Odiapua.com

ବିଭିନ୍ନ କ୍ଷେତ୍ରରେ ଏଫଡିଆଇ ନୀତିର ସମୀକ୍ଷା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ନୂଆ ଦିଲ୍ଲୀ ୨୮-୮ (ଓଡିଆ ପୁଅ/) ବିଭିନ୍ନ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ନୀତିର ସମୀକ୍ଷା କରାଯିବ। ଆଜି ଏ ସଂକ୍ରାନ୍ତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି।

ଏଫଡିଆଇ ନୀତିରେ ସଂସ୍କାର ଦ୍ୱାରା ବ୍ୟାପକ ପ୍ରଭାବ ଏବଂ ଲାଭ

୧. ଏଫଡିଆଇ ନୀତିରେ ପରିବର୍ତ୍ତନ କରାଯିବା ଫଳରେ ଭାରତ ଅଧିକ ଆକର୍ଷଣୀୟ ଏଫଡିଆଇ ଲକ୍ଷ୍ୟସ୍ଥଳୀରେ ପରିଣତ ହେବ। ଏହାଦ୍ୱାରା ଦେଶରେ ନିବେଶ, ନିଯୁକ୍ତି ଏବଂ ଅଭିବୃଦ୍ଧି ବଢ଼ିବ।

୨. କୋଇଲା କ୍ଷେତ୍ରରେ, କୋଇଲା ବିକ୍ରି, ସହାୟକ ପ୍ରକ୍ରିୟାକରଣ ଭିତିଭୂମି ସମେତ କୋଇଲା ଖନନଜନିତ କାର୍ଯ୍ୟକଳାପ ଲାଗି ସ୍ୱୟଂକ୍ରିୟ ମାର୍ଗରେ ୧୦୦% ଏଫଡିଆଇକୁ ମଞ୍ଜୁରି ମିଳିବ। ଯଦ୍ଦ୍ୱାରା ଏକ ଦକ୍ଷ ତଥା ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାର ଲାଗି ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ଆକୃଷ୍ଟ ହେବେ।

୩. ମେକ ଇନ ଇଣ୍ଡିଆ ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟରେ କଂଟ୍ରାକ୍ଟ ମାନୁଫାକଚରିଂ କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶକୁ ମଞ୍ଜୁର କରାଯିବ। ଏହି କ୍ଷେତ୍ରରେ ସ୍ୱୟଂକ୍ରିୟ ମାର୍ଗରେ ଏଫଡିଆଇକୁ ମଞ୍ଜୁରି ମିଳିବା ଫଳରେ ଦେଶରେ ଉତ୍ପାଦନ କ୍ଷେତ୍ରକୁ ବ୍ୟାପକ ପ୍ରୋତ୍ସାହନ ମିଳିପାରିବ।

୪. ଏକକ ବ୍ରାଣ୍ଡ ଖୁଚୁରା ବାଣିଜ୍ୟ (ଏସବିଆରଟି) କ୍ଷେତ୍ରରେ ସ୍ଥାନୀୟ ଉତ୍ସ ସର୍ତାବଳୀକୁ କୋହଳ କରିବା ଲାଗି ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଅଭିଭାଷଣରେ ଘୋଷଣା କରିଥିଲେ। ଏହା ଅଧିକ ନମନୀୟତା ଆଣିବା ସହିତ ଏସବିଆରଟି ସଂସ୍ଥାଗୁଡ଼ିକର କାର୍ଯ୍ୟକୁ ସହଜ କରିବ। ଏହାଛଡ଼ା ଗୋଟିଏ ଆଧାର ବର୍ଷରେ ଅଧିକ ରପ୍ତାନି ଥିବା କମ୍ପାନୀଗୁଡ଼ିକ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା ସମ୍ଭବ ହେବ। ଏତଦବ୍ୟତୀତ, ପାରମ୍ପରିକ ଷ୍ଟୋର ଖୋଲିବା ପୂର୍ବରୁ ଅନଲାଇନ ବିକ୍ରିକୁ ଅନୁମତି ଦିଆଯିବା ବର୍ତମାନର ବଜାର ବ୍ୟବସ୍ଥାର ଆବଶ୍ୟକତାକୁ ପୂରଣ କରିବ। ଅନଲାଇନ ବିକ୍ରି ଫଳରେ ଲଜିଷ୍ଟିକ୍ସ, ଡିଜିଟାଲ ପେମେଂଟ, ଗ୍ରାହକ ସେବା କେନ୍ଦ୍ର ଓ ଉତ୍ପାଦ ଦକ୍ଷତା ତାଲିମ କ୍ଷେତ୍ରରେ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

୫. ଦେଶରେ ବ୍ୟବସାୟିକ ସୁଗମତା ଯୋଗାଇଦେବା ଉଦ୍ଦେଶ୍ୟରେ ଏଫଡିଆଇ ନୀତିର ଉଦାରୀକରଣ ଓ ସରଳୀକରଣ ଉଦ୍ଦେଶ୍ୟରେ ଉପରୋକ୍ତ ସଂଶୋଧନ କରାଯାଇଛି। ଏହା ଅଧିକ ଏଫଡିଆଇ ପ୍ରବାହକୁ ଆକୃଷ୍ଟ କରିବା ସହିତ ନିବେଶ, ଆୟ ଓ ନିଯୁକ୍ତିର ଅଭିବୃଦ୍ଧି କ୍ଷେତ୍ରରେ ଯୋଗଦାନ କରିପାରିବ।