Odiapua.com

କଦର୍ଯ୍ୟ ମାନସିକତା, କଦର୍ଯ୍ୟ ଚାଟୁକାରିତା ଆଉ କଦର୍ଯ୍ୟ ନୀରବତା: କେହି କାହାରିକୁ କମ୍ ନୁହଁନ୍ତି ..

ଭୁବନେଶ୍ୱର: ଓଡ଼ିଶାର ଧର୍ମ, ଦର୍ଶନ, ସଂସ୍କୃତି, ପରମ୍ପରା, ପ୍ରତ୍ୟେକ ଜାଗାରେ ଶ୍ରୀଜଗନ୍ନାଥ ଚେତନାର ଝଲକ ଦେଖିବାକୁ ମିଳେ। ଓଡ଼ିଆ ସଂସ୍କୃତି, ପରମ୍ପରା, ତଥା ଆଧାତ୍ମିକ ବିଚାରଧାରାର ମୁଖ୍ୟ ଆଧାର ହେଲା ଶ୍ରୀଜଗନ୍ନାଥ ଚେତନା। ଏକଦା ଓଡ଼ିଶାର ଗଜପତି ମାନେ ଜଗନ୍ନାଥଙ୍କୁ ଶାସନ ବ୍ୟବସ୍ଥାର ମୁଖ୍ୟ ଭାବରେ ଗ୍ରହଣ କରି, ମୁକ୍ତ କଣ୍ଠରେ ପ୍ରଭୁଙ୍କୁ ରାଜାଧୀରାଜ ଓ ନିଜକୁ ତାଙ୍କରି ସେବକ ଭାବରେ ପରିଚିତ କରାଇଥିଲେ। ତେଣୁ କୁହାଯାଏ “ଉତ୍କଳେ ନେତାର ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ନାରାୟଣ।” ଏବେ କିନ୍ତୁ ରାଜନୀତି କରିବା ପାଇଁ ଚାଟୁକାରିତାର ଶେଷ ସୀମାକୁ ଯାଇ କେତେଜଣ ଜଗନ୍ନାଥଙ୍କୁ ପଛରେ ପକାଇ ଜଗନ୍ନାଥ ନୁହଁ, ନିଜ ନେତାଙ୍କୁ ଓଡ଼ିଶାର ପରିଚୟ ବୋଲି କହୁଛନ୍ତି। ଏବେ ରାଜ୍ୟ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ମନ୍ତବ୍ୟକୁ ନେଇ ଏହି ବିବାଦ ଉଠିଛି। ବିଜେଡିର ଏକ ସମାବେଶରେ ପ୍ରତାପ ଦେବ କହିଲେ, “ଆମେ ସ୍କୁଲରେ ପାଠ ପଢ଼ିଲା ବେଳେ, କାହାଁସେ ଆୟେ ହୋ? ଓଡ଼ିଶା, ଓଃ.. ଜଗନ୍ନାଥ ପୁରୀ। ସାଢ଼େ ୪ କୋଟି ଓଡ଼ିଆଙ୍କର ଗୋଟିଏ ପରିଚୟ ଥିଲା ପ୍ରଭୂ ଜଗନ୍ନାଥ। ଆଜି ଆପଣ ଭାରତର ଯେଉଁ ଜାଗାକୁ ଯିବେ ଏବଂ ଯଦି କହିବେ, ୟୁ ଆର ଫ୍ରମ୍ ଓଡ଼ିଶା (ଆପଣ ଓଡ଼ିଶାରୁ ଆସିଛନ୍ତି) ତେବେ, ତାଙ୍କ ପାଟିରୁ ପ୍ରଥମ ଶବ୍ଦ ବାହାରିବ ନବୀନ ପଟ୍ଟନାୟକ।” ପ୍ରତାପ ଦେବଙ୍କ ଏପରି ମନ୍ତବ୍ୟକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଏହା ଜଗନ୍ନାଥଙ୍କ ଅପମାନ କହି ଅଧିକ ଚିଲାଉଛି ବିଜେପି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏହାକୁ କଦର୍ଯ୍ୟ ମାନସିକତା, କଦର୍ଯ୍ୟ ଚାଟୁକାରିତା ବୋଲି କହିଛନ୍ତି। ତେବେ, କିଛି ଦିନ ତଳେ ପୁରୀ ଜିଲ୍ଲା ପିପିଲି ନିର୍ବଚନୀ ମଣ୍ଡଳୀରେ ଡେଲାଙ୍ଗ ଅଞ୍ଚଳରେ ଆୟୋଜିତ ଏକ ସଭାରେ ଏହିପରି କିଛି ମନ୍ତବ୍ୟ ଦେଇଥିଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର। ପୁରୀ ଓଡ଼ିଶାରେ ନୁହେଁ କଲିକତାରେ ବୋଲି କୁଆଡ଼େ ଲୋକ ଭାବୁଥିଲେ। ଆଉ, ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରୁ ଠିଆ ହେବା ପରେ ପୁରୀ ଓଡ଼ିଶାରେ ବୋଲି ଲୋକ ଜାଣିଥିଲେ ବୋଲି କହିଥିଲେ ଲେଖାଶ୍ରୀ।ବିଜେପି ପକ୍ଷରୁ ଚାଲିଥିବା ଏକ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ଡା. ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ସମ୍ବିତ ପାତ୍ରଙ୍କ ବାବଦରେ କହିବାକୁ ଯାଇ ମାତ୍ରାଧିକ ଚାଟୁକାରୀ କରି ଲେଖାଶ୍ରୀ କହିଥିଲେ, “ଅନେକ ଲୋକ ଅଛନ୍ତି, ଆମକୁ କହୁଛନ୍ତି ପୁରୀ କ୍ୟା କଲିକତା ମେ ହେ (ପୁରୀ କ’ଣ କଲିକତାରେ)। ସେମାନେ ଭାବୁଛନ୍ତି କି ପୁରୀ କଲିକତାରେ। ମୁଁ ତ’ ଭାବୁଛି ସମ୍ବିତ ଭାଇ ପୁରୀ ଲୋକସଭା ଆସନରୁ ଛିଡ଼ା ହେବାପରେ ବୋଧେ ଦେଶବାସୀ ଜାଣିଲେ ଯେ ପୁରୀ ଓଡ଼ିଶାରେ ବୋଲି। ନ’ହେଲେ ଅଧେ ଲୋକ ଭାବୁଥିଲେ ଯେ ପୁରୀ କଲିକତାରେ। ଆଉ କଲିକତାକୁ ସେମାନେ ଗୋଟେ ରାଜ୍ୟ ବୋଲି ଭାବନ୍ତି। ପଶ୍ଚିମବଙ୍ଗ ନୁହେଁ, କଲିକତା। ପୁରୀ କଲିକତାରେ।” ପୁରୀ ଜଗନ୍ନାଥ ଧାମ, ଓଡ଼ିଶାର ପରିଚୟ ବୋଲି କିଏ ନ’ଜାଣେ ଯେ ସମ୍ବିତ ପାତ୍ରଙ୍କ ଯୋଗୁଁ ଲୋକେ ପୁରୀକୁ ଜାଣିଲେ? ଏହା ଜଗନ୍ନାଥ ତଥା ଜଗନ୍ନାଥ ଧାମ ପୁରୀ ପାଇଁ ଅପମାନ କହି ଲେଖାଶ୍ରୀ ଭୁଲ୍ ମାଗନ୍ତୁ ବୋଲି ଦାବୀ ଉଠିଥିଲା। କିନ୍ତୁ, ଏବେ ପ୍ରତାପ ଦେବଙ୍କ ମନ୍ତବ୍ୟ ବିରୋଧରେ ସ୍ୱର ଉଠାଉଥିବା ବିଜେପି ସେତେବେଳେ ନିଜ ଦଳର ଜଣେ ସାଧାରଣ ସମ୍ପାଦିକାଙ୍କ ଏପରି କଦର୍ଯ୍ୟ ମାନସିକତା, କଦର୍ଯ୍ୟ ଚାଟୁକାରିତା ବିରୋଧରେ କଦର୍ଯ୍ୟ ନୀରବତା ଦେଖାଇଥିଲା। ଆଉ ସେତେବେଳେ ଲେଖାଶ୍ରୀଙ୍କ ବିରୋଧରେ ସ୍ୱର ଉଠାଉଥିବା ବିଜେଡି ଏବେ ପ୍ରତାପ ଦେବଙ୍କ ମନ୍ତବ୍ୟ ବାବଦରେ ନିରବ। ଏମାନେ ସବୁ ଗୋଟିଏ ଭାଡ଼ିର ପାରା, କେହି କାହାରିକୁ କମ୍ ନୁହଁନ୍ତି।
-/DevDrath