Odiapua.com

ନଭେମ୍ବର ୧୫ ଜନଜାତୀୟ ଗୌରବ ଦିବସ ଘୋଷିତ: ଏହି ଦିନ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନଭେମ୍ବର ୧୫ ତାରିଖକୁ ଜନଜାତୀୟ ଗୌରବ ଦିବସଭାବେ ପାଳନ କରିବା ପ୍ରସ୍ତାବ ଅନୁମୋଦିତ ହୋଇଛି। ମହାନ୍ ପରାକ୍ରମୀ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଏହି ଦିବସକୁ ଉତ୍ସର୍ଗ କରାଯାଇଛି। ଏହା ଫଳରେ ଆଗାମୀ ପିଢ଼ି ଦେଶ ପାଇଁ ଏହି ମହାନ୍ ଆଦିବାସୀ ସଂଗ୍ରାମୀମାନଙ୍କର ବଳିଦାନ ସମ୍ପର୍କରେ ଅବଗତ ହୋଇପାରିବେ। ଭାରତୀୟ ସ୍ୱାଧୀନତା ସଂଗ୍ରାମର ମୂଳଦୁଆ ଅନେକ ଆଦିବାସୀ ଗୋଷ୍ଠୀ ଯେପରିକି ସାନ୍ତାଳ, ତମାର, କୋହ୍ଲ, ଭିଲ, ଖାସୀ ଓ ମିଜୋ ଯୋଗୁଁ ମଜବୁତ ହୋଇଥିଲା। ବିଭିନ୍ନ ଆଦିବାସୀ ଗୋଷ୍ଠୀଙ୍କ ଦ୍ୱାରା ବୈପ୍ଲବିକ ଆନ୍ଦୋଳନ ସେମାନଙ୍କ ଅସୀମ ପରାକ୍ରମ ଓ ଚରମ ତ୍ୟାଗ ଯୋଗୁଁ ସମ୍ଭବ ହୋଇଥିଲା। ଦେଶର ବିଭିନ୍ନ ପ୍ରାନ୍ତରେ ବ୍ରିଟିଶ ଉପନିବେଶୀୟ ଶାସନ ବିରୁଦ୍ଧରେ ହୋଇଥିବା ଆଦିବାସୀ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମ ସହ ଯୋଡ଼ି ହୋଇ ଦେଶବ୍ୟାପୀ ଭାରତୀୟମାନଙ୍କୁ ଉତ୍ସାହିତ କରିଥିଲା। ତେବେ ଅଧିକାଂଶ ଆଦିବାସୀ ବୀର ମାନଙ୍କ ସମ୍ପର୍କରେ ବିଶେଷ ଜାଣନ୍ତି ନାହିଁ। ୨୦୧୬ ମସିହା ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁସାରେ ଭାରତ ସରକାର ଦେଶବ୍ୟାପୀ ଦଶଟି ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ସ୍ଥାପନ ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି।
ଏହି ଦିବସଟି ହେଉଛି ବିର୍ସା ମୁଣ୍ଡାଙ୍କ ଶତବାର୍ଷିକୀ ଯାହାଙ୍କୁ ଦେଶବ୍ୟାପୀ ଆଦିବାସୀମାନେ ଭଗବାନ ଭାବେ ମାନନ୍ତି। ବିର୍ସା ମୁଣ୍ଡା ବ୍ରିଟିଶ ଉପନିବେଶୀୟ ଶୋଷଣ ବିରୁଦ୍ଧରେ ଅସୀମ ସାହସର ସହ ସୁଦୀର୍ଘ ସଂଗ୍ରାମର ନେତୃତ୍ୱ ନେଇଥିଲେ। ଯାହା ଉଲଗୁଲାନ (ବିପ୍ଳବ) ନାମରେ ପ୍ରସିଦ୍ଧି ଲାଭ କରିଥିଲା। ଜନଜାତୀୟ ଗୌରବ ଦିବସ ଘୋଷଣା ଆଦିବାସୀ ଜନମାନସର ଗୌରବମୟ ଇତିହାସ ଓ ସାଂସ୍କୃତିକ ଐତିହ୍ୟର ଏକ ସ୍ୱୀକୃତି। ଏହି ଦିବସ ପ୍ରତିବର୍ଷ ପାଳିତ ହୋଇ ଆଦିବାସୀ ମାନଙ୍କ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ, ଭାରତୀୟ ମୂଲ୍ୟବୋଧ ଓ ଶୌର୍ଯ୍ୟ, ସେବା ଓ ଜାତୀୟ ଗର୍ବ ଲୋକଲୋଚନକୁ ଆଣିବ। ବିର୍ସା ମୁଣ୍ଡା ଶେଷ ନିଶ୍ୱାସ ତ୍ୟାଗ କରିଥିବା ରାଞ୍ଚିର ଜନଜାତି ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ।
ଭାରତ ସରକାର ନଭେମ୍ବର ୧୫ ରୁ ୨୨, ୨୦୨୧ ପର୍ଯ୍ୟନ୍ତ ସାତଦିନ ଧରି ଆଦିବାସୀ ମାନଙ୍କ ୭୫ ବର୍ଷର ଗୌରବମୟ ଇତିହାସ ସଂସ୍କୃତି ଓ ସାଫଲ୍ୟକୁ ଉତ୍ସବ ଭାବେ ପାଳନ କରିବାକୁ ସ୍ଥିର କରିଛନ୍ତି। ଏହି ଉତ୍ସବ ପାଳନର ଅଂଶସ୍ୱରୂପ ଅନେକ କାର୍ଯ୍ୟକ୍ରମ କେନ୍ଦ୍ର ଓ ରାଜ୍ୟ ସରକାର ହାତକୁ ନେଇଛନ୍ତି। ପ୍ରତ୍ୟେକ କାର୍ଯ୍ୟକ୍ରମ ମୂଳରେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ମାନଙ୍କ ଅବଦାନ ଭାରତ ସରକାରଙ୍କ ଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ଭିତ୍ତିଭୂମି ଓ କୌଶଳ ବିକାଶ କ୍ଷେତ୍ରରେ ନିଆଯାଉଥିବା କଲ୍ୟାଣ ମୂଳକ ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା ରହିବ। କାର୍ଯ୍ୟକ୍ରମ ଗୁଡ଼ିକରେ ଅନନ୍ୟ ଆଦିବାସୀ ସାଂସ୍କୃତିକ ଐତିହ୍ୟ, ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ଅବଦାନ, ଅଧିକାର ଚଳଣି, ପରମ୍ପରା, ସ୍ୱାସ୍ଥ୍ୟ, ଶିକ୍ଷା, ଖାଦ୍ୟପେୟ ଓ ଜୀବନଜୀବିକାର ଝଲକ ରହିବ।
-@DevDr