Odiapua.com

ମମିତାଙ୍କୁ ନ୍ୟାୟ ନମିଳବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟବ୍ୟାପୀ ସାମାଜିକ ବାସନ୍ଦ କରିବ ବିଜେପି

ଭୁବନେଶ୍ୱର: କଳାହାଣ୍ଡିରେ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ମାସେ ବିତିବାକୁ ଗଲାଣି। ଏତେ ବଡ ବିଭତ୍ସ ଘଟଣା ଘଟିବା ସତ୍ୱେ ମୁଖ୍ୟମନ୍ତ୍ରୀ ମୋୖନ ରହିବା ଦୁର୍ଭାଗ୍ୟଜନକ। ଆଇନ୍‌କୁ ତା ବାଟରେ ଯିବାକୁ ନଦେଇ ଧ୍ରୃତରାଷ୍ଟ୍ର ସାଜିଥିବା ମୁଖ୍ୟମନ୍ତ୍ରୀ ନିଜ ଦଳର ଅପରାଧୀ ମନ୍ତ୍ରୀ, ବିଧାୟକ ତଥା ନେତାମାନଙ୍କୁ ସୁରକ୍ଷା ଦେଉଛନ୍ତି। ଅହଂକାର ସ୍ୱରୁପ ‘କଟା ଘା ରେ ଚୁନ’ ଲଗାଇବା ପାଇଁ ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ ରାଜନୀତି କରିବା ପାଇଁ କଳାହାଣ୍ଡି ଯାଉଛନ୍ତି। ‘ଧିକ୍କାର୍ ଆପଣଙ୍କ ସରକାରକୁ’। ଅସମ୍ବେଦନତାର ସମସ୍ତ ସୀମା ଟପିଛି ରାଜ୍ୟ ସରକାର। ମମିତାକୁ ମାରି, ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ପୋଡ଼ି ଓ ପୋତି ଦିଆଯାଇଥିବାବେଳେ ମମିତା ପରିବାରକୁ ନ୍ୟାୟ ଦେବା ପରିବର୍ତ୍ତେ ସେହି ସ୍ଥାନକୁ ନିଜ କ୍ଷମତାର ଦମ୍ଭ ଦେଖାଇବା ପାଇଁ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତ କରୁଛନ୍ତି। ଏହାକୁ ଭାରତୀୟ ଜନତା ପାର୍ଟୀ ଆଦୈା ବରଦାସ୍ତ କରିବ ନାହିଁ। ମମିତାଙ୍କ ନ୍ୟାୟ ପାଇଁ ଶେଷ ପର୍ଯ୍ୟନ୍ତ ଲଢେଇ ଜାରୀ ରଖିବ ବିଜେପି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଛଳନା ଓ ଅହଂକାରକୁ ରାଜ୍ୟବାସୀ କେବେହେଲେ କ୍ଷମା ଦେବେ ନାହିଁ। ଓଡ଼ିଶାର ଝିଅ ମମିତା ଯାହାର ନିର୍ମମ ହତ୍ୟା ହୋଇଛି, ତାକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ କରିବା ସହ ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ବିଜେପି ନିଷ୍ପତ୍ତି ନେଇଛି।

ତେଣୁ ୮ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ଅବସରରେ ଏହି ବାସନ୍ଦ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରୀ ରହିବ। ସେହି ଦିନ ରାଜ୍ୟର ସମସ୍ତ ବ୍ଲକ, ଏନଏସି, ମ୍ୟୁନିସିପାଲିଟି, ଜିଲ୍ଲା ସଦର ମହକୁମାଠାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତଳିକା ଦାହ ଓ ପ୍ରତିବାଦ କରାଯିବ। ଆଇନକୁ ବାଟବଣା ନକରି ମୁଖ୍ୟମନ୍ତ୍ରୀ ତୁରନ୍ତ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଏବଂ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରନ୍ତୁ। ଯେତେଦିନ ପର୍ଯ୍ୟନ୍ତ ମମିତା ଓ ତାଙ୍କ ପରିବାରକୁ ନ୍ୟାୟ ନମିଳିଛି, ସେତେଦିନ ପର୍ଯ୍ୟନ୍ତ ଏ ସାମାଜିକ ବାସନ୍ଦ ରାଜ୍ୟବ୍ୟାପୀ ଜାରି ରହିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ ଏବଂ ସାଂସଦ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଆସନ୍ତା ୮ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିଜେପି ସମ୍ପୂର୍ଣ୍ଣ ବିରୋଧ କରିବ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
-@DevDr