Odiapua.com

କହି ହେଉଛନ୍ତି ପରକୁ, ବୁଦ୍ଧି ନ’ଦିଶଇ ନିଜ ଘରକୁ ..

ଭୁବନେଶ୍ୱର: ଦଳରୁ ନିଲମ୍ବିତ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବାଲୁଗାଁ ମଣ୍ଡଳ ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ବିଚ୍ ରାସ୍ତାରେ ପିଟିଥିବା ଅଭିଯୋଗ ପରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘଟଣା ଘଟିବା ପରଠାରୁ ଏବଂ ଏବେ ନିଲମ୍ବିତ ହେବା ପର ଯାଏଁ ପ୍ରଶାନ୍ତ ଜଗଦ୍ଦେବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳକୁ ଟାର୍ଗେଟ୍ କରି ଚାଲିଛନ୍ତି ବିରୋଧୀ। ବିଶେଷ ଭାବରେ ବିଜେପି ଏହାକୁ ନେଇ ବିଭିନ୍ନ ଦିଗରେ ସମାଲୋଚନା କରୁଛି। ଭଦ୍ରକ ଜିଲ୍ଲା ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଏହି ପ୍ରସଙ୍ଗ ଉପରେ ଟାର୍ଗେଟ୍ କରି କହୁଛନ୍ତି, ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିଲମ୍ବନ କରାଯିବା ଏକ ପ୍ରହସନ। ଖଣି ଦୁର୍ନୀତି ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଦଳ ମିଳିତ ଭାବରେ ମୁଲତବୀ ପ୍ରସ୍ତାବ ଆଣିଥିବା ବେଳେ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିଦେଲେ। ଏଥିରୁ ଧ୍ୟାନ ହଟାଇବା ପାଇଁ ଏପରି ଏକ ପଦକ୍ଷେପ ନିଆଯାଇଛି। ବିଷ୍ଣୁ ସେଠୀ ଆହୁରୀ କହିଛନ୍ତି, ବିଜେପି କାର୍ଯ୍ୟକର୍ତ୍ତା ମାନେ ସମର୍ପିତ ଭାବରେ କାର୍ଯ୍ୟ କରୁଛନ୍ତି। ଅନ୍ୟାୟ, ଅନୀତି, ପ୍ରିୟାପ୍ରୀତିକୁ ବିରୋଧ କରୁଛନ୍ତି। ଏଥିରେ ଉତ୍ପୀଡ଼ିତ ହୋଇ ହୋଇ ବିଜେଡି ଏପରି କାମ କରୁଛି। ତେବେ, ଏଠି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ସିନା କହି ହେଉଛନ୍ତି ପରକୁ କିନ୍ତୁ, ବୁଦ୍ଧି ଦିଶୁନି ତାଙ୍କୁ ନିଜ ଘରକୁ! ବିଜେଡିକୁ ଦେଉଛନ୍ତି ପରାମର୍ଶ। ଖୋର୍ଦ୍ଧା ଜିଲ୍ଲା କଥାରେ କହୁଛନ୍ତି। ତେଣେ ତାଙ୍କ ନିଜ ଜିଲ୍ଲା, ନିଜ ଦଳ ଭିତରେ ଘଟିଥିବା ଘଟଣାରେ ମୌନ ସାଜିଛନ୍ତି। ନିକଟରେ ତାଙ୍କ ନିଜ ଦଳର ଆଉ ନିଜ ଜିଲ୍ଲା ଯୁବମୋର୍ଚ୍ଚା ସଭାପତିଙ୍କ ଉପରେ ହୋଇଥିଲା ଆକ୍ରମଣ। କିଛି ଅସାମାଜିକ ଯୁବକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତିଙ୍କ ଉପରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଅଧିକାଂଶ ବିଜେପି ସଂପର୍କିତ। ସବୁଠାରୁ ବଡ଼ କଥା ହେଲା ଜିଲ୍ଲା ଯୁବମୋର୍ଚ୍ଚା ସଭାପତିଙ୍କୁ କୋର୍ଟ ପରିସରରୁ ଟେକିନେଇ ବିଜେପି କାର୍ଯ୍ୟାଳୟ ଭିତରେ ଆକ୍ରମଣ କରାଯିବା ସହ ପରିସ୍ରା ପିଆଇବାକୁ ଉଦ୍ୟମ କରିବା ଏବଂ ପେଟ୍ରୋଲ ପକାଇ ନିଆଁ ଲଗାଇ ଜୀବନରେ ମାରିଦେବା ପାଇଁ ଚେଷ୍ଟା କରିବା ପରି ହୋଇଥିଲା ଜଘନ୍ୟ ଅଭିଯୋଗ। ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା ଏ’ନେଇ ଅଭିଯୋଗ କରିବା ପରେ ଥାନାରେ ୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୪୧,୩୨୩, ୨୯୪, ୩୬୫, ୩୦୭, ୫୦୬ ଏବଂ ୩୪ ଆଇପିସି ଅନୁଯାୟୀ ୩୧୬/୨୦୨୧ରେ ଏକ ମାମଲା ରୃଜୁ ହୋଇଛି। ତେବେ, ପୋଲିସ୍ ଏ’ପର୍ଯ୍ୟନ୍ତ ଜଣେ ହେଲେ ଅଭିଯୁକ୍ତକୁ ଗିରଫ କରିନାହିଁ। ଏହା ଉପରେ ବିଷ୍ଣୁ ସେଠୀଙ୍କ ସମେତ ଜିଲ୍ଲାର ପ୍ରାୟ ସବୁ ବିଜେପି ନେତୃତ୍ୱ ନିରବ ସାଜିଛନ୍ତି। ଏଠି ଜିଲ୍ଲା ସଭାପତିଙ୍କର ଗୁରୁତ୍ୱ ବୋଲି କିଛି ନାହିଁ। ଜିଲ୍ଲା ସଭାପତି ନିଜକୁ ଅସହାୟ ତଥା କିରାଣୀ ସଦୃଶ୍ୟ ଅନୁଭବ କରୁଛନ୍ତି। ଯୁବମୋର୍ଚ୍ଚା ଭିତରେ ଚାଲିଥିବା ଗୋଷ୍ଠୀ ବିବାଦ ଏବଂ ଏବେକାର ଯୁବମୋର୍ଚ୍ଚା ସଭାପତିଙ୍କୁ ପଦବୀରୁ ହଟାଇ, ସେହି ସ୍ଥାନରେ ଆଉ ଜଣଙ୍କୁ ବସାଇବା ନିମନ୍ତେ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କୁହାଯାଉଛି। ଯୁବମୋର୍ଚ୍ଚା ଭିତରେ ଘଟିଥିବା ଏପରି ଗଣ୍ଡଗୋଳର ବାସ୍ତବ ସମାଧାନ କରିବାକୁ କିଛି ଜିଲ୍ଲା ନେତୃତ୍ୱ ଚାହୁଁନଥିବା, ଏପରିକି ନିର୍ଦ୍ଦିଷ୍ଟ ଭାବରେ କିଛି ଜିଲ୍ଲା ନେତୃତ୍ୱଙ୍କର ଏପରି ବିଶୃଙ୍ଖଳା ପଛରେ ପ୍ରଚ୍ଛଦ ସମର୍ଥନ ରହିଥିବା କଥା ମଧ୍ୟ କୁହାଯାଉଛି। ଏମାନେ କହି ହେଉଛନ୍ତି ପରକୁ। କିନ୍ତୁ, ଏମାନଙ୍କୁ ବୁଦ୍ଧି ନଦିଶଇ ନିଜ ଘରକୁ।
-@DevDR