Odiapua.com

ବିଜେପି ଛାଡ଼ିଲେ ନେତା/ନେତ୍ରୀ:କାରଣ ଧର୍ମେନ୍ଦ୍ର ପ୍ରଧାନ!

ଭୁବନେଶ୍ୱର:ବୁଧବାର ଦିନ ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସମ୍ପାଦକ ସଦାଶିବ ଜେନା,ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମିନାକ୍ଷୀ ପ୍ରିୟଦର୍ଶନୀ ଏବଂ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପୁରଞ୍ଜନ ପାଢ଼ୀଙ୍କ ସମେତ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର କେତେକ ବିଜେପି କାର୍ଯ୍ୟକର୍ତ୍ତା ଆନୁଷ୍ଠାନିକ ଭାବରେ ବିଜେପି ଛାଡିଛନ୍ତି।ବିଜେପି ଛାଡ଼ିବା ନେଇ ଏମାନେ ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ଏହାର କାରଣ ଦର୍ଶାଇଛନ୍ତି।ଅଭିଯୋଗ ଅନୁଯାୟୀ ଓଡିଶା ବିଜେପିରେ ବର୍ତ୍ତମାନ ଏକଛତ୍ରବାଦ ଶାସନ ଚାଲିଛି | ବିଶେଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଆମ୍ଭେମାନେ ଆଜି ବିଜେପି ଠାରୁ ନିଜକୁ ଦୁରେଇ ରଖୁଛୁ ବୋଲି ସେମାନେ କହିଛନ୍ତି।ବର୍ତ୍ତମାନ ବିଜେପି ଦଳରେ ଆମ ମାନଙ୍କ ଭଳି ବହୁ ପୁରୁଣା ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଅଣଦେଖା କରାଯାଉଛି।ଯାହାର ପ୍ରଭାବ ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିକୁ ମହାଙ୍ଗା ପଡିବ ବୋଲି ସେମାନେ କହିଛନ୍ତି।ଯେଉଁମାନେ ବିଜେପିର ପ୍ରକୃତ କର୍ମୀ,ଘର ଘର ବୁଲି ଡାଲି,ଚାଉଳ ଆଦାୟ କରି ଓ ଘରେ ଘରେ ବୁଲି ଭୋଜନ କରି ବିଜେପିକୁ ତିଆରି କରିଥିଲେ ଏବଂ ନିଜକୁ ବିଜେପି ପାଇଁ ଉତ୍ସର୍ଗ କରିଦେଇଥିଲେ ସେମାନେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପାଇଁ ଅଲୋଡା ହୋଇଯାଇଛନ୍ତି।ଯେଉଁମାନଙ୍କୁ ବିଜେପି ବାବଦରେ ଜାଣିବା ଦୂରର କଥା ରାଜନୀତିର “ର” ଅକ୍ଷର ମଧ୍ୟ ଜଣାନାହିଁ,ଆଜି କେନ୍ଦ୍ରମନ୍ତ୍ରୀ ସେମାନଙ୍କୁ ଆଗଧାଡିର ରାଜ୍ୟ ସ୍ଥରୀୟ ନେତା ବନାଇ ଦେଇଛନ୍ତି |ଏଥିରୁ ବୁଝାପଡୁଛି ବୋଧହୁଏ,ଏମାନଙ୍କ ସହିତ କେନ୍ଦ୍ରମନ୍ତ୍ରୀଙ୍କର ବ୍ୟକ୍ତିଗତ ବୁଝାମଣା ହୋଇଛି,ଯେଉଁଥିପାଇଁ ସେମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି।କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ମନେ ରଖିବା ଉଚିତ,ତାଙ୍କର ଏହି ଅହଙ୍କାର ପାଇଁ ଧର୍ମେନ୍ଦ୍ର ଦିନେ ଓଡ଼ିଶାର ବିଜେପି ସଙ୍ଗଠନକୁ ମାଟିରେ ମିଶାଇଦେବେ ବୋଲି ଦଳ ଛାଡ଼ିଥିବା ନେତା/ନେତ୍ରୀ ମାନେ ଚେତାବନୀ ଦେଇଛନ୍ତି।

ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରତ୍ୟେକ ଦଳରେ ଏବେ ମିଶ୍ରଣ ବିଚ୍ଛେଦ ଚାଲିଛି।କିନ୍ତୁ ଏବେ ଭୁବନେଶ୍ୱର ବିଜେପିରୁ ଦଳ ଛାଡ଼ିଥିବା ନେତା/ନେତ୍ରୀ ମାନେ ଯେ ବିଜେପି ଛାଡ଼ି ଅନ୍ୟ କୌଣସି ଦଳରେ ଏବେ ଯୋଗ ଦେଇ ନାହାଁନ୍ତି।ସେମାନେ ସିଧାସଳଖ ରାଜ୍ୟ ବିଜେପିରେ ଚାଲିଥିବା ଗୋଷ୍ଠୀବାଦ,ଚାଟୁକାରଙ୍କର ପ୍ରାଧାନ୍ୟ ଏବଂ ଏକଛତ୍ରବାଦ ଯୋଗୁଁ ଦଳ ଛାଡିଛନ୍ତି।ଏବଂ ସବୁଠାରୁ ବଡ଼ କଥା ଏମାନେ ସିଧାସଳଖ ଧର୍ମେନ୍ଦ୍ର ପ୍ରଧାନକୁ ଦଳରେ ବିଶୃଙ୍ଖଳା ପାଇଁ ଦୋଷାରୋପ କରିଛନ୍ତି।

ଦଳ ଛାଡ଼ିଥିବା ଏହି ନେତା/ନେତ୍ରୀ ମାନଙ୍କ ମଧ୍ୟରୁ ଅନ୍ୟତମ ନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀ ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ଥିଲେ।ବାସ୍ତବରେ ସେ କିଛି ଦିନ ତଳେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଦାୟିତ୍ୱରେ ଥିଲେ।ତବେ ହଠାତ ଦିନେ ସେ ଗଣମାଧ୍ୟମ ସୂତ୍ରରୁ ଖବର ପାଇଲେ ତାଙ୍କୁ ଦାୟିତ୍ବରୁ ହଟାଇ ଦିଆଯାଇଛି।ଏବଂ ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପାଇଁ ତାଙ୍କ ନାମ ରାଜ୍ୟ ସଭାନେତ୍ରୀଙ୍କୁ ସୁପାରିଶ କରାଯାଇଛି।ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ଏହି ନିଷ୍ପତି ନେଇଥିଲେ।ତେବେ ଏନେଇ ଜିଲ୍ଲା ଟିମ ସହ କୌଣସି ଆଲୋଚନା ନକରି,ମିନାକ୍ଷୀଙ୍କୁ ସଙ୍ଗଠନ ସ୍ତରରେ ସୂଚନା ନଦେଇ ସେ ଗଣମାଧ୍ୟମ ସୂତ୍ରରୁ ଖବର ପାଇବା କେତେଦୂର ଦଳୀୟ ଶୃଙ୍ଖଳା ଥିଲା?ଦଳୀୟ କାମରେ ସବୁବେଳେ ସକ୍ରିୟ ରହି ଆସୁଥିବା ମିନାକ୍ଷୀ ହଠାତ ଏପରି ସୂଚନା ତାହା ପୁଣି ଗଣ ମାଧ୍ୟମରୁ ପାଇ ଆଶ୍ଚର୍ଯ୍ୟ ହେବା ସହ ଅପମାନିତ ମଧ୍ୟ ଅନୁଭବ କରିଥିଲେ।ଏହାପରେ ମିନାକ୍ଷୀ ଏନେଇ ରାଜ୍ୟ ସଭାପତି ବସନ୍ତ ପଣ୍ଡା,ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି,ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଭିଯୋଗ ଜଣାଇଥିଲେ।କିନ୍ତୁ ଏହାର ସମାଧାନ କରିବା ତ’ ଦୂରର କଥା,ଦାୟିତ୍ୱରେ ଥିବା ଏହି ନେତୃତ୍ୱଙ୍କ ମଧ୍ୟରୁ କେହି ପଦେ ବି କହିଲେନି।କିଛି ଦିନ ଧରି ରାଜ୍ୟ ନେତୃତ୍ୱ କିଛି ସମାଧାନ କରିବା ଆଶାରେ ଅପେକ୍ଷାରେ ରହି ଶେଷରେ ସେ ନିରାଶ ତଥା ହତାଶ ହୋଇ ବିଜେପି ଛାଡ଼ିବାକୁ ସେ ଏକ ପ୍ରକାର ବାଧ୍ୟ ହେଲେ।

ରାଜ୍ୟ ସଭାପତି ହିସାବରେ ବସନ୍ତ ପଣ୍ଡା କିମ୍ବା ମହିଳା ମୋର୍ଚ୍ଚା ସଭାନେତ୍ରୀ ହିସାବରେ ପ୍ରଭାତୀ ପରିଡ଼ା ନିହାତି ଏହାର ସମାଧାନ କରିବା ଉଚିତ ଥିଲା।କିନ୍ତୁ କ’ଣ ବା କରାଯିବ?କିଏ ଅସହାୟ,ତ’ କିଏ ଅପାରଗ।ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ଖୁବ୍ ପ୍ରଭାବୀ।ସାଙ୍ଗଠନିକ ଦକ୍ଷତା ଥାଉ ବା ନଥାଉ,ସେ ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖଲୋକ।ତାଙ୍କ ନିଷ୍ପତି ଉପରେ ଅବା ପ୍ରଶ୍ନ ଉଠାଇବା ବାଲା କିଏ?/ଦେବଦତ୍ତ