Odiapua.com

କୋଭିଡ୍ ଚିକିତ୍ସାରେ ଅବ୍ୟବସ୍ଥା ଏବଂ ପ୍ରଧାନମନ୍ତ୍ରୀଙ୍କ ଉପରେ କଂଗ୍ରେସର ନକରାତ୍ମକ ମନ୍ତବ୍ୟ ଉପରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ଭଦ୍ରକ: ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ କଂଗ୍ରେସର ଅଧିକାଂଶ ନେତା କୋଭିଡ୍ ପରିଚାଳନା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଦେଉଥିବା ନକରାତ୍ମକ ମନ୍ତବ୍ୟକୁ ନେଇ କଡ଼ା ସମାଲୋଚନା କରିବା ସହ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେ ପି ନଡ୍ଡା କଂଗ୍ରେସ ରାଷ୍ଟ୍ରିୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କୋଭିଡ୍ ଚିକିତ୍ସା ବିଷୟରେ ଲେଖିଥିବା ଚିଠି ବିଷୟରେ ଉଲ୍ଲେଖ କରାଯାଇଥିଲା। ଏହାସହ ପ୍ରଧାନମନ୍ତ୍ରୀ ଗତବର୍ଷ ଅର୍ଥାତ୍ ୨୦୨୦ରେ ୮ ମାସ ପାଇଁ ପ୍ରାୟ ୮୦ କୋଟି ଭାରତୀୟଙ୍କୁ ମାଗଣା ରାସନ ପ୍ରଦାନ କରିଥିଲେ। ବର୍ତ୍ତମାନ ମଧ୍ୟ ୨ ମାସ ପାଇଁ ସେହି କାର୍ଯ୍ୟ କରୁଛନ୍ତି। ଏଥିନେଇ ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି। ଏହା ସହ ଭଦ୍ରକ ଜିଲ୍ଲାରେ କୋଭିଡ୍ ଚିକିତ୍ସା କ୍ଷେତ୍ରରେ ଅବ୍ୟବସ୍ଥା ନେଇ ଜିଲ୍ଲା ବିଜେପି କିଛି ପ୍ରଶ୍ନ ଉଠାଇବା ସହ କିଛି ଦାବୀ ଉପସ୍ଥାପନା କରିଛି। କୋଭିଡ୍ ଚିକିତ୍ସା କ୍ଷେତ୍ରରେ ଅବ୍ୟବସ୍ଥା ନେଇ ବିଜେପି ଉଠାଇଥିବା ପ୍ରଶ୍ନ ଏବଂ ଦାବୀ ଗୁଡ଼ିକ ହେଲା –

● ଭଦ୍ରକ ଜିଲ୍ଲାରେ କୋଭିଡ୍- ୧୯ ଟୀକାକରଣ ଠିକ୍ ଭାବରେ କରାଯାଉ ନାହିଁ। ମୁଖ୍ୟତଃ ଗ୍ରାମାଞ୍ଚଳର ପିଏଚସି ଏବଂ ସିଏଚସିକୁ ଟୀକା ଦିଆଯାଉ ନଥିବାରୁ ସେଠାରେ ହଜାର ହଜାର ଲୋକ ଦ୍ୱିତୀୟ ଟାକା ନେବାକୁ ହଟହଟ୍ଟା ହେଉଛନ୍ତି।
● ଯେଉଁ ଟିଏମସି (ଅସ୍ଥାୟୀ ମେଡ଼ିକାଲ ସେଣ୍ଟର) ପଞ୍ଚାୟତ ମାନଙ୍କର ହୋଇଥିଲା, ଯେଉଁଥିପାଇଁ ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତକୁ ଦେଇଥିବା ୫ ଲକ୍ଷ ଟଙ୍କା ପାଇଁ ବାହାବା ନେଉଛନ୍ତି, ସେଥିରେ କିଣା ଯାଇଥିବା ଖଟ, ବିଛଣା ଓ ଆନୁସାଙ୍ଗିକ ଜିନିଷ ଗଲା କୁଆଡ଼େ?
● କେନ୍ଦ୍ର ସରକାର ଓଡ଼ିଶାର ଗ୍ରାମାଞ୍ଚଳରେ କୋଭିତ୍ ପରିଚାଳନା ପାଇଁ ୩୩୩ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ଏହା ସୂଚାରୁ ରୂପେ କେମିତି ଖର୍ଚ୍ଚ କାରଯିବ ରାଜ୍ୟ ସରକାର ଧ୍ୟାନ ଦେବା ଉଚିତ୍।
● ଭଦ୍ରକ ଜିଲ୍ଲାରେ କୋଭିତ୍ ଟେଷ୍ଟ ପାଇଁ ଆରଟିପିସିଆର ଏବଂ ଆଣ୍ଟିଜେନ୍ ଟେଷ୍ଟ ପାଇଁ କୌଣସି ସୁବ୍ୟବସ୍ଥା କରାଯାଇ ନଥିବାରୁ ଲୋକମାନେ ହଇରାଣ ହରକତ ହେଉଛନ୍ତି।
● ଭଦ୍ରକ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣରେ କୋଭିଡ୍ ଔଷଧ, ଇଞ୍ଜେକ୍ସନ, ଅକ୍ସିଜେନ ଇତ୍ୟାଦି ନଥିବାରୁ ରୋଗୀମାନେ ମରଣ ମୁହଁକୁ ଠେଲି ହୋଇ ଯାଉଛନ୍ତି।
● ଭଦ୍ରକ ଜିଲ୍ଲାରେ ଡାକ୍ତର ଅଭାବ ହେତୁ କୋଭିଡ୍ ରୋଗୀମାନେ ଠିକ ଭାବରେ ଚିକିତ୍ସିତ ହୋଇପାରୁ ନାହାନ୍ତି।
● ଟିସିୟୁ ଠିକ୍ ଭାବରେ କାମ କରୁନାହିଁ। ଅମ୍ଳଜାନ ମଧ୍ୟ ଠିକ ସମୟରେ ମିଳୁନାହିଁ।

ଏହିପରି ଅବ୍ୟବସ୍ଥା ମଧ୍ୟରେ ଭଦ୍ରକ ଜିଲ୍ଲାରେ କରୋନା ରୋଗୀଙ୍କର ଚିକିତ୍ସା ହେଉଛି। ତେଣୁ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଏ’ ବିଷୟରେ ଦୃଷ୍ଟି ଦେଇ ଏପରି ଅବ୍ୟବସ୍ଥାକୁ ଠିକ୍ କରିବା ପାଇଁ ବିଜେପି ଆହ୍ୱାନ କରୁଛି। ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡା: ପ୍ରଦୀପ କୁମାର ନାୟକ, ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠାଙ୍କ ସମେତ ଜିଲ୍ଲା ଆଇଟି ସେଲ ପ୍ରମୂଖ ଶଶାଙ୍କ ଶେଖର ମିଶ୍ର, ଭାଗୀରଥି ମହାକୁଡ଼, ଶଶାଙ୍କ ଶେଖର ଦାଶ ଏବଂ ବିଜୟ ଦଳେଇ ପ୍ରମୂଖ ଉପସ୍ଥିତ ଥିଲେ।