣ ଉପରେ ବ୍ୟାଙ୍କଗୁଡ଼ିକୁ ମିଳୁଥିବା ୨% ସୁଧ ଛାଡ଼ ଏବଂ କୃଷକମାନଙ୍କୁ ନିର୍ଦ୍ଧାରିତ ଅବଧି ପୂର୍ବରୁ ଋଣ ପରିଶୋଧ ଉପରେ ମିଳୁଥିବା ୩% ସୁଧ ଛାଡ଼ ସୁବିଧା ଯଥାବିଧି ଜାରି ରହିବ।

ଲାଭ:

କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପ ଲାଗି ଦିଆଯାଉଥିବା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପକାଳୀନ ଋଣ ଯାହାର ପରିଶୋଧ ଅବଧି ୧ ମାର୍ଚ୍ଚ ୨୦୨୦ରୁ ୩୧ ଅଗଷ୍ଟ ୨୦୨୦ ମଧ୍ୟରେ ପଡ଼ୁଛି, ସେଗୁଡ଼ିକର ପରିଶୋଧ ଅବଧି ୩୧ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯିବା ଫଳରେ କୃଷକମାନଙ୍କୁ ୪ ପ୍ରତିଶତ ବାର୍ଷିକ ସୁଧ ହାରରେ ବିନା କୌଣସି ଜରିମାନାରେ ପରିଶୋଧ କରିବା ଲାଗି ଅତିରିକ୍ତ ସମୟ ଦିଆଯିବ। ଏହି ଅତିରିକ୍ତ ସମୟସୀମା ୩୧ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ରହିବ। ଫଳରେ ସେମାନଙ୍କୁ ପରିଶୋଧ ଅବଧି ବଢ଼ାଇବା କିମ୍ବା ନବୀକରଣ କରିବାରେ ସହାୟତା ମିଳିପାରିବ। ଏହାର ଅନ୍ତର୍ଗତ ବ୍ୟାଙ୍କଗୁଡ଼ିକ ପାଇଁ ୨% ସୁଧ ସବସିଡି ଏବଂ କୃଷକମାନଙ୍କ ପାଇଁ ୩% ପିଆରଆଇ ଲାଭ ନିରନ୍ତର ମିଳିବ। କେବଳ ସେତିକି ନୁହେଁ, କୃଷକମାନଙ୍କୁ କୋଭିଡ-୧୯ ମହାମାରୀର ବର୍ତମାନ ସମୟରେ ଏହି ସୁବିଧାର ଲାଭ ନେବା ନିମନ୍ତେ ବାରମ୍ବାର ବ୍ୟାଙ୍କୁ ଦୌଡ଼ିବାକୁ ପଡ଼ିବ ନାହିଁ।